ନୂଆଦିଲ୍ଲୀ: ଭାରତର ଜାତୀୟ ସୁରକ୍ଷା ପରାମର୍ଶଦାତା(ଏନଏସଏ) ଅଜିତ ଡୋଭାଲ ପାକିସ୍ତାନର ଅସଲ ମୁଖା ଖୋଲିଛନ୍ତି । ଶୁକ୍ରବାର ଏକ କାର୍ଯ୍ୟକ୍ରମରେ ଡୋଭାଲ ସ୍ପଷ୍ଟ କରିଛନ୍ତି ଯେ, ଅପରେସନ ସିନ୍ଦୂର ସମୟରେ ଭାରତର କୌଣସି କ୍ଷତି ଘଟି ନାହିଁ । ଅନ୍ୟପଟେ ଆତଙ୍କବାଦୀ କେନ୍ଦ୍ର ଉପରେ ସଠିକ୍ ହମଲା କରାଯାଇଛି । ଏପ୍ରିଲ ୨୨ରେ ପହଲଗାମ ଆତଙ୍କୀ ହମଲା ପରେ ଭାରତ ମେ ୭ ତାରିଖ ବିଳମ୍ବିତ ରାତ୍ରିରେ ଅପରେସନ ସିନ୍ଦୂର ଜରିଆରେ ପାକିସ୍ତାନର ୯ ଆତଙ୍କୀ ଆଡ୍ଡା ଉପରେ ଏୟାରଷ୍ଟ୍ରାଇକ କରି ଧ୍ୱସ୍ତ କରିଥିଲା ।
ଆଇଆଇଟି ମାଦ୍ରାସର ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ ଡୋଭାଲ କହିଛନ୍ତି ପୂରା ଅପରେସନ ୨୩ ମିନିଟ୍ ଲାଗିଥିଲା । ଆପଣ ମୋତେ ଗୋଟିଏ ବି ଫଟୋ ଦେଖାଇ ଦିଅନ୍ତୁ ଯେଉଁଠି ଭାରତର କେଉଁଠି ବି କୌଣସି କ୍ଷତି ଘଟିଛି । ସେହି ଲୋକ ଲେଖୁଛନ୍ତି ନ୍ୟୁୟର୍କ ଟାଇମ୍ସ..., ମାତ୍ର ଫଟୋ ଦର୍ଶାଉଛି ଯେ, ଏହା ମେ ୧୦ ତାରିଖ ପୂର୍ବର ଏବଂ ପରେ ପାକିସ୍ତାନରେ ୧୩ ଏୟାରବେସର ସ୍ଥିତି କଣ ଥିଲା ।
ଡୋଭାଲ କହିଛନ୍ତି, ଆମକୁ ନିଜର ସ୍ୱଦେଶୀ ଜ୍ଞାନକୌଶଳ ବିକଶିତ କରିବାର ଆବଶ୍ୟକତା ରହିଛି । ଆମେ ବହୁତ ଗର୍ବିତ ଯେ, ଅପରେସନ ସିନ୍ଦୂର ସମୟରେ ବହୁତ ଯୁଦ୍ଧାସ୍ତ୍ର ସ୍ୱଦେଶ ଉପକରଣରେ ତିଆରି ହୋଇଥିଲା । ବ୍ରହ୍ମୋସଠୁ ନେଇ ରାଡାର ପର୍ଯ୍ୟନ୍ତ ଆମେ ସଂପୂର୍ଣ୍ଣ ଭାରତୀୟ ସାମଗ୍ରୀ ବ୍ୟବହାର କରିଥିଲୁ । ଆମେ ପାକିସ୍ତାନର ୯ଟି ଆତଙ୍କୀ କେନ୍ଦ୍ରକୁ ଟାର୍ଗେଟ୍ କରିବାକିୁ ନିଷ୍ପତ୍ତି ନେଇଥିଲୁ । ଆଉ ଆମେ ଗୋଟିଏ ବି ଲକ୍ଷ୍ୟଚ୍ୟୁତ ହୋଇନୁ । ଆମେ ସେଠାରେ ଅନେକ ଅଞ୍ଚଳରେ ହମଲା କରିଥିଲୁ ବୋଲି ଡୋଭାଲ କାର୍ଯ୍ୟକ୍ରମରେ କହିଛନ୍ତି ।