କୋଲକାତା: ପଶ୍ଚିମବଙ୍ଗ ନାଗରାକାଟା ଅଞ୍ଚଳରେ ବିଜେପି ସାଂସଦ ଏବଂ ବିଧାୟକଙ୍କ ଉପରକୁ ମରଣାନ୍ତକ ଆକ୍ରମଣ ହୋଇଛି । ବାତ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କରିବାକୁ ଯାଇଥିବାବେଳେ ସିଲିଗୁଡ଼ୀ ବିଧାୟକ ଶଙ୍କର ଘୋଷ ଏବଂ ସାଂସଦ ଖଗେନ ମୁର୍ମୁଙ୍କ ଉପରେ ସ୍ଥାନୀୟ ବାସିନ୍ଦା ପଥର ମାଡ଼ କରିଛନ୍ତି । ଉଭୟ ଗୁରୁତର ଆହତ ହୋଇ ସ୍ଥାନୀୟ ମେଡ଼ିକାଲରେ ଭର୍ତ୍ତି ହୋଇଛନ୍ତି ।
ଉତ୍ତର ମଲଦା ସାଂସଦ ମୁର୍ମୁ ଏବଂ ବିଧାୟକ ଶଙ୍କର ଘୋଷ ବନ୍ୟା ପ୍ରପୀଡ଼ିତ ଅଞ୍ଚଳ ଗସ୍ତ କରି ରିଲିଫ୍ କାର୍ଯ୍ୟର ତଦାରଖ କରୁଥିଲେ । ଏହି ସମୟରେ ନଗରକାଟା ଅଞ୍ଚଳରେ ତାଙ୍କ କାର ଉପରୁ ପଥର ମାଡ଼ କରାଯାଇଥିଲା । କାରର କାଚ ଭାଙ୍ଗି ସାସଂଦଙ୍କ ମୁଣ୍ଡରେ ପଥର ଲାଗି ଗଭୀର କ୍ଷତ ସୃଷ୍ଟି ହୋଇଛି ଏବଂ ପ୍ରବଳ ରକ୍ତ ସ୍ରାବ ହୋଇଛି । ବିଧାୟକ ଘୋଷଙ୍କ ମୁହଁରେ ଆଘାତ ଲାଗିଛି । ଉଭୟଙ୍କୁ ତୁରନ୍ତ ସେଠାରୁ ଉଦ୍ଧାର କରାଯାଇ ମେଡ଼ିକାଲରେ ଭର୍ତ୍ତି କରାଯାଇଛି ।
ବିଜେପି ଶାସକ ଦଳ ତୃଣ ମୂଳ କଂଗ୍ରେସ ଉପରେ ଷଡ଼ଯନ୍ତ୍ରର ଅଭିଯୋଗ ଆଣିଛି । ବିଜେପି ଆଇଟି ସେଲ୍ ମୁଖ୍ୟ ଅମିତ ମାଲବୀୟ କହିଛନ୍ତି, ବଙ୍ଗଳାରେ ଟିଏମସିର ଜଙ୍ଗଲ ରାଜ୍ ଚାଲିଛି । ବିଜେପି ସାଂସଦ ଖଗେନ ମୁର୍ମୁ ଜଣେ ସମ୍ମାନୀତ ଆଦିବାସୀ ନେତା ଏବଂ ଉତ୍ତର ମାଲଦାରୁ ଦୁଇ ଥର ସାଂସଦ ହୋଇଛନ୍ତି । ସେ ଯେତେବେଳେ ପ୍ରବଳ ବର୍ଷା, ବନ୍ୟା ଏବଂ ଭୂସ୍ଖଳନ ପରେ କ୍ଷେତ୍ର ପରିଦର୍ଶନ ପାଇଁ ଜଲପାଈଗୁଡ଼ୀର ଦୁଆର ଯାଉଥିଲେ ସେତେବେଳେ ନଗରକାଟା ଅଞ୍ଚଳରେ ଟିଏମସି ଗୁଣ୍ଡାମାନେ ତାଙ୍କ ଉପରକୁ ଆକ୍ରମଣ କରିଥିଲେ । ଅନ୍ୟପକ୍ଷରେ ଟିଏମସି ମୁଖ୍ୟ ତଥା ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କୋଲକାତା କାର୍ଣ୍ଣିଭାଲରେ ନୃତ୍ୟ କରୁଛନ୍ତି, ରାଜ୍ୟ ପ୍ରଶାସନ ମଧ୍ୟ ଗାଏବ । ପ୍ରକୃତରେ ଲୋକଙ୍କୁ ସାହାଯ୍ୟ କରୁଥିବା ବିଜେପି ନେତା ଏବଂ କାର୍ଯ୍ୟକର୍ତ୍ତାମାନଙ୍କୁ ଆକ୍ରମଣ କରାଯାଉଛି । ଏହା ହିଁ ଟିଏମସି ବଙ୍ଗଳା, ଏଠି ହିଂସାର ରାଜୁତି ଚାଲୁଛି ଏବଂ ନୀରିହକୁ ଦଣ୍ଡ ମିଳୁଛି ।