ନୂଆଦିଲ୍ଲୀ: ଆସାମର ସୋନାପୁରରେ ବେଆଇନ ନିର୍ମାଣ ଉପରେ ବୁଲଡୋଜର ଆକ୍ସନ ଉପରେ ସୁପ୍ରିମକୋର୍ଟ ରୋକ୍ ଲଗାଇଛନ୍ତି । ଏହା ବ୍ୟତୀତ ସେଠାରେ ବସବାସ କରୁଥିବା ଲୋକଙ୍କ ସ୍ଥାନାନ୍ତର ଉପରେ ମଧ୍ୟ ସର୍ବୋଚ୍ଚ ନ୍ୟାୟାଳୟ ରୋକ୍ ଲଗାଇଛନ୍ତି । ଜଷ୍ଟିସ ବିୱାଇ ଗବଇ ଓ ଜଷ୍ଟିସ କେଭି ବିଶ୍ୱନାଥନଙ୍କ ପୀଠ ସୋମବାର ଆସାମ ସରକାରଙ୍କୁ ନୋଟିସ ଜାରି କରି ତିନି ସପ୍ତାହ ଭିତରେ ଜବାବ ମାଗିଛନ୍ତି ।
ସୁପ୍ରିମକୋର୍ଟ ଗତ ଦିନରେ ଅକ୍ଟୋବର ୧ ତାରିଖ ପର୍ଯ୍ୟନ୍ତ ବୁଲଡୋଜର ଆକ୍ସନ ଉପରେ କଟକଣା ଲଗାଇଥିଲେ । ଏହା ସତ୍ତ୍ୱେ ବି ଆସାମରେ ବୁଲଡୋଜର କାର୍ଯ୍ୟାନୁଷ୍ଠାନ ହେବାରୁ ଏହାର ବିରୋଧରେ ସୁପ୍ରିମକୋର୍ଟରେ ଆବେଦନ କରାଯାଇଥିଲା । ଏଥିରେ ଅଭିଯୋଗ ହୋଇଛି ଯେ, ଆସାମ ସରକାର ସୁପ୍ରିମକୋର୍ଟଙ୍କ ଅବମାନନା କରିଛନ୍ତି । ଏହା ଉପରେ ଶୁଣାଣୀ କରି କୋର୍ଟ ଆସାମ ସରକାରଙ୍କୁ ନୋଟିସ୍ ଜାରି କରିଛନ୍ତି ।
ଉଚ୍ଚତମ ନ୍ୟାୟାଳୟରେ ସେହି ୪୮ ଜଣଙ୍କ ପକ୍ଷରୁ ଯାଚିକା ଦାୟର କରାଯାଇଛି, ଯାହାଙ୍କ ଉପରେ ଆସାମ ସରକାର ବୁଲଡୋଜର କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିଥିଲେ । ଏମାନେ ସମସ୍ତେ ବେଆଇନ ନିର୍ମାଣ କରିଥିବା ଅଭିଯୋଗ ହୋଇଛି । ସେମାନେ ନିଜର ଆବେଦନରେ କହିଛନ୍ତି ଯେ, ସୁପ୍ରିମକୋର୍ଟ ଯେବେ ଅକ୍ଟୋବର ୧ ତାରିଖ ପର୍ଯ୍ୟନ୍ତ ବୁଲଡଜୋର ଆକ୍ସନ ଉପରେ ରୋକ୍ ଲଗାଇଛନ୍ତି ତେବେ ଏହି କାର୍ଯ୍ୟାନୁଷ୍ଠାନ କଣ ପାଇଁ ନିଆଯାଉଛି । ଏମିତି କରିବା ଏକ ପ୍ରକାର ଅଦାଲତଙ୍କ ଅବମାନନା । ଏହା ଉପରେ ସୁପ୍ରିମକୋର୍ଟ ଆସାମ ସରକାରଙ୍କୁ ତିନି ସପ୍ତାହ ଭିତରେ ଜବାବ ଦେବାକୁ କହିଛନ୍ତି । ସେ ପର୍ଯ୍ୟନ୍ତ କାର୍ଯ୍ୟାନୁଷ୍ଠାନ ଉପରେ ରୋକ୍ ଲଗାଇବାକୁ ନିର୍ଦ୍ଦେଶ ଦେଇଛନ୍ତି ସର୍ବୋଚ୍ଚ ନ୍ୟାୟାଳୟ ।
ସୂଚନାଯୋଗ୍ୟ, ଏହା ପୂର୍ବରୁ ସୁପ୍ରିମକୋର୍ଟ ସେପ୍ଟେମ୍ବର ୧୭ ତାରିଖରେ କହିଥିଲେ ଯେ, କୋର୍ଟଙ୍କ ବିନା ଅନୁମତିରେ କାହାରି ଘର ଉପରେ ବୁଲଡଜୋର ଚାଲି ପାରିବ ନାହିଁ । ଖଣ୍ଡପୀଠ ଏହା ମଧ୍ୟ କହିଥିଲେ ଯେ, ଯଦି ରାସ୍ତା, ରେଳ ଲାଇନ ଓ ଅନ୍ୟ ସାର୍ବଜନୀଣ ସ୍ଥାନରେ ବେଆଇନ ନିର୍ମାଣ କରାଯାଇଥିବା ତାହା ଉପରେ କାର୍ଯ୍ୟାନୁଷ୍ଠାନ ନେବା ପାଇଁ କୋର୍ଟଙ୍କ ଅନୁମତି ଆବଶ୍ୟକ ନାହିଁ ।