ନୂଆଦିଲ୍ଲୀ: ଭାରତର ପରବର୍ତ୍ତୀ ଉପରାଷ୍ଟ୍ରପତି ନିର୍ବାଚନ ୨୦୨୫ ସେପ୍ଟେମ୍ବର ୯ ତାରିଖରେ ହେବ । ନିର୍ବାଚନ ଆୟୋଗ ଗୁରୁତାର ତାରିଖ ଘୋଷଣା କରିଥିଲେ । ଏଥିସହ ନିର୍ବାଚନ ମଣ୍ଡଳର ଗଠନ ହୋଇ ସାରିଛି । ଏହା ମଧ୍ୟରେ କଂଗ୍ରେସର ସାଂସଦ ତଥା ବରିଷ୍ଠ ନେତା ଶଶି ଥରୁର ଉପରାଷ୍ଟ୍ରପତି ନିର୍ବାଚନରେ ବିରୋଧୀଙ୍କ ପରାଜୟ ହେବ ବୋଲି କହିଛନ୍ତି । ଏଥିସହ କ୍ଷମତାସୀନ ଦଳ ଦ୍ୱାରା ଯିଏ ବି ପ୍ରାର୍ଥୀ ହବେ ସେ ହିଁ ଉପରାଷ୍ଟ୍ରପତି ହେବ ।
ଥରୁର ଗଣମାଧ୍ୟମ ପ୍ରତିନିଧିଙ୍କ ସହ ଆଲୋଚନା ବେଳେ କହିଛନ୍ତି ଯେ, ପରବର୍ତ୍ତୀ ଉପ ରଷ୍ଟ୍ରପତି କିଏ ହେବ ତାହା ଜଣା ପଡୁନି । ମାତ୍ର ଏହା ନିଶ୍ଚିତ ଯେ, କ୍ଷମତାସୀନ ପାର୍ଟି ଦ୍ୱାରା ଯିଏ ପ୍ରାର୍ଥୀ ହେବ ତାଙ୍କର ହିଁ ବିଜୟ ହେବ । କାରଣ ଏହି ନିର୍ବାଚନ କେବଳ ଲୋକସଭା ଓ ରାଜ୍ୟସଭାର ସଦସ୍ୟ ମିଶି କରିଥାନ୍ତି । ଏଥିପାଇଁ ଆମେ ପ୍ରଥମରୁ ଜାଣିଛୁ ଯେ, ବହୁମତ କାହା ପାଖରେ ରହିଛି । ଥରୁର କହିଛନ୍ତି, ରାଷ୍ଟ୍ରପତି ନିର୍ବାଚନ ତୁଳନାରେ ଉପରାଷ୍ଟ୍ରପତି ନିର୍ବାଚନରେ ରାଜ୍ୟ ବିଧାନସଭା ଅଂଶଗ୍ରହଣ କରେ ନାହିଁ, ଏଥିପାଇଁ ପରିଣାମ ନିଶ୍ଚିତ ହୋଇ ସାରିଛି ।
ନିର୍ବାଚନ ଆୟୋଗ ପକ୍ଷରୁ ପୂରା ସିଡ୍ୟୁଲ ଜାରି କରାଯାଇଥିଲା । ଏହାରି ଆଧାରରେ ଅଗଷ୍ଟ ୭ରେ ଉପରାଷ୍ଟ୍ରପତି ନିର୍ବାଚନ ପାଇଁ ଅଧିସୂଚନା ଜାରି କରାଯିବ । ନାମାଙ୍କନ ପତ୍ର ଦାଖଲ କରିବାର ଶେଷ ତାରିଖ ଅଗଷ୍ଟ ୨୧ । ଅଗଷ୍ଟ ୨୨ରେ ନାମାଙ୍କନ ପତ୍ର ଯାଞ୍ଚ ଏବଂ ୨୫ରେ ନାମାଙ୍କନ ପତ୍ର ପ୍ରତ୍ୟାହାରର ତାରିଖ ରହିଛି ।
ଯଦି ଏକରୁୁ ଅଧିକ ପ୍ରାର୍ଥୀଙ୍କ ନାମାଙ୍କନ ହୁଏ ତେବେ ନିର୍ବାଚନ ଅନୁଷ୍ଠିତ । ଏମିତି ସ୍ଥିତିରେ ସେପ୍ଟେମ୍ବର ୯ରେ ମତଦାନ କରାଯିବ । ଏହି ଦିନ ପୂର୍ବାହ୍ଣ ୧୦ଟାରୁ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ଭୋଟିଂ ହେବ । ସେହି ଦିନ ସନ୍ଧ୍ୟାରେ ଭୋଟ୍ ଗଣତି କରାଯାଇ ସନ୍ଧ୍ୟା ସୁଦ୍ଧା ଫଳାଫଳ ଘୋଷଣା କରାଯିବ ।
ସୂଚନାଯୋଗ୍ୟ, ଜଗଦୀପ ଧନଖଡ ଜୁଲାଇ ୨୧ ସନ୍ଧ୍ୟାରେ ଅଚାନକ ଉପରାଷ୍ଟ୍ରପତି ପଦରୁ ଇସ୍ତଫା ଦେଇଥିଲେ । ସ୍ୱାସ୍ଥ୍ୟଗତ କାରଣ ଦର୍ଶାଇ ସେ ତତ୍କାଳ ପ୍ରଭାବରୁ ପଦ ଛାଡିଥିଲେ । ତାଙ୍କ ଇସ୍ତଫାକୁ ନେଇ ରାଜନୀତି ମାହୋଲ ସରଗରମ ହୋଇଥିଲା । ଏହାକୁ ନେଇ ବିରୋଧୀ ଦଳ ସରକାରଙ୍କୁ ପ୍ରଶ୍ନ କରିଥିଲେ । କାହିଁକି ଜଗଦୀପ ଧନଖଡ ଉପରାଷ୍ଟ୍ରପତି ପଦରୁ ଇସ୍ତଫା ଦେଲେ ସେ ନେଇ କୌଣସି ସ୍ପଷ୍ଟ ସୂଚନା ମିଳି ପାରିନି ।