ଲଖନଉ, ଅକ୍ଟୋବର ୦୪ (ଖବର ଓଡ଼ିଶା): ଉତ୍ତର ପ୍ରଦେଶର ରାଜଧାନୀ ଲଖନଉରେ ସୋମବାର ବିଳମ୍ବିତ ରାତିରେ ଏକ ସିଲିଣ୍ଡର ବିସ୍ଫୋରଣ ଘଟିଛି । ଏହି ବିସ୍ଫୋରଣ କାରଣରୁ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି । ଏହି ଘଟଣାରେ ଅନ୍ୟ ୬ ଜଣ ଆହତ ହୋଇଛନ୍ତି । ଆହତମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।
ରାଜଧାନୀ ଲଖନଉର ବଖଶୀ ତାଲାବ ଥାନା ଅନ୍ତର୍ଗତ ବରଗଦୀ ଗାଁରେ ସୋମବାର-ମଙ୍ଗଳବାର ରାତିରେ ଏକ ବଡ଼ଧରଣର ବିସ୍ଫୋରଣ ହୋଇଥିଲା । ବିସ୍ଫୋରଣ ଶୁଣି ଗାଁ ଲୋକେ ଡରିଯାଇଥିଲେ । ଗାଁର ଲୋକେ ଭାବୁଥିଲେ କି ବୋମା ବିସ୍ଫୋରଣ ହୋଇଛି । ଗାଁ ଲୋକଙ୍କ ଠାରୁ ସୂଚନା ମିଳିବା ପରେ ପୁଲିସ ଘଟଣାସ୍ଥଳକୁ ପହଂଚିଥିଲା । ପୁଲିସ ପହଂଚିଲା ବେଳକୁ ଘଟଣାସ୍ଥଳରେ ୭ ଜଣ ଗୁରୁତର ହୋଇଥିଲେ । ପୁଲିସ ସମସ୍ତଙ୍କର ଚିକିତ୍ସା ପାଇଁ ଡାକ୍ତରଖାନା ନେଇଥିଲା । ତେବେ ଡାକ୍ତରଖାନାରେ ୩୦ ବର୍ଷୀୟ ଜୁବୈରଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ ।
ସିଲିଣ୍ଡର ବିସ୍ଫୋରଣ ଘଟଣାରେ ସଲମାନ, ସୈଫ, ଅସଲମ, ସମର, ଶବନମ ଓ ଜାକିର ଗୁରୁତର ହୋଇଛନ୍ତି । ତେବେ ଏହି ଘଟଣାକୁ ନେଇ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଶୋକ ଓ ଦୁଃଖ ପ୍ରକାଶ କରିଛନ୍ତି । ମୁଖ୍ୟମନ୍ତ୍ରୀ ଯୋଗୀ ମୃତକଙ୍କ ପରିବାର ପ୍ରତି ସମବେଦନା ଜଣାଇଥିଲା ବେଳେ ଆହତଙ୍କ ଚିକିତ୍ସା ପାଇଁ ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି ।