ନୂଆଦିଲ୍ଲୀ: ହରିୟାଣାର ୩୩ ବର୍ଷୀୟ ୟୁଟ୍ୟୁବର ଜ୍ୟୋତି ମାଲହୋତ୍ରାଙ୍କ ବିରୋଧରେ ତଦନ୍ତକୁ ଜୋରଦାର କରାଯାଇଛି । ହିସାର ପୋଲିସ ଜ୍ୟୋତିଙ୍କ ଇଲେକ୍ଟ୍ରେନିକ ଉପକରଣରୁ ୧୨ ଟେରାବାଇଟ ଡାଟା ଜବତ କରିଛି । ଏଥିରେ ପାକିସ୍ତାନୀ ଗୁଇନ୍ଦା ଏଜେନ୍ସି ଆଇଏସଆ ସଂପର୍କିତ ଚାରି ଏଜେନ୍ସଙ୍କ ସହ ତାଙ୍କର କଥାବାର୍ତ୍ତାର ପ୍ରମାଣ ରହିଛି । ପୋଲିସ ଅନୁଯାୟୀ, ଜ୍ୟୋତି ବେଶ ଭଲ ଭାବେ ଜାଣିଥିଲେ ଯେ, ସେ ଯେଉଁ ପାକିସ୍ତାନୀ ଅଧିକାରୀଙ୍କ ଯୋଗାଯୋଗରେ ଥିଲେ, ସେମାନେ ପାକିସ୍ତାନୀ ଗୁଇନ୍ଦା ଏଜେନ୍ସି ଆଇଏସଆଇ ପାଇଁ କାମ କରନ୍ତି । ସେ ଲଗାତାର ଏହି ସବୁ ଅଧିକାରୀଙ୍କ ଯୋଗାଯୋଗରେ ଥିଲେ ଏବଂ ତାଙ୍କୁ କୌଣସି ଭୟ ବି ଲାଗୁ ନ ଥିଲା ।
ଏନଡିଟିଭିର ରିପୋର୍ଟ ଅନୁଯାୟୀ, ପୋଲିସ ତଦନ୍ତରୁ ଜାଣିବାକୁ ପାଇଛି ଯେ, ଜ୍ୟୋତୀ ଚାରି ପାକିସ୍ତାନୀ ଏଜେନ୍ସଙ୍କ ସହ ଜଣ ଜଣ କରି କଥା ହୋଇଥିଲେ । ଏଥିରେ ଦାନିଶ, ଅଲୀ ହସନ, ଶାକିର ଓ ରାଣା ଶାହବାଜଙ୍କ ନାଁ ସାମିଲ । ଏବେ ତଦନ୍ତକାରୀ ଏଜେନ୍ସି ପାକିସ୍ତାନୀ ସୁରକ୍ଷା ଏଜେନ୍ସିରେ ଜ୍ୟୋତିଙ୍କ ଲିଙ୍କ ନେଇ ତଦନ୍ତ କରୁଛି । ପୋଲିସ ଜ୍ୟୋତିଙ୍କ ତିନି ମୋବାଇଲ ଫୋନ, ଗୋଟିଏ ଲ୍ୟାପଟପ ଓ ଅନ୍ୟ ଇଲେକ୍ଟ୍ରିକ ଉପକରଣ ଜବତ କରିଛି । ଏସବୁକୁ ଫରେନ୍ସିକ ଯାଞ୍ଚ ପାଇଁ ପଠାଯାଇଛି । ଏନକ୍ରିପଟେଡ ପ୍ଲାଟଫର୍ମରେ ଜ୍ୟୋତି ଉପରୋକ୍ତ ଚାରି ଅଧିକାରୀଙ୍କ ସହ କଥା ହେଉଥିଲେ । ତଦନ୍ତରୁ ଏହା ମଧ୍ୟ ଜଣା ପଡିଛି ଯେ, ଜ୍ୟୋତି ଏହି ପ୍ଲାଟଫର୍ମ ବ୍ୟବହାର କରି କୋଡୱାର୍ଡରେ ସନ୍ଦେଶ ପଠାଉଥିଲେ, ଯଦ୍ୱାରା ତାଙ୍କ ଗତିବିଧି ଧରା ନ ପଡିବ ।
ଜ୍ୟୋତିଙ୍କ ଫୋନ ଓ ଲ୍ୟାପଟପରୁ ଡିଲିଟ୍ ହୋଇଥିବା ସମସ୍ତ ସନ୍ଦେଶ ଓ ଫାଇନଲକୁ ରିକଭର କରିବାରେ ପୋଲିସ ସଫଳ ହୋଇଛି । ପୋଲିସ ୧୨ ଟେରାବାଇଟରୁ ଅଧିକ ଡାଟା ଜବତ କରିଛି । ଏସବୁ ପୋଲିସର ଖୋଳତାଡ କରୁଛି । ଜ୍ୟୋତି ମାଲହୋତ୍ରାଙ୍କ ଭବ୍ୟ ବିଦେଶ ଗସ୍ତ ଓ ତାଙ୍କ ଆୟଠୁ ଅଧିକ ଖର୍ଚ୍ଚ ପୋଲିସର ଧ୍ୟା ଆକର୍ଷିତ କରିଥିଲା । ନିକଟ ମାସରେ ସେ ଚୀନ ଓ ପାକିସ୍ତାନ ଗସ୍ତ କରିଥିଲେ । ପାକିସ୍ତାନର ଅନେକ ହାଇ ପ୍ରୋଫାଇଲ ଆୟୋଜନରେ ଜ୍ୟୋତି ସାମିଲ ହୋଇଥିଲେ । ଏବେ ହରିୟାଣା ପୋଲିସ ତାଙ୍କ ଫଣ୍ଡିଂ ଓ ଟଙ୍କାର ସ୍ରୋତର ତଦନ୍ତ କରୁଛି ।