ନୂଆଦିଲ୍ଲୀ: ଦୁଇ ପ୍ରାଚୀନ ସଭ୍ୟତାର ଦେଶ ଭାରତ ଓ ସାଇପ୍ରସ ଭୌଗୋଳିକ ଭାବେ ଦୂରରେ ଥିଲେ ମଧ୍ୟ ଉଭୟଙ୍କ ମଧ୍ୟରେ ଐତିହାସିକ, ସାଂସ୍କୃତିକ ଓ ରାଣନୈତିକ ସମ୍ବନ୍ଧ କେଉଁ କାଳରୁ ଚାଲି ଆସିଛି । ଏହି କ୍ରମରେ ଚଳିତ ସପ୍ତାହରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସାଇପ୍ରସ ଗସ୍ତରେ ଯାଉଛନ୍ତି । ୨୩ ବର୍ଷ ପରେ କୌଣସି ଭାରତୀୟ ପ୍ରଧାନମନ୍ତ୍ରୀ ସାଇପ୍ରସ ଯାତ୍ରା କରିବେ । ମୋଦୀଙ୍କ ଏହି ଗସ୍ତ କେବଳ ଦୁଇ ଦେଶର ସମ୍ବନ୍ଧକୁ ନୂତନ ଦିଗ ଦେବ ନାହିଁ ବରଂ ଆଞ୍ଚଳିକ ଓ ବୈଶିକ କୂଟନୀତିରେ ଭାରତର ଭୂମିକାକୁ ଆହୁରି ବଳିଷ୍ଠ କରିବ । ମୋଦୀଙ୍କ ଏହି ଯାତ୍ରା ବିଶେଷ କରି ତୁର୍କୀ ଓ ପାକିସ୍ତାନ ପାଇଁ ବଡ ସନ୍ଦେଶ । କାରଣ ଏହି ଦୁଇ ଦେଶ ଏକଜୁଟ ହୋଇ ଭାରତ ବିରୋଧୀ ଗତିବିଧି ଚଲାଉଛନ୍ତି ।
ସାଇପ୍ରସ ଭୂମଧ୍ୟ ସାଗରରେ ସ୍ଥିତ ଏକ ଛୋଟ ଦ୍ୱୀପ । ଏହା କାରବାର ଓ ସାଂସ୍କୃତିକ ଆଦାନ ପ୍ରଦାନର କେନ୍ଦ୍ର । ପ୍ରାଚୀନ କାଳରେ ଭାରତୀୟ ବ୍ୟବସାୟୀ ଓ ବୌଦ୍ଧ ମିଶନାରୀ ଭୂମଧ୍ୟ ସାଗରୀୟ ଅଞ୍ଚଳରେ ସକ୍ରିୟ ଥିଲେ । ଏଥିରେ ଭାରତ ଓ ସାଇପ୍ରସ ମଧ୍ୟରେ ସାଂସ୍କୃତିକ ଓ ଧାର୍ମିକ ଆଦାନ ପ୍ରଦାନ ହେଉଥିଲା । ଆଧୁନିକ ସମୟରେ ଭାରତ ଓ ସାଇପ୍ରସ ୧୯୬୦ରେ ରାଜନୈତିକ ସମ୍ବନ୍ଧ ସ୍ଥାପନ କରିଥିଲେ । ସେହି ସମୟରେ ସାଇପ୍ରସକୁ ଇଂରେଜଙ୍କ କବଳରୁ ସ୍ୱାଧୀନତା ମିଳିଥିଲା ।
