ନୂଆଦିଲ୍ଲୀ: ଲୋକସଭାରେ ପ୍ରବଳ ହଟ୍ଟଗୋଳ କାରଣରୁ ଆଜି ବି ଗୃହ ମୁଲତବୀ ଘୋଷଣା କରାଯାଇଛି । ଏହା ସହିତ ସ୍ପଷ୍ଟ ହୋଇ ଯାଇଛି ଯେ, ଲୋକସଭାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରାଷ୍ଟ୍ରପତିଙ୍କ ଅଭିଭାଷଣ ଉପରେ ଚର୍ଚ୍ଚାରେ ଭାଷଣ ଦେବେ ନାହିଁ । ପିଏମ ମୋଦୀ ରାଷ୍ଟ୍ରପତିଙ୍କ ଅଭିଭାଷଣ ଉପରେ ହୋଇଥିବା ଚର୍ଚ୍ଚାର ଜବାବ ଦେବାକୁ ଯାଉଥିଲେ, ମାତ୍ର କଂଗ୍ରେସ ସମେତ ବିରୋଧୀ ସାଂସଦଙ୍କ ପ୍ରବଳ ହଟ୍ଟଗୋଳ ଓ ହଙ୍ଗାମା କାରଣରୁ ଗୃହକାର୍ଯ୍ୟ ସ୍ଥଗିତ ରଖିବାକୁ ପଡିଛି ।
ଏବେ ପ୍ରଧାନମନ୍ତ୍ରୀଙ୍କ ଭାଷଣ ବିନା ହିଁ ରାଷ୍ଟ୍ରପତିଙ୍କ ଅଭିଭାଷଣ ଉପରେ ଧନ୍ୟବାଦ ପ୍ରସ୍ତାବକୁ ମଞ୍ଜୁରୀ ଦିଆଯାଇଛି । ୨୦୦୪ ପରେ ଏମିତି ପ୍ରଥମ ଥର ଘଟିଛି । ୨୦୦୪ରେ ତତ୍କାଳୀନ ପିଏମ ମନମୋହନ ସିଂ ମଧ୍ୟ ନିଜର ଭାଷଣ ଦେଇ ପାରି ନ ଥିଲେ । ଏଥର ମୋଟ୍ ତିନି ଜଣ ସାଂସଦ ହିଁ ରାଷ୍ଟ୍ରପତିଙ୍କ ଅଭିଭାଷଣ ଉପରେ ନିଜର ଭାଷଣ ପୂରା କରି ପାରିଛନ୍ତି ।
ଋାଷ୍ଟ୍ରପତିଙ୍କ ପକ୍ଷରୁ ସଂସଦର ମିଳିତ ଅଧିବେଶନକୁ ସମ୍ବୋଧିତ କରାଯାଏ । ପୁଣି ଏହା ଉପରେ ଗୃହରେ ଆଲୋଚନା ହୁଏ । ଶେଷରେ ପିଏମଙ୍କ ଜବାବ ଦେବାର ପରମ୍ପରା ରହିଥାଏ । ମାତ୍ର ୨୦୦୪ ପରେ ଏମିତି ପ୍ରଥମ ଥର ଘଟିଛି, ଯେଉଁଠି ପ୍ରଧାନମନ୍ତ୍ରୀଙ୍କ ବିନା ରାଷ୍ଟ୍ରପତିଙ୍କ ଅଭିଭାଷଣ ଉପରେ ଧନ୍ୟବାଦ ପ୍ରସ୍ତାବ ପାରିତ ହୋଇଛି ।
ଲୋକସଭା ବାଚସ୍ପତି ଓମ ବିର୍ଲା ଧନ୍ୟବାଦ ପ୍ରସ୍ତାବ ଉପରେ ବିରୋଧୀଙ୍କ ପ୍ରସ୍ତାବକୁ ଗୃହରେ ରଖିଥିଲେ, ଯାହାକୁ ଖାରଜ କରି ଦିଆଯାଇଛି । ଏହା ପରେ ବାଚସ୍ପତି ଧନ୍ୟବାଦ ପ୍ରସ୍ତାବକୁ ମତଦାନ ପାଇଁ ରଖିଥିଲେ, ଯାହା ଧ୍ୱନିମତରେ ପାରିତ କରାଯାଇଛି । ଏହି ସମୟରେ ବିରୋଧୀ ସାଂସଦ ଦ୍ୱାରା ନାରାବାଜି ଚାଲିଥିଲା ।
Also read: ପୁଣି ଶସ୍ତା ହେଲା ସୁନା-ରୁପା