ନୂଆଦିଲ୍ଲୀ: ମହାରାଷ୍ଟ୍ର ନଗର ନିଗମ ନିର୍ବାଚନରେ ବିଜେପି ଜବରଦସ୍ତ ବିଜୟ ହାସଲ କରିଛି । ଫଳାଫଳକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବଡ ବୟାନ ଦେଇଛନ୍ତି । ପିଏମ ମୋଦୀ ଏନଡିଏକୁ ଜିତାଇଥିବା ମହାରାଷ୍ଟ୍ର ଜନତାଙ୍କୁ କୃତଜ୍ଞତା ଜଣାଇଛନ୍ତି । ଏକ୍ସରେ ଜାରି ବୟାନରେ ପ୍ରଧାନମନ୍ତ୍ରୀ ଲେଖିଛନ୍ତି, ରାଜ୍ୟର ଉତ୍ସାହୀ ଜନତା ଏନଡିଏର ଜନକଲ୍ୟାଣକାରୀ ଓ ସୁଶାସନର ଏଜେଣ୍ଡାକୁ ନିଜର ଆଶୀର୍ବାଦ ଦେଇଛନ୍ତି ।
ସେ ଲେଖିଛନ୍ତି, ବିଭିନ୍ନ ମହାନଗର ପାଳିକା ନିର୍ବାଚନର ପରିଣାମ ଏହା ଦର୍ଶାଇ ଦେଇଛି ଯେ, ମହାରାଷ୍ଟ୍ର ଜନତାଙ୍କ ସହ ଏନଡିଏର ସଂପର୍କ ଆହୁରି ମଜବୁତ ହୋଇଛି । ଆମର ଅନୁଭବ ଓ ବିକାଶର ଦୃଷ୍ଟିକୋଣ ଜନତାଙ୍କୁ ପସନ୍ଦ ଆସିଛି । ମହାରାଷ୍ଟ୍ରର ସମସ୍ତ ଜନତାଙ୍କ ପ୍ରତି ହୃଦୟରୁ କୃତଜ୍ଞତା । ଏହି ନିର୍ଣ୍ଣୟ ପ୍ରଗତିକୁ ଆହୁରି ଗତି ଦେବ ।
ମୋଦୀ କହିଛନ୍ତି, ଆମର କାର୍ଯ୍ୟ ଏବଂ ବିକାଶର ଦୃଷ୍ଟିକୋଣ ଲୋକଙ୍କ ହୃଦୟ ଜିତି ପାରିଛି । ପୂରା ମହରାଷ୍ଟ୍ରର ଜନତା ମଧ୍ୟରେ ଅକଥ କାର୍ଯ୍ୟ କରିଥିବା ଏନଡିଏର ପ୍ରତିଟି କାର୍ଯ୍ୟକର୍ତ୍ତା ଉପରେ ବହୁତ ଗର୍ବିତ । ସେମାନେ ଆମ ମେଣ୍ଟ ପାଇଁ ବହୁତ କାମ କରିବା ସହ ସମୟ ଦେଇଛନ୍ତି । ବିରୋଧୀଙ୍କ ମିଥ୍ୟାକୁ ଦୃଢ ଜବାବ ଦେଇଛନ୍ତି ।
ସୂଚନାଯୋଗ୍ୟ, ବୃହନମୁମ୍ବାଇ ମହାନଗର ନିଗମ(ବିଏମସି)ର ୨୨୭ ସିଟରୁ ୨୧୦ ସିଟର ଟ୍ରେଣ୍ଡ ଆସି ସାରିଛି । ଏଥିରୁ ୯୦ ସିଟରେ ବିଜେପି ଆଗୁଆ ରହିଥିବା ବେଳେ ଏକନାଥ ସିନ୍ଦେଙ୍କ ଶିବସେନା ୨୮ ଆସନରେ ଆଗୁଆ ରହିଛି । ବିରୋଧୀ କଂଗ୍ରେସ, ଉଦ୍ଧବଙ୍କ ଶିବସେନାଙ୍କୁ ବଡ ଝଟକା ଲାଗିଛି ।
Also read: ଇଡି କେସରେ ଝଟକା ପରେ ଟିଏମସିକୁ ସୁପ୍ରିମକୋର୍ଟରୁ ଆଶ୍ୱସ୍ତି, ମୁକୁଲ ରୟଙ୍କ ବିଧାୟିକା ରଦ୍ଦ କରିବା ଉପରେ ରୋକ୍