ଦୁଇ ଦେଶ ସ୍ୱାଧୀନତା ପରେ ପରସ୍ପରକୁ ସର୍ବଦା ସମର୍ଥନ ଦେଇ ଆସିଛନ୍ତି । ସାଇପ୍ରସ ଭାରତର ପରମାଣୁ ପରୀକ୍ଷଣ(୧୯୯୮) ଓ କାଶ୍ମୀର ପ୍ରସଙ୍ଗରେ ସର୍ବଦା ଭାରତର ସମର୍ଥନ ଦେଇ ଆସିଛି । ଅନ୍ୟପଟେ ଭାରତ ମିଳିତ ଜାତିସଂଘ ପ୍ରସ୍ତାବ ଓ ଅନ୍ତର୍ଜାତୀୟ ଆଇନ ଅନୁସାରେ ସାଇପ୍ରସର କ୍ଷେତ୍ରୀୟ ଅଖଣ୍ଡତାକୁ ସମର୍ଥନ ଦେଇ ଆସିଛି । ବିଶେଷ କରି ୧୯୭୪ରେ ତୁର୍କୀ ଆକ୍ରମଣ ପରେ ଉତ୍ତର ସାଇପ୍ରସକୁ କବଜା କରିଥିଲା । ଏହାକୁ ତୁର୍କୀ ‘ତୁର୍କୀ ଗଣରାଜ୍ୟ ଉତ୍ତର ସାଇପ୍ରସ’ ଘୋଷିତ କରିଥିଲା । ଏହାକୁ କେବଳ ତୁର୍କୀ ହିଁ ମାନ୍ୟତା ଦେଇଛି ।
୧୯୭୪, ୧୯୮୩, ୧୯୮୪ରେ ମିଳିତ ଜାତିସଂଘ ସୁରକ୍ଷା ପରିଷଦରେ ତୁର୍କୀକୁ ସାଇପ୍ରସରୁ ନିଜର ଉପସ୍ଥିତି ଓ ସେନା ପ୍ରତ୍ୟାହାର କରିବାକୁ କୁହାଯାଇଥିଲା । ତୁର୍କୀ ଦ୍ୱାରା କବଜା ହୋଇଥିବା ଅଞ୍ଚଳକୁ ଅମାନ୍ୟ ଘୋଷଣା କରାଯାଇଥିଲା । ଏହି ସମୟରେ ଭାରତ ସାଇପ୍ରସକୁ ସମର୍ଥନ କରିଥିଲା । ପାକିସ୍ତାନ ଏକମାତ୍ର ଦେଶ ଥିଲା ଯିଏ ୧୯୮୩/୧୯୮୪ରେ ୟୁଏନଏସସିରେ ସାଇପ୍ରସ ପ୍ରସ୍ତାବ ବିରୋଧରେ ମତଦାନ କରିଥିଲା ।
ଭାରତ ପାଇଁ କାହିଁକି ଜରୁରୀ ସାଇପ୍ରସ
ସାଇପ୍ରସ ଅଳ୍ପ ଜନସଂଖ୍ୟା(୧୦ ଲକ୍ଷ) ବିଶିଷ୍ଟ ଓ ସୀମିତ କ୍ଷେତ୍ର ପରେ ବି ଭାରତ ପାଇଁ ଅନେକ କାରଣରୁ ମହତ୍ୱପୂର୍ଣ୍ଣ ରହିଛି । ଏହି ଦେଶ ଭୂମଧ୍ୟସାଗରରେ ଏକ ରଣନୈତିକ ସ୍ଥାନରେ ଅବସ୍ଥିତ, ଯାହା ୟୁରୋପ, ଏସିଆ ଓ ଆଫ୍ରିକାକୁ ସଂଯୋଗ କରୁଛି । ଏହି କ୍ଷେତ୍ର ଉର୍ଜା ସମ୍ବଳ ବିଶେଷ କରି ପ୍ରାକୃତିକ ଗ୍ୟାସ ପାଇଁ ମହତ୍ୱପୂର୍ଣ୍ଣ ଅଟେ । ଭାରତ ଉର୍ଜାର ଆବଶ୍ୟକତା ପାଇଁ ଆମଦାନୀ ଉପରେ ନିର୍ଭରଶୀଳ । ଏମିତିରେ ଭାରତ ସାଇପ୍ରସ ସହ ଉର୍ଜା ସହଯୋଗକୁ ପ୍ରୋତ୍ସାହନ ଦେଇପାରେ । ଏହା ବ୍ୟତୀତ ସାଇପ୍ରସ ୟୁରୋପୀୟ ସଂଘର ସଦସ୍ୟ ଏବଂ ୨୦୨୬ରେ ଇୟୁ ପରିଷଦର ଅଧ୍ୟକ୍ଷତା କରିବ ।