ନୂଆଦିଲ୍ଲୀ: ସୁପ୍ରିମକୋର୍ଟ ମଙ୍ଗଳବାର ସଂସଦ ଓ ଅନ୍ୟ ସାର୍ବଜନୀନ ସ୍ଥାନରୁ ବିନାୟକ ଦାମୋଦର ସାଭରକରଙ୍କ ଫଟୋ ହଟାଇବା ଦାବିରେ ଦାୟର ଜନସ୍ୱାର୍ଥ ଯାଚିକାର ଶୁଣାଣି କରିବାକୁ ମନା କରି ଦେଇଛନ୍ତି । ସୁପ୍ରିମକୋର୍ଟ ଏହି ପିଟିସନ ଦାୟର କରିଥିବା ପୂର୍ବତନ ଅଧିକାରୀଙ୍କ ଉପରେ ଅସନ୍ତୋଷ ପ୍ରକାଶ କରିବା ସହ ମୋଟା ଅଙ୍କର ଜରିମାନା ଲଗାଇବାକୁ ଚେତାବନୀ ଦେଇଛନ୍ତି । ସୁପ୍ରିମକୋର୍ଟ କହିଛନ୍ତି, ଏହି ଧରଣର ପିଟିସନର କୌଣସି ମୂଲ୍ୟ ହିଁ ନାହିଁ ।
ପ୍ରଧାନ ବିଚାରପତି ସୂର୍ଯ୍ୟକାନ୍ତ, ବିଚାରପତି ଜୟମାଲା ବାଗଚୀ ଓ ବିଚାରପତି ବିପୁଲ ଏମ ପାଞ୍ଚୋଲିଙ୍କ ପୀଠ ଅବସରପ୍ରାପ୍ତ ଆଇଆରଏସ ଅଧିକାରୀଙ୍କୁ ଏହି ଧରଣର ଯାଚିକା ଦାୟର କରିବା ନେଇ ଚେତାବନୀ ଦେଇଛନ୍ତି । ସୁପ୍ରିମକୋର୍ଟ କହିଛନ୍ତି, ଅଦାଲତର ସମୟ ବରବାଦ କରିବା ପାଇଁ ମୋଟା ଅଙ୍କର ଜରିମାନା ଲଗାଯାଇପାରେ । ଏହି ଧରଣର କିଛି ପିଟିସନ ବ୍ୟକ୍ତିଙ୍କ ମାନସିକତାକୁ ଦର୍ଶାଇଥାଏ ।
ଯାଚିକାରେ କଣ ରହିଛି ?
ବାଲମୁରୁଗନ ନିଜର ଜନସ୍ୱାର୍ଥ ଯାଚିକାରେ ସଂସଦର କେନ୍ଦ୍ରୀୟ କକ୍ଷ ଓ ଅନ୍ୟ ସାର୍ବଜନୀନ ସ୍ଥାନରୁ ସାଭରକରଙ୍କ ଫଟୋ ହଟାଇବା ପାଇଁ ନିର୍ଦ୍ଦେଶ ଦେବାକୁ ଅନୁରୋଧ କରିଥିଲେ । ଏହା ବ୍ୟତୀତ ଯାଚିକାରେ ଏହି ନିର୍ଦ୍ଦେଶ ଦେବାକୁ ଅନୁରୋଧ କରାଯାଇଛି ଯେ, ସରକାର ହତ୍ୟା କିମ୍ବା ଦେଶ ବିରୋଧୀ ଗତିବିଧିରେ ସାମିଲ ବ୍ୟକ୍ତିଙ୍କୁ ସେ ପର୍ଯ୍ୟନ୍ତ ସମ୍ମାନ ନ ଦିଅନ୍ତୁ ଯେ ପର୍ଯ୍ୟନ୍ତ ସେମାନେ ନିର୍ଦ୍ଦୋଷରେ ଖଲାସ ହୋଇ ନାହାନ୍ତି । ଏହି ଯାଚିକାକୁ ସଂପୂର୍ଣ୍ଣ ଖାରଜ କରିବା ସହ ଶୁଣାଣି କରିବାକୁ ମନା କରି ଦେଇଛନ୍ତି ସର୍ବୋଚ୍ଚ ନ୍ୟାୟାଳୟ ।
Also read: ଇରାନ ଓ ଆମେରିକା ଲଢେଇରେ ଆଲର୍ଟ ହେଲା ଇସ୍ରାଏଲ, ଆଇରନ ଡୋମକୁ କଲା ଆକ୍ଟିଭ