ନୂଆଦିଲ୍ଲୀ: ଗୁଜରାଟର ବଡୋଦରା ଜିଲ୍ଲାରେ ମହିସାଗର ନଦୀର ବ୍ରିଜ ଭାଙ୍ଗିବା ଘଟଣାରେ ଉଦ୍ଧାରକାର୍ଯ୍ୟ ଏବେ ମଧ୍ୟ ଜାରି ରହିଛି । ଘଟଣାରେ ୧୦ରୁ ଉର୍ଦ୍ଧ୍ୱ ଲୋକଙ୍କ ମୃତ୍ୟୁ ଘଟିଛି । ଏହା ମଧ୍ୟରେ କେନ୍ଦ୍ର ସଡକ ପରିବହନ ଓ ରାଜମାର୍ଗ ମନ୍ତ୍ରୀ ନୀତିନ ଗଡକରୀଙ୍କ ବଡ ପ୍ରତିକ୍ରିୟା ସମ୍ନାକୁ ଆସିଛି । ସେ କହିଛନ୍ତି, କାମରେ ଅବହେଳା କରିଥିବା ଅଧିକାରୀ ଓ ଠିକାଦାରଙ୍କୁ କଦାପି ଛାଡିବି ନାହିଁ । ସେମାନଙ୍କ ପଛରେ ଲାଗି ରହିବି । ଜାଣିଶୁଣି ଭୁଲ୍ କରୁଥିବା ଏହି ଲୋକଙ୍କୁ ଗୁଳି କରି ଦେବା ଉଚିତ୍ ।
ଗଡକରୀ କହିଛନ୍ତି, ଦୁର୍ଘଟଣା ଘଟିବା ଭିନ୍ନ କଥା ଏବଂ ଯେଉଁମାନେ କାମ ସମୟରେ ବେଇମାନୀ କରୁଛନ୍ତି ତାହା ଅଲଗା କଥା । ଯଦି ଭୁଲ ଜାଣିଶୁଣି କରାଯାଇନି ତେବେ କ୍ଷମା କରି ଦେବା ଉଚିତ୍ । ମାତ୍ର ଭୁଲ୍ ଯଦି ଜାଣିଶୁଣି କରାଯାଇଛି ତେବେ ଗୁଳି କରି ଦେବା ଉଚିତ୍ । ଆଜତକ ସହ ଆଲୋଚନା ବେଳେ ଗଡକରୀ ଉପରୋକ୍ତ ଟିପ୍ପଣୀ କରିଛନ୍ତି ।
ସେ କହିଛନ୍ତି, ଯଦି ରାସ୍ତା କାମରେ କୌଣସି ତ୍ରୁଟି ହେଉଥିବା ଜଣା ପଡୁଛି ତେବେ ମୁଁ କଦାପି ଉକ୍ତ ଠିକାଦାର ଓ ଅଧିକାରୀଙ୍କୁ ଛାଡୁନି । ଏବେ ମୋର ଲକ୍ଷ୍ୟ ୭ ବିଶ୍ୱ ରେକର୍ଡ କରିବା । ଏବେ ମୁଁ ଠିକାଦାର ଓ ଅଧିକାରୀଙ୍କ ପଛରେ ଲାଗିବି । ଏହା ମୋର ଦେଶର ସଂପତ୍ତି, ଏହା ସହିତ ମୁଁ ସାଲିସ କରି ପାରିବି ନାହିଁ । ପ୍ରତିଟି ରାସ୍ତାରେ ମୋର ଘରର କାନ୍ଥ ରହିଛି । ଯେତିକି ଚିନ୍ତା ମୋ ନିଜ ଘରକୁ ନେଇ, ସେତିିକି ଚିନ୍ତା ରାସ୍ତାକୁ ନେଇ ମଧ୍ୟ ରହିଛି । ତା ସହ ସାଲିସ କରି ପାରିବି ନାହିଁ ।
ସୂଚନାଯୋଗ୍ୟ, ମହିସାଗର ନଦୀର ପୋଲ ଭୁଶୁଡିବା ଘଟଣାରେ ମୃତକଙ୍କ ସଂଖ୍ୟା ୧୮କୁ ବୃଦ୍ଧି ଘଟିଛି । ରାତି ସମୟକୁ ବାଦ୍ ଦେଲେ ବାକି ସମୟରେ ସର୍ଚ୍ଚ ଅପରେସନ ଏବେ ବି ଜାରି ରହିଛି । କାରଣ ଏବେ ବି ଦୁଇ ଜଣ ନିଖୋଜ ଅଛନ୍ତି । ବୁଧବାର ସକାଳେ ପାଦରା ଟାଉନ ନିକଟ ଗମ୍ଭୀରା ଗାଁ ନିକଟସ୍ଥ ଚାରି ଦଶନ୍ଧି ପୁରୁଣା ପୋଲର ଏକ ଅଂଶ ଭୁଶୁଡି ପଡିଥିଲା । ଏଥିରେ ଅନେକ ଗାଡି ମହିସାଗର ନଦୀରେ ଖସି ପଡିଥିଲା । ଏହି ପୋଲ ଆଣନ୍ଦ ଓ ବଡୋଦରା ଜିଲ୍ଲାକୁ ସଂଯୋଗ କରୁଛି ।