ନୂଆଦିଲ୍ଲୀ: କଂଗ୍ରେସ ନେତା ପବନ ଖେଡ଼ାଙ୍କ ପାଇଁ ଅଡ଼ୁଆ ବଢ଼ିଛି । ଗୌହ୍ୱାଟୀ ହାଇକୋର୍ଟ ଖେଡ଼ାଙ୍କ ଆଗୁଆ ଜାମିନ ଆବେଦନକୁ ଖାରଜ କରିବା ପରେ ସେ ଏବେ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି । ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମାଙ୍କ ପତ୍ନୀ ରିଙ୍ଗି ଭୂୟାଁଙ୍କ ଦ୍ୱାରା ଦାୟର କରାଯାଇଥିବା ମାମଲାର ଗିରଫଦାରୀରୁ ବଞ୍ଚିବାକୁ ସେ ସୁପ୍ରିମକୋର୍ଟରେ ଜାମିନ ଆବେଦନ କରିଛନ୍ତି ।
ରିଙ୍କି ଭୂୟାଁ ଏକାଧିକ ପାସପୋର୍ଟ ରଖିଥିବା ନେଇ ପବନ ଖେଡ଼ା ଅଭିଯୋଗ ଆଣିଥିଲେ । ଯାହା ପରେ ରିଙ୍କି ଖେଡ଼ାଙ୍କ ବିରୁଦ୍ଧରେ ଏତଲା ଦେଇଥିଲେ । ମାମଲାର ଶୁଣାଣି କରି ଗୌହ୍ୱାଟୀ ହାଇକୋର୍ଟ କହିଛନ୍ତି ଜଣେ ନିର୍ଦ୍ଦୋଷ ମହିଳାଙ୍କୁ ଜାଣିଶୁଣି ବିବାଦ ଭିତରକୁ ଟଣାଯାଇଛି । ହାଇକୋର୍ଟ ଖେଡ଼ାଙ୍କ ଜାମିନ ଆବେଦନକୁ ଖାରଜ କରିଛନ୍ତି ।
ଏହା ପୂର୍ବରୁ ପବନ ଖେଡ଼ା ତେଲେଙ୍ଗାନା ହାଇକୋର୍ଟରେ ଅଗ୍ରୀମ ଜାମିନ ପାଇଁ ଆବେଦନ କରିଥିଲେ । ଏପ୍ରିଲ 15ରେ ହାଇକୋର୍ଟ ତାଙ୍କୁ ଏକ ସପ୍ତାହ ପାଇଁ ଅନ୍ତରୀଣ ସୁରକ୍ଷା ପ୍ରଦାନ କରିଥିଲେ ଏବଂ ଗୌହ୍ୱାଟୀ ହାଇକୋର୍ଟ ଯିବାକୁ ପରାମର୍ଶ ଦେଇଥିଲେ । ଏହା ପରେ ଆସାମ ପୋଲିସ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲା । ସୁପ୍ରିମକୋର୍ଟ ତେଲେଙ୍ଗାନା ହାଇକୋର୍ଟଙ୍କ ରାୟ ଉପରେ ରହିତାଦେଶ ଲଗାଇଥିଲେ । ସୁପ୍ରିମକୋର୍ଟ କହିଥିଲେ ଯଦି ଖେଡ଼ା ଆସାମରେ ଜାମିନ ଆବେଦନ କରନ୍ତି ତେବେ ସୁପ୍ରିମକୋର୍ଟ ରାୟ ଆଉ ବଳବତ୍ତର ରହିବ ନାହିଁ । କିନ୍ତୁ ଖେଡ଼ାଙ୍କୁ ଆସାମରୁ ମଧ୍ୟ ନିରାଶ ହେବାକୁ ପଡ଼ିଛି ।