ନୂଆଦିଲ୍ଲୀ: ଜମ୍ମୁ-କାଶ୍ମୀରର ପହଲଗାମରେ ୨୬ ପର୍ଯ୍ୟଟକଙ୍କୁ ହତ୍ୟାର କିଛି ଦିନ ପୂର୍ବରୁ ହିଁ ପାକିସ୍ତାନ ଅଧିକୃତ କାଶ୍ମୀର(ପିଓକେ)ରେ ଆତଙ୍କବାଦୀ ଏକଜୁଟ ହୋଇଥିଲେ । ଏଠାରେ ରାୱଲକୋଟ ଜିଲ୍ଲାର ଖାଇ ଗାଲାରେ ଏକ ଶ୍ରଦ୍ଧାଞ୍ଜଳି ସମ୍ମିଳନୀରେ ଆତଙ୍କବାଦୀମାନେ ଏକତ୍ରିତ ହୋଇଥିଲେ । ଏହି ସମୟରେ ଲସ୍କଏ ଏ ତୋଇବାର କମାଣ୍ଡର ଅବୁ ମୂଷା ଖୋଲାଖୋଲି ଭାରତ ବିରୋଧରେ ଜିହାଦ ଓ ହିଂସାର ଅପିଲ୍ କରିଥିଲା ।
ଏହି ସମ୍ମିଳନୀ ଏପ୍ରିଲ ୧୮ରେ ଆୟୋଜିତ ହୋଇଥିଲା । ଏଥିରେ ଅନେକ ଆତଙ୍କବାଦୀ ସଂଗଠନର ମୁଖ୍ୟମାନେ ସାମିଲ ହୋଇଥିଲେ । ଅବୁ ମୂଷା ଜମ୍ମୁ-କାଶ୍ମୀର ୟୁନାଇଟେଡ ମୁଭମେଣ୍ଟ(ଜେକେୟୁଏମ)ର ନେତୃତ୍ୱ ନେଉଛି । ସଭାକୁ ସମ୍ବୋଧିତ କରି ସେ ଅନୁଚ୍ଛେଦ ୩୭୦ ଓ ୩୫ଏ ଉଚ୍ଛେଦକୁ କାଶ୍ମୀର ପ୍ରତି ଷଡଯନ୍ତ୍ର ଦର୍ଶାଇଥିଲା । ଏହା ସହିତ କାଶ୍ମୀର ଘାଟିରେ ଏକ ନୂଆ ଢଙ୍ଗରେ ଆତଙ୍କୀ ହମଲାର ଆହ୍ୱାନ କରିଥିଲା ।
ଭାରତୀୟ ଗୁଇନ୍ଦା ଏଜେନ୍ସି ଦ୍ୱାରା ଯାଞ୍ଚ କରାଯାଇଥିବା ଏକ ଭାଇରାଲ୍ ଭିଡିଓରେ ଅବୁ ମୂଷା କହୁଛି, ଭାରତ ୩୭୦ ଓ ୩୫ଏ ହଟାଇ ଜନସଂଖ୍ୟାର ସନ୍ତୁଳନ ବିଗାଡିବାକୁ ଉଦ୍ୟମ କରିଛି । ତୁମେ ନିଜର ୧୦ ଲକ୍ଷ ସେନା ପଠାଇଲ । ତୁମେ ରାମ ରାମର ସ୍ୱର ପୁଲୱାମା, ପୁ’ ଓ ରାଜୌରୀରେ ଶୁଣିବାକୁ ଚାହୁଁଛ । ଲସ୍କର ଏ ତୋଇବାର ତୁମର ଚ୍ୟାଲେଞ୍ଜ ସ୍ୱୀକାର କରୁଛି । ମୋଦୀ ତୁମେ ନିଜର ବନ୍ଦ କୋର୍ଟରୁମରେ ଆଦେଶ ପାରିତ କରି ଥାଇପାର, ମାତ୍ର ମଇଦାନ ମୁଜାହିଦ୍ଦୀନର । ପରୀକ୍ଷା କରି ଦେଖ, ଇନସା ଆଲ୍ଲା ଆମେ ବନ୍ଧୁକ ଉଠାଇବୁ, ଗଳା କାଟିବୁ ଓ ନିଜ ଶହୀଦଙ୍କ ବଳିଦାନକୁ ସଲାମ କରିବୁ ।
ଏପ୍ରିଲ ୧୮ରେ ହୋଇଥିବା ଏହି ଆୟୋଜନ ଦୁଇ ଆତଙ୍କବାଦୀ ଅକିଫ ହଲିମ ଓ ଅବଦୁଲ ୱହାବର ସ୍ମୃତିରେ କରାଯାଇଥିଲା । ଅକିଫକୁ ଭାରତୀୟ ସେନାର ୨୧ତମ ରାଷ୍ଟ୍ରୀୟ ରାଇଫଲ୍ସ ମାର୍ଚ୍ଚ ୧୭ରେ କୁପୱାଡାରେ ଗୁଳିବିନିମୟରେ ନିପାତ କରିଥିଲେ । ଆଉ ଅବଦୁଲକୁ ଏପ୍ରିଲ ୨୪ରେ ବାରାମୁଲାର ସୋପୋର ଅଞ୍ଚଳରେ ନିପାତ କରାଯାଇଥିଲା । ଦୁଇ ଆତଙ୍କୀ ଗୋଟିଏ ପରିବାରର ଥିଲେ ଏବଂ ପିଓକେର ବାସିନ୍ଦା ଥିଲେ ।