ଶ୍ରୀନଗର: ଜମ୍ମୁ-କାଶ୍ମୀରର ପହଲଗାମରେ ଆତଙ୍କବାଦୀ ଆକ୍ରମଣ ଘଟଣା ପରେ ପାକିସ୍ତାନ ପୁଣି ଥରେ ଏକ ବିଫଳ ପ୍ରୟାସ କରିଛି। ଏବେ ଆତଙ୍କବାଦୀମାନେ ଉରିରେ ଅନୁପ୍ରବେଶ କରିବାକୁ ଚେଷ୍ଟା କରିଛନ୍ତି। ଭାରତୀୟ ସେନା ଏହାକୁ ପଣ୍ଡ କରିଦେଇଛି। ସେନାର ଯବାନଙ୍କ ଗୁଳିରେ ୨ ଜଣ ଆତଙ୍କବାଦୀ ନିପାତ ହୋଇଛନ୍ତି।
ରିପୋର୍ଟ ଅନୁଯାୟୀ, ଉରିର ନାଲାରେ ସରଜୀବନ ଅଞ୍ଚଳ ନିକଟରେ ୨-୩ ଜଣ ଆତଙ୍କବାଦୀ ଅନୁପ୍ରବେଶ କରିବାକୁ ଚେଷ୍ଟା କରିଥିଲେ। ସେଠାରେ ନିୟୋଜିତ ସୈନିକମାନେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲେ। ଆତଙ୍କବାଦୀମାନେ ଛତ୍ରଭଙ୍ଗ ଦେଇଥିବା ବେଳେ ସେନାର ଯବାନମାନେ ସର୍ଚ୍ଚଅପରେସନ୍ ଜାରି ରଖିଛନ୍ତି। ପରେ ଫେରାର ଆତଙ୍କବାଦୀମାନେ ସେନା ମୁହଁରେ ବର୍ତ୍ତି ପାରି ନଥିଲେ। ଯବାନଙ୍କ ଗୁଳିରେ ୨ ଜଣ ଆତଙ୍କବାଦୀ ନିପାତ ହୋଇଥିଲେ।
ଜମ୍ମୁ-କାଶ୍ମୀରର ବାରାମୁଲ୍ଲା ଜିଲ୍ଲାର ଉରିରେ ପୁଣି ଥରେ ଅନୁପ୍ରବେଶ ଉଦ୍ୟମ ହୋଇଛି। ଚିନାର କର୍ପସ ‘ଏକ୍ସ’ରେ ଏ ବିଷୟରେ ସୂଚନା ସେୟାର କରିଛି। ବୁଧବାର ଦିନ, ବାରମୁଲାର ଉରି ନାଲାର ସରଜୀବନ ଅଞ୍ଚଳ ନିକଟରେ ଅନୁପ୍ରବେଶ କରିବାକୁ ଚେଷ୍ଟା କରୁଥିବା ପ୍ରାୟ ୨-୩ଜଣ ଆତଙ୍କବାଦୀଙ୍କୁ ଧରାଯାଇଥିଲା। ନିୟନ୍ତ୍ରଣ ରେଖାରେ ନିୟୋଜିତ ସତର୍କ ସୈନିକମାନେ ସେମାନଙ୍କୁ ଚ୍ୟାଲେଞ୍ଜ କରି ଅଟକାଇବାକୁ ଚେଷ୍ଟା କରିଥିଲେ, ଯାହା ଫଳରେ ଗୁଳି ବିନିମୟ ମଧ୍ୟ ହୋଇଥିଲା।
ଅନନ୍ତନାଗ ଜିଲ୍ଲାର ପହଲଗାମରେ ମଙ୍ଗଳବାର ଅପରାହ୍ଣରେ ଆତଙ୍କବାଦୀମାନେ ପର୍ଯ୍ୟଟକଙ୍କୁ ଟାର୍ଗେଟ କରିଥିଲେ। ଆତଙ୍କବାଦୀମାନେ ବୈସାରନ ଘାଟି ନିକଟରେ ଅପରାହ୍ନ ପ୍ରାୟ ୨.୩୦ ସମୟରେ ଆକ୍ରମଣ କରିଥିଲେ। ଏହି ଆକ୍ରମଣରେ ୨୮ ଜଣଙ୍କର ମୃତ୍ୟୁ ହୋଇଛି। ଆତଙ୍କବାଦୀମାନେ ୟୁନିଫର୍ମ ପିନ୍ଧି ଆସିଥିଲେ। ସେମାନେ ପର୍ଯ୍ୟଟକଙ୍କୁ ଗୁଳି କରିବା ପୂର୍ବରୁ ସେମାନଙ୍କ ଧର୍ମ ବିଷୟରେ ପଚାରିଥିଲେ। ଆକ୍ରମଣରେ ମୃତକଙ୍କ ମଧ୍ୟରେ ଦୁଇଜଣ ବିଦେଶୀ ମଧ୍ୟ ଅଛନ୍ତି। ଆକ୍ରମଣ ପରେ, ସୁରକ୍ଷା ଏଜେନ୍ସିଗୁଡ଼ିକ ତଦନ୍ତକୁ ଜୋରଦାର କରିଛନ୍ତି। ଏହି ଆକ୍ରମଣରେ ସମ୍ପୃକ୍ତ ଆତଙ୍କବାଦୀଙ୍କୁ ଖୋଜା ଚାଲିଛି।
ଅଧିକ ପଢ଼ନ୍ତୁ: ପରିବାର ସହିତ ତାଜମହଲ ପରିଦର୍ଶନ କରିବେ ଆମେରିକାର ଉପରାଷ୍ଟ୍ରପତି