ନୂଆଦିଲ୍ଲୀ/ୱାଶିଂଟନ: ଅଦାନୀ ଗ୍ରୁପ୍ ଅଧ୍ୟକ୍ଷ ଗୌତମ ଅଦାନୀଙ୍କ ପାଇଁ ଏକ ବଡ଼ ଖବର ସାମ୍ନାକୁ ଆସିଛି। ଆମେରିକାରେ ତାଙ୍କ ବିରୋଧରେ ଚାଲିଥିବା ଜାଲିଆତି ଓ ଦୁର୍ନୀତି ମାମଲା ଖୁବଶୀଘ୍ର ଶେଷ ହୋଇପାରେ। ବ୍ଲୁମବର୍ଗର ଏକ ରିପୋର୍ଟ ଅନୁଯାୟୀ, ଆମେରିକା ନ୍ୟାୟ ବିଭାଗ (DOJ) ଏହି ଅପରାଧିକ ମାମଲାକୁ ପ୍ରତ୍ୟାହାର କରିବା ଦିଗରେ ପଦକ୍ଷେପ ଗ୍ରହଣ କରୁଛି। ଯଦି ଏହା ହୁଏ, ତେବେ ଗତ ଏକ ବର୍ଷରୁ ଅଧିକ ସମୟ ଧରି ଚାଲିଥିବା ଏହି ଆନ୍ତର୍ଜାତୀୟ ଆଇନଗତ ବିବାଦର ଅନ୍ତ ଘଟିବ।
କ’ଣ ରହିଛି ବ୍ଲୁମବର୍ଗର ଦାବି?
ରିପୋର୍ଟ ମୁତାବକ, ଚଳିତ ସପ୍ତାହରେ ଆମେରିକା କର୍ତ୍ତୃପକ୍ଷ ଅଦାନୀଙ୍କ ବିରୋଧରେ ଥିବା ଅଭିଯୋଗକୁ ହଟାଇବା ନେଇ ଘୋଷଣା କରିପାରନ୍ତି। କେବଳ ସେତିକି ନୁହେଁ, ଆମେରିକାର ସିକ୍ୟୁରିଟିଜ୍ ଆଣ୍ଡ ଏକ୍ସଚେଞ୍ଜ କମିଶନ (SEC) ମଧ୍ୟ ନଭେମ୍ବର ୨୦୨୪ରୁ ଚାଲିଥିବା ସିଭିଲ୍ ଫ୍ରଡ୍ ମାମଲାକୁ ରଫାଦଫା କରିବା ପାଇଁ ପ୍ରସ୍ତୁତି ଚଳାଇଛି। ତେବେ ଏହି ସମାଧାନ ପାଇଁ କିଛି ପରିମାଣର ଜୋରିମାନା ଦେବାକୁ ପଡ଼ିପାରେ ବୋଲି ଅନୁମାନ କରାଯାଉଛି।
ଗ୍ରୁପ୍ ପାଇଁ ଖୋଲିବ ନୂଆ ସୁଯୋଗ
ଅଦାନୀ ଗ୍ରୁପ୍ ଆରମ୍ଭରୁ ଏହି ସମସ୍ତ ଅଭିଯୋଗକୁ ଭିତ୍ତିହୀନ ବୋଲି କହି ଆସୁଛି। ଆମେରିକାରେ ଏହି ମାମଲା ଶେଷ ହେବା ଦ୍ୱାରା ଅଦାନୀ ଗ୍ରୁପ୍ ପାଇଁ ଆନ୍ତର୍ଜାତୀୟ ପୁଞ୍ଜି ବଜାରର ଦ୍ୱାର ପୁଣିଥରେ ଖୋଲିଯିବ। ଏହାଦ୍ୱାରା କମ୍ପାନୀ ନିଜର ବ୍ୟବସାୟିକ ସମ୍ପ୍ରସାରଣ ଯୋଜନାକୁ ଅଧିକ ଆକ୍ରମଣାତ୍ମକ ଭାବେ ଆଗକୁ ନେଇପାରିବ।
କ’ଣ ଥିଲା ପୂରା ଅଭିଯୋଗ ?
ସୂଚନାଯୋଗ୍ୟ ଯେ, ବ୍ରୁକଲିନ୍ ଆଟର୍ଣ୍ଣି ଅଫିସ୍ ଗୌତମ ଅଦାନୀ ଓ ତାଙ୍କ ସହଯୋଗୀଙ୍କ ଉପରେ ଭାରତରେ ସୌର ଶକ୍ତି ଚୁକ୍ତି ହାସଲ କରିବା ପାଇଁ ପ୍ରାୟ ୨୫୦ ମିଲିୟନ ଡଲାରର ଲାଞ୍ଚ ଦେଇଥିବା ଅଭିଯୋଗ କରିଥିଲା। ଏଥିସହ ଆମେରିକୀୟ ନିବେଶକଙ୍କ ନିକଟରୁ ପୁଞ୍ଜି ସଂଗ୍ରହ ସମୟରେ ଏହି ତଥ୍ୟ ଲୁଚାଇଥିବା ନେଇ ମଧ୍ୟ ଅଭିଯୋଗ ହୋଇଥିଲା। ତେବେ ଅଦାନୀଙ୍କ ଓକିଲମାନେ କୋର୍ଟରେ ଯୁକ୍ତି ବାଢ଼ିଥିଲେ ଯେ ଆମେରିକା ନିକଟରେ ଏହି ମାମଲାର ଶୁଣାଣି ପାଇଁ ଆବଶ୍ୟକ କ୍ଷେତ୍ରାଧିକାର ନାହିଁ ଏବଂ ତଥ୍ୟକୁ ବଙ୍କେଇ କରି ଉପସ୍ଥାପନ କରାଯାଇଛି।