ପୁଣେ: ମହାରାଷ୍ଟ୍ରର ପୁଣେରେ ଏକ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଛି। ବାୱଧନ ବୁଦ୍ରୁକ ଗାଁ ନିକଟରେ ହୋଇଥିବା ଏହି ଦୁର୍ଘଟଣାରେ ୩ ଜଣଙ୍କ ମୃତ୍ୟୁ ଘଟିଛି। ଏନେଇ ଗ୍ରାମବାସୀ ହିଞ୍ଜେବାଡ଼ି ପୁଲିସ କଣ୍ଟ୍ରୋଲ ରୁମକୁ ଖବର ଦେଇଥିଲେ। ପୁଲିସ ଓ ଡାକ୍ତରୀ ଟିମ୍ ଘଟଣାସ୍ଥଳରେ ପହଞ୍ଚିଛି।
ଅକ୍ସଫୋର୍ଡ ଗଲ୍ଫ କ୍ଲବର ହେଲିପ୍ୟାଡରୁ ଉଡ଼ାଣ ଭରିବାର କିଛି ସମୟ ପରେ ହେଲିକପ୍ଟରଟି ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ସକାଳ ୭ଟାରୁ ୭ଟା ୧୦ ମଧ୍ୟରେ ଏହି ଘଟଣା ଘଟିଛି। ଏହି ଅଞ୍ଚଳରେ ଘନ କୁହୁଡ଼ି ଯୋଗୁଁ ଦୁର୍ଘଟଣା ଘଟିବାର ସମ୍ଭାବନା ରହିଛି। ତେବେ ଦୁର୍ଘଟଣାର ପ୍ରକୃତ ବିବରଣୀ ଜାଣିବା ପାଇଁ ସରକାରୀ ତଦନ୍ତ ଜାରି ରହିଛି। ଘଟଣାସ୍ଥଳରେ ଜରୁରୀକାଳୀନ ସେବା ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରହିଛି। ହିଞ୍ଜେଓ୍ଵାଡି ଥାନା (ପିମ୍ପରୀ ଚିଞ୍ଚୱାଡ ପୋଲିସ) ଏବଂ ବିମାନ ଚଳାଚଳ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚିଛନ୍ତି।
ଗଣମାଧ୍ୟମର ରିପୋର୍ଟ ଅନୁସାରେ ପୁଣେ ଆକାଶ ଦେଇ ଯାଉଥିବା ହେଲିକପ୍ଟରରେ ଅଚାନକ ଯାନ୍ତ୍ରିକ ତୃଟି ଦେଖାଯାଇଥିଲା। ଆକାଶରେ ଉଡୁଥିବା ହେଲିକପ୍ଟରଟି ତଳେ ପଡ଼ି ଯାଇଥିଲା। ଏହା ପରେ ଅଗ୍ନିକାଣ୍ଡ ହୋଇଥିଲା। ସ୍ଥାନୀୟ ଲୋକେ ଘଟଣା ସଂପର୍କରେ ହିଞ୍ଜେବାଡ଼ି ପୁଲିସ କଣ୍ଟ୍ରୋଲ ରୁମ୍କୁ ସୂଚନା ଦେଇଥିଲେ।
ସ୍ଥାନୀୟ ଲୋକଙ୍କର ସୂଚନା ଆଧାରରେ ପୁଲିସ ଓ ଡାକ୍ତରୀ ଦଳ ଘଟଣାସ୍ଥଳରେ ପହଞ୍ଚିଛନ୍ତି। ତେବେ ହେଲିକପ୍ଟରଟି କେଉଁଠାରୁ କେଉଁଠିକୁ ଯାଉଥିବା ସେନେଇ ରିପୋର୍ଟ ଲେଖାଯିବା ବେଳକୁ ଜଣାପଡ଼ି ନାହିଁ। ସେହିପରି ଦୁର୍ଘଟଣାର କାରଣ ଜଣାପଡ଼ି ନାହିଁ। କିନ୍ତୁ ଯାନ୍ତ୍ରିକ ତୃଟି ପାଇଁ ଏହି ଅଘଟଣ ଘଟିଥାଇ ପାରେ ବୋଲି ଅନୁମାନ କରାଯାଉଛି।
ଅଧିକ ପଢ଼ନ୍ତୁ: ଗାନ୍ଧିଜୀଙ୍କ ଶିକ୍ଷା ଆମକୁ ଶାନ୍ତି ଓ ସହଯୋଗ ରାସ୍ତାରେ ଚାଲିବାକୁ ପ୍ରେରଣା ଦେଉଛି