ନୂଆଦିଲ୍ଲୀ: ମଦ୍ରାସାକୁ ନେଇ ଦେଶର ସର୍ବୋଚ୍ଚ ଅଦାଲତ ବଡ଼ ରାୟ ଶୁଣାଇଛନ୍ତି । ଉତ୍ତର ପ୍ରଦେଶ ଆହ୍ଲାବାଦ ହାଇକୋର୍ଟ ଦେଇଥିବା ରାୟକୁ ଖଣ୍ଡନ କରିଛନ୍ତି ମାନ୍ୟବର ସୁପ୍ରିମକୋର୍ଟ । ଉତ୍ତରପ୍ରଦେଶ ମଦ୍ରାସା ଶିକ୍ଷା ପରିଷଦ ଅଧିନିୟମ, 2004କୁ ସୁପ୍ରିମକୋର୍ଟ ସାମ୍ବିଧାନିକ ବୋଲି ଆଜିର ଶୁଣାଣିରେ କହିଛନ୍ତି ।
ପ୍ରଧାନ ବିଚାରପତି ଡି ୱାଇ ଚନ୍ଦ୍ରଚୂଡ଼, ବିଚାରପତି ଜେବି ପାରିଦୱାଲା ଏବଂ ବିଚାରପତି ମନୋଜ ମିଶ୍ରାଙ୍କୁ ନେଇ ଗଠିତ ତିନି ଜଣିଆ ଖଣ୍ଡପୀଠ ମଦ୍ରାସା ଅଧିନିୟମ ଉପରେ କରିଥିବା ଶୁଣାଣିର ରାୟ ଆଜି ପ୍ରକାଶ ପାଇଛି । ଅକ୍ଟୋବର 22ରେ ଶୁଣାଣି କରି ରାୟକୁ ସୁରକ୍ଷିତ ରଖିଥିଲେ ଅଦାଲତ । ରାଜ୍ୟରେ ମଦ୍ରାସା ଚାଲି ପାରିବ ବୋଲି ଖଣ୍ଡପୀଠ ନିଜ ରାୟରେ କହିଛନ୍ତି । ଆହ୍ଲାବାଦ ହାଇକୋର୍ଟ ଦେଇଥିବା ରାୟ ଠିକ୍ ନୁହେଁ ବୋଲି କହିଛନ୍ତି ଖଣ୍ଡପୀଠ । ଏହା ସହିତ ମଦ୍ରାସା ଆଇନକୁ ଠିକ୍ ବୋଲି କହିଛନ୍ତି ।
ଖଣ୍ଡପୀଠ ତାଙ୍କ ରାୟରେ କହିଛନ୍ତି ଯେ ସମସ୍ତ ମଦ୍ରାସା ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ସାର୍ଟିଫିକେଟ୍ ଦେଇପାରିବେ । କିନ୍ତୁ ଏହା ପରେ ତାଲିମ ସାର୍ଟିଫିକେଟ୍ ଦେବାର ଅଧିକାର ମଦ୍ରାସା ପାଖରେ ରହିବ ନାହିଁ । ଏହାର ଅର୍ଥ ୟୁପିରେ ଥିବା ମଦ୍ରାସା ପିଲାମାନଙ୍କୁ କାମିଲ ଏବଂ ଫାଜିଲର ଡିଗ୍ରୀ ସାର୍ଟିଫିକେଟ୍ ଦେଇ ପାରିବେ ନାହିଁ । ପୂର୍ବରୁ ମଦ୍ରାସା ଗୁଡ଼ିକ କାମିଲ (ଅଣ୍ଡର ଗ୍ରାଜୁଏଟ୍) ଏବଂ ଫାଜିଲ ( ପୋଷ୍ଟ ଗ୍ରାଜୁଏଟ) ଡିଗ୍ରୀ ପ୍ରଦାନ କରୁଥିଲେ । ଏମିତିକି କାରୀ (ଡିପ୍ଲୋମା) ମଧ୍ୟ କରାଯାଉଥିଲା । ବୋର୍ଡ ମୁଂଶୀ ଓ ମୌଲବୀ (10ମ ଶ୍ରେଣୀ) ଓ ଆଲିସ (ଦ୍ୱାଦଶ ଶ୍ରେଣୀ) ପରୀକ୍ଷା ମଧ୍ୟ କରାଉଥିଲେ ।
ସୁପ୍ରିମକୋର୍ଟଙ୍କ ଏହି ରାୟ ଉତ୍ତର ପ୍ରଦେଶରେ ଥିବା 16,000 ମାଦ୍ରାସାକୁ ଆଶ୍ୱସ୍ତି ଦେଇଛି । ଫଳରେ ଉତ୍ତର ପ୍ରଦେଶରେ ଏବେ ମଦ୍ରାସା ଚାଲିପାରିବ । ରାଜ୍ୟରେ 23,500 ମଦ୍ରାସା ରହିଛି । ସେଥିରୁ ପଞ୍ଜିକୃତ 16,513ଟି ମାନ୍ୟତା ପ୍ରାପ୍ତ ଅଟେ । ଏତଦ ବ୍ୟତୀତ 8000 ବେଆଇନଭାବେ ଚାଲିଛି । 560 ମଦ୍ରାସା ସରକାରୀ ଦ୍ୱାରା ସଞ୍ଚାଳନ କରାଯାଉଛି ।
ମଦ୍ରାସା ଆଇନକୁ ବିରୋଧ କରି ଅଂଶୁମାନ ସିଂହ ରାଠୋର ନାମକ ଜଣେ ବ୍ୟକ୍ତି ଆହ୍ଲାବାଦ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ହାଇକୋର୍ଟ 22 ମାର୍ଚ୍ଚରେ ଶୁଣାଣୀ କରି ଉତ୍ତର ପ୍ରଦେଶ ମଦ୍ରାସା ପରିଷଦ ଅଧିନିୟମ 2004କୁ ଅସାମ୍ବିଧାନିକ ବୋଲି ରାୟ ଦେଇଥିଲେ । ମଦ୍ରାସାକୁ ସରକାରୀ ବିଦ୍ୟାଳୟରେ ସାମିଲ କରିବାକୁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଥିଲେ । କୋର୍ଟ କହିଥିଲେ ଯେ ଏହି ଆଇନ ଧର୍ମନିରପେକ୍ଷର ଉଲ୍ଲଂଘନ କରୁଛି । ବିଶେଷ ଧର୍ମ ପାଇଁ ସ୍କୁଲ ବୋର୍ଡ ତିଆରି କରିବା ରାଜ୍ୟ ସରକାର ଅଧିକାର ନାହିଁ ବୋଲି ହାଇକୋର୍ଟ କହିଥିଲେ ।