ନୂଆଦିଲ୍ଲୀ: ଉପରାଷ୍ଟ୍ରପତି ନିର୍ବାଚନ ପାଇଁ ଶାସକ ଏନଡିଏ ପକ୍ଷରୁ ପ୍ରାର୍ଥୀ ଘୋଷଣା ପରେ ଏବେ ଇଣ୍ଡିଆ ମେଣ୍ଟ ଉପରେ ସଭିଙ୍କ ନଜର। ବିରୋଧୀ କାହାକୁ ପ୍ରାର୍ଥୀ କରିବ ସେ ନେଇ ଚଳାଇଛି ବିଚାର ବିମର୍ଶ। ଇଣ୍ଡିଆ ମେଣ୍ଟର ପ୍ରାର୍ଥୀ ପାଇଁ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼ଗେ ସୋମବାର ନିଜ ବାସଭବନରେ ବୈଠକ ଡକାଇଛନ୍ତି। ପ୍ରତିରକ୍ଷା ମନ୍ତ୍ରୀ ତଥା ବିଜେପିର ବରିଷ୍ଠ ନେତା ରାଜନାଥ ସିଂ ମଧ୍ୟ ନୂଆ ଉପରାଷ୍ଟ୍ରପତି ସର୍ବସମ୍ମତିକ୍ରମରେ ଚୟନ ପାଇଁ ରାଜ୍ୟସଭାରତ ବିରୋଧୀ ଦଳ ନେତା ଖଡ଼ଗେଙ୍କ ସହିତ କିଛି ଦଳର ନେତାଙ୍କ ସହ ଯୋଗାଯୋଗ କରିଛନ୍ତି।
ସୂତ୍ର ଅନୁଯାୟୀ, ବିରୋଧୀ ଦଳ ଦେଶର ଦ୍ଵିତୀୟ ସର୍ବୋଚ୍ଚ ସାମ୍ବିଧାନିକ ପଦ ପାଇଁ ଏକ ଅଣରାଜନୈତିକ ଚେହେରାକୁ ମଇଦାନରେ ଓହ୍ଲାଇବାକୁ ଚାହୁଁଛି, ଯାହାଙ୍କ ରାଷ୍ଟ୍ରୀୟ ପ୍ରତିଷ୍ଠା ସହ ବଳିଷ୍ଠ ଚେହେରା ଥିବ। ଏଥିପାଇଁ ଡିଏମକେର ବରିଷ୍ଠ ନେତା ଇସ୍ରୋର ଜଣେ ବୈଜ୍ଞାନିକଙ୍କ ନାଁ ପ୍ରସ୍ତାବିତ କରିଛନ୍ତି, ଯିଏ ତାମିଲନାଡ଼ୁର ବାସିନ୍ଦା ସହ ବହୁତ ସମ୍ମାନିତ ବ୍ୟକ୍ତି।
ଡିଏମକେର ବରିଷ୍ଠ ନେତା ତିରୁଚି ଶିବାଙ୍କ ନାଁ ମଧ୍ୟ ଚର୍ଚ୍ଚାରେ ରହିଛି। ମାତ୍ର ଅନ୍ୟ ବିରୋଧୀ ନେତାଙ୍କ ସହ ଏହା ଉପରେ ଆଲୋଚନା ହେବା ବାକି ରହିଛି। ଏହି ସମ୍ବନ୍ଧରେ ଟିପ୍ପଣୀ କରିବାକୁ ମନା କରି ତିରୁଚି କହିଛନ୍ତି, ଏହା ଉପରେ ପାର୍ଟି ନେତୃତ୍ଵ ନିଷ୍ପତ୍ତି ନେବେ। ଉଲ୍ଲେଖନୀୟ ଏନଡିଏ ସିପି ରାଧାକୃଷ୍ଣନଙ୍କୁ ପ୍ରାର୍ଥୀ କରିଛି। ସେ ତାମିଲନାଡୁର ବାସିନ୍ଦା। ପୁଣି ୨୦୨୬ରେ ତାମିଲନାଡ଼ୁରେ ବିଧାନସଭା ନିର୍ବାଚନ ହେବାକୁ ଯାଉଛି।
କଂଗ୍ରେସର ସଂସଦୀୟ ଦଳର ପ୍ରମୁଖ ସୋନିଆ ଗାନ୍ଧୀ ସହିତ ଇଣ୍ଡିଆ ମେଣ୍ଟର ବରିଷ୍ଠ ନେତାଙ୍କ ଏହି ବୈଠକରେ ସାମିଲ ହେବାର ସମ୍ଭାବନା ରହିଛି। ଏନଡିଏ ଦ୍ଵାରା ପ୍ରାର୍ଥୀ ଘୋଷଣାର ଗୋଟିଏ ଦିନ ପରେ କଂଗ୍ରେସର ଏହି ବୈଠକ ହେବାକୁ ଯାଉଛି।