ଗୋଣ୍ଡା: ଉତ୍ତର ପ୍ରଦେଶର ଗୋଣ୍ଡାରେ ବଡ ଦୁର୍ଘଟଣା ଘଟିଛି । ଏକ ବୋଲେରୋ ନିୟନ୍ତ୍ରଣ ହରାଇ ସରୟୁ କେନାଲକୁ ଖସି ପଡିଛି । ଦୁର୍ଘଟଣାରେ ୧୧ ଜଣଙ୍କ ମୃତ୍ୟୁ ଘଟିଛି । ଏଥିରୁ ଅଧିକାଂଶ ମୃତକ ଗୋଟିଏ ପରିବାରର । ମୃତକଙ୍କ ମଧ୍ୟରେ ମହିଳା ଓ ଶିଶୁ ସାମିଲ ଥିଲେ । ବୋଲେରୋରେ ୧୩ ଜଣ ଯାତ୍ରୀ ଥିଲେ । ସମସ୍ତେ ପୃଥ୍ୱୀନାଥ ମନ୍ଦିରକୁ ଜଳ ଚଢାଇବାକୁ ଯାଇଥିଲେ ।
ସୂଚନା ଅନୁଯାୟୀ, ଗୋଣ୍ଡାର ମୋତିଗଞ୍ଜ ଥାନାର ସିହାଗାଓଁ-ଖରଗୁପୁର ମାର୍ଗ ନିକଟରେ ଏହି ଦୁର୍ଘଟଣା ଘଟିଛି । ପ୍ରତ୍ୟକ୍ଷଦର୍ଶୀଙ୍କ ମତରେ ଲଗାତାର ବର୍ଷା କାରଣରୁ କେନାଲ ରାସ୍ତାର ଅବସ୍ଥା ଖସିଯିବା ପରି ହୋଇଥିଲା । ବୋଲେରୋ ଦ୍ରୁତ ଗତିରେ ଆସୁଥିଲା ଏବଂ ନିୟନ୍ତ୍ରଣ ହରାଇ କେନାଲକୁ ଖସି ପଡିଥିଲା ।
ଆଖପାଖରେ ଥିବା ଲୋକେ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ଲୋକଙ୍କୁ ବଞ୍ଚାଇବାକୁ ଚେଷ୍ଟା କରିବା ସହ ପୋଲିସକୁ ସୂଚନା ଦେଇଥିଲେ । ପୋଲିସ ଘଟଣାସ୍ଥଳରେ ପହଞ୍ଚି ଆହତଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଇଥିଲା । ତେବେ ଦୁର୍ଘଟଣାରେ ୧୧ ଜଣଙ୍କୁ ବଞ୍ଚାଯାଇ ପାରି ନ ଥିଲା । ପୋଲିସ ସ୍ଥାନୀୟ ଲୋକଙ୍କ ସହାୟତାରେ କେନାଲରୁ ସବୁ ମୃତକଙ୍କ ଶବ ଉଦ୍ଧାର କରିଥିଲା । ଏହି ଘଟଣାରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି ।
ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଦୁଃଖ ପ୍ରକାଶ କରିବା ସହ ଆହତଙ୍କ ଚିକିତ୍ସା ସୁନିଶ୍ଚିତ କରିବାକୁ ଅଧିକାରୀଙ୍କୁ ଆଦେଶ ଦେଇଛନ୍ତି । ମୃତକଙ୍କ ପରିଜନ ପ୍ରତି ସମ୍ବେଦନା ବ୍ୟକ୍ତି କରିଛନ୍ତି । ଏହା ସହ ୫ ଲକ୍ଷ ଟଙ୍କା ଲେଖାଏଁ ଅନୁକମ୍ପାମୂଳକ ସହାୟତା ରାଶି ଘୋଷଣା କରିଛନ୍ତି ।