ନୂଆଦିଲ୍ଲୀ: ଗତ କିଛି ଦିନ ଧରି ସମଗ୍ର ଦେଶରେ ଇଣ୍ଡିଗୋ ଏୟାରଲାଇନ୍ସ ହଜାର ହଜାର ଉଡାଣ ବନ୍ଦ କରି ବିମାନ ଉଡାଣରେ ଅଚଳାବସ୍ଥା ସୃଷ୍ଟି କରିଥିଲା । ଏହି ପ୍ରସଙ୍ଗରେ ଦିଲ୍ଲୀ ହାଇକୋର୍ଟ ଅସନ୍ତୋଷ ପ୍ରକାଶ କରିଛନ୍ତି ଏବଂ କେନ୍ଦ୍ର ସରକାରଙ୍କୁ ଅନେକ ପ୍ରଶ୍ନ କରିଛନ୍ତି । ଏକ ଜନସ୍ୱାର୍ଥ ମାମଲା ଉପରେ ବିଚାର କରି କୋର୍ଟ ଏହାକୁ ସଙ୍କଟ ବୋଲି କହିଛନ୍ତି । କେନ୍ଦ୍ର ସରକାରଙ୍କୁ ଏହା ଜଣାଇବାକୁ ନିର୍ଦ୍ଦେଶ ଦେଇଛନ୍ତି ଯେ, ଅଚାନକ ସ୍ଥିତି କାହିଁକି ବିଗିଡିଲା ? ଏମିତି ସ୍ଥିତି କେମିତି ଉତ୍ପନ ହେଲା ? ଏଥିପାଇଁ କିଏ ଦାୟୀ ?
ମୁଖ୍ୟ ବିଚାରପତି ଦେବେନ୍ଦ୍ର କୁମାର ଉପାଧ୍ୟାୟ ଓ ଜଷ୍ଟିସ ତୁଷାର ରାଓ ଗେଡେଲାଙ୍କ ପୀଠ କହିଛନ୍ତି, ଫସିଥିବା ଯାତ୍ରୀଙ୍କୁ ହୋଇଥିବା ସମସ୍ୟା ବ୍ୟତୀତ ଦେଶର ଅର୍ଥବ୍ୟବସ୍ଥାକୁ ହୋଇଥିବା କ୍ଷତିକୁ ନେଇ ମଧ୍ୟ ଅନେକ ପ୍ରଶ୍ନ ରହିଛି । ପିଟିସନରେ ଦାବି କରାଯାଇଛି ଯେ, ପ୍ରଭାବିତ ଯାତ୍ରୀଙ୍କୁ ସହାୟତା ଏବଂ ରିଫଣ୍ଡ ଦେବାକୁ କେନ୍ଦ୍ର ସରକାରଙ୍କୁ ନିର୍ଦ୍ଦେଶ ଦିଆଯାଉ ।
କୋର୍ଟ ଏହା ମଧ୍ୟ ଆଶ୍ଚର୍ଯ୍ୟ ପ୍ରକାଶ କରିଛନ୍ତି ଯେ, ଅନ୍ୟ କମ୍ପାନି ଏମିତି ସ୍ଥିତିରେ ଫାଇଦା ଉଠାଇବାକୁ ଚେଷ୍ଟା କଲେ । କୋର୍ଟ ପ୍ରଶ୍ନ କରିଛନ୍ତି, ଅନ୍ୟ ବିମାନ କମ୍ପାନି ଏମିତି ସଙ୍କଟ ସ୍ଥିତିରେ କେମିତି ଫାଇଦା ଉଠାଇ ପାରିବେ । ଟିକେଟ୍ ପାଇଁ ଏତେ ଭଡା କେମିତି ଆଦାୟ କରି ପାରିବ ?
ଏସବୁ ଉପରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ହାଇକୋର୍ଟରେ କୁହାଯାଇଛି ଯେ, ଆଇନଗତ ପ୍ରକ୍ରିୟା ସଂପୂର୍ଣ୍ଣ ଭାବେ ଲାଗୁ ହୋଇ ସାରିଛି । ଇଣ୍ଡିଗୋକୁ କାରଣ ଦର୍ଶାଅ ନୋଟିସ୍ ଜାରି କରାଯାଇଛି । ଏହା ମଧ୍ୟ କୁହାଯାଇଛି ଯେ, ଇଣ୍ଡିଗୋ ବହୁ ଥର କ୍ଷମା ମାଗିସାରିଲାଣି । ସରକାରଙ୍କ ଓକିଲ କହିଛନ୍ତି, ଏହି ସଙ୍କଟ ବିଭିନ୍ନ ନିୟମ ଉଲ୍ଲଂଘନ କାରଣରୁ ଉତ୍ପନ ହୋଇଛି । ବିଶେଷ କରି କ୍ରୁ ସଦସ୍ୟ ସମ୍ବନ୍ଧିତ ନିୟମର ଉଲ୍ଲଂଘନ ହୋଇଛି ।
Also read: କଟକରେ କାହିଁକି ଶୋଚନୀୟ ପରାଜୟ ଭୋଗିଲା ସାଉଥ ଆଫ୍ରିକା ? କାରଣ କହିଲେ ବ୍ୟାଟିଂ କୋଚ୍