ଜମ୍ମୁ: ଜମ୍ମୁ କଶ୍ମୀରର ରାଜୌରୀ ଜିଲ୍ଲାର ଗୁନ୍ଧା ଅଞ୍ଚଳରେ ସୋମବାର ପୂର୍ବାହ୍ଣରେ ସନ୍ଦିଗ୍ଧ ଆତଙ୍କବାଦୀମାନେ ସେନା ଶିବିର ଉପରକୁ ଗୁଳିମାଡ଼ କରିଛନ୍ତି। ଜଣେ ଅଧିକାରୀ ଜାତୀୟ ଗଣମାଧ୍ୟମକୁ ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି, ଆଜି ଭୋର ସକାଳ ୪ଟାରେ ଏହି ଗୁଳିମାଡ଼ ହୋଇଛି। ଏହି ଆକ୍ରମଣରେ ଜଣେ ଯବାନ ଆହତ ହୋଇଛନ୍ତି। ଆତଙ୍କବାଦୀମାନଙ୍କ ଆକ୍ରମଣ ପରେ ସୁରକ୍ଷାବାହିନୀର ଯବାନମାନେ ସଂପୃକ୍ତ ଅଞ୍ଚଳକୁ ଘେରାବନ୍ଦୀ କରିଛନ୍ତି। ଏଥି ସହିତ ସର୍ଚ୍ଚପଅରେଶନ ଆରମ୍ଭ ହୋଇଯାଇଛି।
ବିଗତ ଏକ ମାସ ମଧ୍ୟରେ ଜମ୍ମୁ କଶ୍ମୀରରେ ଲଗାତାର ଆତଙ୍କବାଦୀ ଆକ୍ରମଣ ଘଟଣା ଘଟୁଛି। ଏଥିରେ ସାଧାରଣ ଜନତା ଓ ଯବାନଙ୍କୁ କ୍ଷତି ପହଞ୍ଚୁଛି। ସୁରକ୍ଷାବାହିନୀର କାର୍ଯ୍ୟାନୁଷ୍ଠାନରେ ଆତଙ୍କବାଦୀ ନିପାତ ହେଉଛନ୍ତି। ତଥାପି ଆତଙ୍କବାଦୀମାନେ ନରମୁ ନାହାନ୍ତି।
ଭାରତୀୟ ସେନାର ମୁଖ୍ୟ ଉପେନ୍ଦ୍ର ଦ୍ବିବେଦୀ ଗତ ଶନିବାର ଦିନ ଜମ୍ମୁ ଗସ୍ତ କରିଥିଲେ। ଏହି ଗସ୍ତକାଳରେ ସେ ଜମ୍ମୁ କଶ୍ମୀରରେ ସୁରକ୍ଷା ବ୍ୟବସ୍ଥା ନେଇ ସମୀକ୍ଷା କରିଥିଲେ। ନିକଟରେ ଜମ୍ମୁ କଶ୍ମୀରର ଡୋଡାରେ ଆତଙ୍କବାଦୀଙ୍କ ଆକ୍ରମଣରେ ୪ ଜଣ ଯବାନ ସହିଦ ହେଲା ପରେ ସେନାମୁଖ୍ୟ ଏହି ଗସ୍ତ କରିଥିଲେ। ଜମ୍ମୁଙ୍କୁ ଏହା ଥିଲା ତାଙ୍କର ଦ୍ବିତୀୟ ଗସ୍ତ। ପୂର୍ବରୁ ସେ ଗତ ୩ ତାରିଖ ଦିନ ପୁଂଛ-ରାଜୌରୀ ସେକ୍ଟର ଗସ୍ତ କରିଥିଲେ ଏବଂ ନିୟନ୍ତ୍ରଣ ରେଖା ସହିତ ଅନ୍ୟ ସ୍ଥାନରେ ସୁରକ୍ଷା ବ୍ୟବସ୍ଥା ରହିଛି, ସେନେଇ ସମୀକ୍ଷା କରିଥିଲେ।