ନୂଆଦିଲ୍ଲୀ: ପାକିସ୍ତାନ ପାଇଁ ଗୁପ୍ତଚର କାମ କରିବା ଅଭିଯୋଗରେ ୟୁଟ୍ୟୁବର ଜ୍ୟୋତି ମାଲହୋତ୍ରାଙ୍କୁ ଗିରଫ କରାଯାଇ ପାଞ୍ଚ ଦିନିଆ ରିମାଣ୍ଡରେ ପଠାଯାଇଛି। ଏହି ସମୟରେ ତାଙ୍କର ଇନଷ୍ଟାଗ୍ରାମ ଆକାଉଣ୍ଟ ଗାଏବ ହୋଇଯାଇଛି। ତଦନ୍ତ ଚାଲିଥିବା ସମୟରେ ଜ୍ୟୋତିଙ୍କ ଇନଷ୍ଟା ଆକାଉଣ୍ଟ \'ଟ୍ରାଭେଲ୍ ୱିଥ୍ ଜୋ\' ଖୋଲିଲା ବେଳକୁ ଆକାଉଣ୍ଟଟି ସସପେଣ୍ଡ ହୋଇଥିବା ଦେଖାଯାଉଛି। ତେବେ ତାଙ୍କର ଏହି ଇନଷ୍ଟାଗ୍ରାମ ଆକାଉଣ୍ଟକୁ ହିଁ ତାଙ୍କ ପ୍ରକୃତ ମୁଖା ଖୋଲିବାରେ ଲାଗିଛି ।
ପାକିସ୍ତାନ ପାଇଁ ଗୁପ୍ତଚର କାମ କରୁଥିବା ଅଭିଯୋଗରେ ଜ୍ୟୋତି ମାଲହୋତ୍ରାଙ୍କୁ ପୋଲିସ ଗିରଫ କରିଥିଲା। ଛାନଭିନ କରାଯାଉଛି। ଜ୍ୟୋତି ମାଲହୋତ୍ରାଙ୍କ ଅନେକ ବିଦେଶ ଯାତ୍ରା ଏବଂ ବିଳାସପୂର୍ଣ୍ଣ ହୋଟେଲରେ ରହିବା ପାଇଁ ହୋଇଥିବା ଖର୍ଚ୍ଚ ଦେଖି ତଦନ୍ତକାରୀ ଦଳ ମଧ୍ୟ ଆବାକ । ଜ୍ୟୋତିଙ୍କ ଗିରଫଦାରୀ ପରେ ତଦନ୍ତକାରୀ ସଂସ୍ଥାଗୁଡ଼ିକ ଦ୍ୱାରା ଯାଞ୍ଚ କରାଯାଇଥିବା ରେକର୍ଡରୁ ଜଣାପଡିଛି ଯେ ତାଙ୍କ ଖର୍ଚ୍ଚ ତାଙ୍କ ଆୟ ଅପେକ୍ଷା ଢେର ଅଧିକ ରହିଛି ।
ଦେଶ ସ୍ୱାଧୀନତା ପରେ ଜ୍ୟୋତି ମାଲହୋତ୍ରାଙ୍କ ପରିବାର ପାକିସ୍ତାନର ବାହାୱଲପୁରରୁ ଭାରତ ଚାଲି ଆସିଥିଲେ। ତାଙ୍କ ପରିବାର ପ୍ରଥମେ ପଞ୍ଜାବର ଫରିଦକୋଟରେ ବାସ କରୁଥିଲେ । କିନ୍ତୁ ପରେ ହିସାରରେ ସ୍ଥାୟୀ ଭାବରେ ବାସ କରିଥିଲେ । ଜ୍ୟୋତିଙ୍କ ପରିବାର ଏକ ଶିକ୍ଷିତ ପରିବାର । ତାଙ୍କ ଜେଜେବାପା, କାକା ଏବଂ ମାମୁଁ ସରକାରୀ ଚାକିରିରୁ ଅବସର ନେଇ ସାରିଛନ୍ତି ।
ଜ୍ୟୋତିଙ୍କ ପରିବାର ପ୍ରାୟ ପାଞ୍ଚ ବର୍ଷ ଧରି ଫରିଦକୋଟରେ ରହିଥିଲେ, ଯେଉଁଠାରେ ତାଙ୍କ ବାପା ପରିବାରର ଭରଣପୋଷଣ କରୁଥିଲେ । ପରେ ସେ ହିସାର ଚାଲି ଆସିଥିଲେ । ଜ୍ୟୋତିଙ୍କ ପରିବାର ପ୍ରଥମେ ଡୋଗ୍ରାନ ମୋହଲ୍ଲା ଏବଂ ପରେ ଆଜାଦ ନଗରରେ ରହୁଥିଲେ । କିନ୍ତୁ ତାଙ୍କ ଭାଇଙ୍କ ସହ ମତଭେଦ ଯୋଗୁଁ ସେମାନେ ୨୦ ବର୍ଷ ପୂର୍ବେ ନ୍ୟୁ ଅଗ୍ରସେନ କଲୋନୀରେ ୫୫ ଗଜ ବିଶିଷ୍ଟ ଦୁଇ କୋଠରୀ ବିଶିଷ୍ଟ ଏକ ଘର ତିଆରି କରିଥିଲେ। ଜ୍ୟୋତି ସେଠାରେ ତାଙ୍କର ଭିଡିଓ ତିଆରି କରୁଥିଲେ ।
ଇନଷ୍ଟାଗ୍ରାମ ରିଲ୍ସରୁ ହେଲା ବଡ ଖୁଲାସା ?
ଜ୍ୟୋତି ମାଲହୋତ୍ରାଙ୍କ ନିଜସ୍ୱ ଅନେକ ଭିଡିଓରେ ତାଙ୍କୁ ଅଧିକାଂଶ ସମୟ ପାକିସ୍ତାନରେ ଦେଖିବାକୁ ମିଳିଥିଲା। ସେ ପାକିସ୍ତାନର ପଞ୍ଜାବ ପ୍ରଦେଶର ମୁଖ୍ୟମନ୍ତ୍ରୀ ମରିୟମ ନୱାଜଙ୍କ ସାକ୍ଷାତକାର ମଧ୍ୟ ନେଇଥିଲେ। ତାଙ୍କ ଉପରେ ପ୍ରାୟ ୧୨ ଦିନ ପାଇଁ ପାକିସ୍ତାନରେ ରହିବାର ଅଭିଯୋଗ ଅଛି। ଏହା ବ୍ୟତୀତ, ପହଲଗାମ ଆକ୍ରମଣ ପରେ ସେ ଲାଇଭ୍ ଆସି ଏହି ପ୍ରସଙ୍ଗରେ ଆଲୋଚନା ବେଳେ ସ୍ମିତ ହାସ୍ୟ ଦେଉଥିବା ଦେଖିବାକୁ ମିଳିଥିଲା । ଏପରିକି ସେ ଆଇଏସଆଇର ଅଧିକାରୀଙ୍କ ସହ ଯୋଗାଯୋଗରେ ଥିବା ଜଣା ପଡିଛି । ପାକିସ୍ତାନ ଉଚ୍ଚାୟୋଗରେ ମଧ୍ୟ ତାଙ୍କର ଗତିବିଧି ଦେଖିବାକୁ ମିଳିଛି ।