ନୂଆଦିଲ୍ଲୀ: ପହଲଗାମ ଆତଙ୍କବାଦୀ ଆକ୍ରମଣ ସାରା ଦେଶକୁ ଦୋହଲାଇ ଦେଇଛି । ଏହା ବିରୁଦ୍ଧରେ କଡ଼ାରୁ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସାରା ଦେଶରୁ କେନ୍ଦ୍ର ସରକାରଙ୍କ ନିକଟକୁ ଆସୁଛି ଗୁହାରୀ । ତେବେ ଏହାରି ମଧ୍ୟରେ ଗୁଇନ୍ଦା ବିଭାଗ ସନ୍ଦିଗ୍ଧ ଆତଙ୍କବାଦୀଙ୍କ ସ୍କେଚ୍ ଜାରି କରିଛି । ଏହା ପରେ ଆତଙ୍କବାଦୀଙ୍କ ଏକ ଫଟୋ ମଧ୍ୟ ସାମ୍ନାକୁ ଆସିଛି । ଫଟୋରେ ଦେଖାଯାଉଥିବା ଆତଙ୍କବାଦୀ ପହଲଗାମ ଆକ୍ରମଣରେ ସମ୍ପୃକ୍ତି ଥିବା ସନ୍ଦେହ କରାଯାଉଛି ।
ଗତକାଲି ଅପରାହ୍ନ ସମୟରେ ଅନନ୍ତନାଗ ଜିଲ୍ଲାର ପହଲଗାମ ପର୍ଯ୍ୟଟକଙ୍କ ଉପରେ ହୋଇଥିଲା ଆକ୍ରମଣ । ଏଏଥିରେ ୨୮ ଜଣଙ୍କ ଜୀବନ ଯାଇଛି । ତେବେ ଏହି ହମଲାରେ ୩-୪ ଜଣ ଆତଙ୍କବାଦୀ ଥିବା ଅନୁମାନ କରାଯାଉଛି । ଆତଙ୍କୀ ସଙ୍ଗଠନ ଟିଆରଏଫ୍ ଏହାକୁ ନିଜ ଉପରକୁ ନେଇଛି । ତେବେ ଆତଙ୍କୀ ଆକ୍ରମଣ ପରର ଭିଡ଼ିଓ ଏବେ ସାମ୍ନାକୁ ଆସୁଛି । ଏଥିରେ ଆତଙ୍କବାଦୀମାନେ ମୁଣ୍ଡରେ କ୍ୟାମେରା ଯୁକ୍ତ ହେଲମେଟ୍ ଲଗାଇ ଆକ୍ରମଣ କରିଛନ୍ତି । ଭିଡ଼ିଓରେ ଜଣେ କୁର୍ତ୍ତା ପିନ୍ଧିଥିବାବେଳେ ଏକେ-୪୭ ରାଇଫଲ୍ ହାତରେ ଧରିଥିବା ଦେଖାଯାଇଛି ।
ଏବେ ଏଠାରେ ପ୍ରଶ୍ନ ଉଠୁଛି ଯେଉଁ ସ୍ଥାନାକୁ ଯିବାକୁ ଗାଡ଼ିର କୌଣସି ସୁବିଧା ନ ଥିବାବେଳେ ଆତଙ୍କବାଦୀ କେମିତି ପହଁଚିଲେ । ଏଥିରେ ସ୍ଥାନୀୟ ଲୋକଙ୍କ ସମ୍ପୃକ୍ତି ଥିବା ସନ୍ଦେହ କରାଯାଉଛି । ଜାରି ହୋଇଥିବା ଆତଙ୍କବାଦୀଙ୍କ ସ୍କେଚରେ ଦୁଇ ଜଣ ସ୍ଥାନୀୟ ଯୁବକ ଥିବାବେଳେ ଆଉ ଜଣେ ପାକିସ୍ତାନର ବୋଲି କୁହାଯାଉଛି । ସନ୍ଦିଗ୍ଧ ସ୍ଥାନୀୟ ଆତଙ୍କବାଦୀ ହେଲେ ଆଦିଲ ଓ ଆସିଫ୍ । ଏ ଦୁଇ ଜଣ ବେଜବାହାଲ ଓ ତ୍ରାଲରୁ ଥିଲେ ବୋଲି ଜାତୀୟ ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି ।
ଅନ୍ୟପକ୍ଷରେ ଜମ୍ମୁ କାଶ୍ମୀର ପୋଲିସ ପହଲଗାମ ଆତଙ୍କବାଦୀ ଆକ୍ରମଣର ତିନି ଜଣ ସନ୍ଦିଗ୍ଧଙ୍କ ସ୍କେଚ୍ ଜାରି କରିଛି। ଏହି ସନ୍ଦିଗ୍ଧଙ୍କୁ ଆସିଫ୍ ଫୁଜି, ସୁଲେମାନ ଶାହ ଏବଂ ଆବୁ ତଲହା ଭାବରେ ଚିହ୍ନଟ କରାଯାଇଛି । ପୋଲିସ କହିଛି ଯେ ଆହତ ଏବଂ ପ୍ରତ୍ୟକ୍ଷଦର୍ଶୀଙ୍କ ସହିତ କଥାବାର୍ତ୍ତା ଆଧାରରେ ଏହି ସ୍କେଚ୍ ପ୍ରସ୍ତୁତ କରାଯାଇଛି ।