ନୂଆଦିଲ୍ଲୀ: ଆମେରିକା ଭାରତୀୟ ଛାତ୍ରଙ୍କ ପାଇଁ କଡା ଚେତାବନୀ ଜାରି କରିଛି । ଆମେରିକା କହିଛି ଯେ, ଯଦି ଛାତ୍ରମାନେ ପଢୁ ନାହାନ୍ତି କିମ୍ବା ବିନା ସୂଚନାରେ ପାଠପଢା ଛାଡୁଛନ୍ତି ତେବେ ସେମାନଙ୍କର ଛାତ୍ର ଭିସା ରଦ୍ଦ ହେବ । ଆମେରିକାରେ ଅବୈଧ୍ୟ ପ୍ରବାସୀଙ୍କ ବିରୋଧରେ ଚାଲିଥିବା କଠୋର କାର୍ଯ୍ୟାନୁଷ୍ଠାନ ଓ ସାମୂହିକ ନିର୍ବାସନକୁ ଦୃଷ୍ଟିରେ ରଖି ଟ୍ରମ୍ପ ସରକାର ଏହି ଚେତାବନୀ ଜାରି କରିଛନ୍ତି ।
ଭାରତରେ ଅବସ୍ଥାପିତ ଆମେରିକା ଦୂତାବାସର ଜଣେ ଅଧିକାରୀ କହିଛନ୍ତି, ଯଦି ଆପଣ କୋର୍ସ ଛାଡୁଛନ୍ତି, କଲେଜ୍ ଯାଉ ନାହାନ୍ତି କିମ୍ବା ନିଜର ୟୁନିଭର୍ସିଟିକୁ ବିନା ସୂଚନା ଦେଇ ପାଠ୍ୟକ୍ରମ ଛାଡୁଛନ୍ତି ତେବେ ଛାତ୍ର ଭିସା ରଦ୍ଦ ହୋଇପାରେ । ଭବିଷ୍ୟତରେ ଆମେରିକାର ଭିସା ମିଳିବ ନାହିଁ । ସର୍ବଦା ନିଜ ଭିସାର ସର୍ତ୍ତ ପାଳନ କରନ୍ତୁ । ପାଠ ପଢୁଥିଲେ ଏହା ଜାରି ରଖନ୍ତୁ ଯଦ୍ୱାରା ଆପଣ ସମସ୍ୟାରୁ ବର୍ତ୍ତି ପାରିବେ ।
ଏହି ଚେତାବନୀ ସେହି ସମୟରେ ଦିଆଯାଇଛି, ଯେତେବେଳେ ଆମେରିକାରେ ବିଦେଶୀ ଛାତ୍ରଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ନିଆଯାଉଛି । ଅନେକ ଛାତ୍ରଙ୍କ ଭିସା ଅଚାନକ ରଦ୍ଦ କରାଯାଉଛି । ଏଥିରେ କିଛି ମାମଲା ପାଲେଷ୍ଟାଇନ ସମର୍ଥକ ପ୍ରଦର୍ଶନରେ ସାମିଲ ହେବା, ଟ୍ରାଫିକ ଉଲ୍ଲଂଘନ କିମ୍ବା ଭିସା ସର୍ତ୍ତ ଉଲ୍ଲଂଘନ ପରି କାରଣ ସାମ୍ନାକୁ ଆସିଛି । ଫଳରେ ଟ୍ରମ୍ପ ପ୍ରଶାସନ ବିଦେଶୀ ଛାତ୍ରଙ୍କ ବିରୋଧରେ ନିଜର ନୀତି କଡାକଡି କରିଛନ୍ତି । ନିକଟରେ ହାଭାର୍ଡ ବିଶ୍ୱ ବିଦ୍ୟାଳୟକୁ ନୂଆ ଅନ୍ତର୍ଜାତୀୟ ଛାତ୍ରଙ୍କୁ ନାମଲେଖା ଉପରେ କଟକଣା ଜାରି କରାଯାଇଥିଲା । ଏଥିରେ ପାଖାପାଖି ୭୮୮ ଭାରତୀୟ ଛାତ୍ର ସହିତ ହଜାର ହଜାର ବିଦେଶୀ ଛାତ୍ର ପ୍ରଭାବିତ ହୋଇଛନ୍ତି ।