ମୁମ୍ବାଇ: ଆଇପିଏସ୍ ଅଧିକାରୀ ରଶ୍ମି ଶୁକ୍ଳାଙ୍କୁ ପୁଣି ଥରେ ମହାରାଷ୍ଟ୍ରର ପୁଲିସ ମହାନିର୍ଦ୍ଦେଶକ (ଡିଜିପି) ଭାବେ ନିଯୁକ୍ତି ଦିଆଯାଇଛି। ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ପୂର୍ବରୁ ନଭେମ୍ବର ୪ ତାରିଖରେ ତାଙ୍କୁ ଭାରତୀୟ ନିର୍ବାଚନ ଆୟୋଗ (ଇସିଆଇ) ବଦଳି କରିଥିଲେ।
ନିର୍ବାଚନ କମିଶନ ରଶ୍ମି ଶୁକ୍ଳାଙ୍କୁ ତୁରନ୍ତ ମହାରାଷ୍ଟ୍ର ଡିଜିପି ପଦରୁ ବଦଳି କରିବାକୁ ନିର୍ଦ୍ଦେଶ ଦେବାର କିଛି ଦିନ ପରେ ଏହି ଘଟଣା ଘଟିଛି। କ୍ୟାଡରର ପରବର୍ତ୍ତୀ ବରିଷ୍ଠତମ ଆଇପିଏସ୍ ଅଫିସରଙ୍କୁ ଦାୟିତ୍ୱ ହସ୍ତାନ୍ତର କରିବାକୁ ନିର୍ବାଚନ କମିଶନ ମୁଖ୍ୟ ଶାସନ ସଚିବଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ନିର୍ବାଚନରେ ଅନିୟମିତତା ନେଇ କଂଗ୍ରେସ ଏବଂ ଅନ୍ୟ ଏମଭିଏ ନେତାଙ୍କ ଅଭିଯୋଗ ପରେ ନିର୍ବାଚନ କମିଶନ ଏହି ପଦକ୍ଷେପ ନେଇଥିଲେ।
ମହାରାଷ୍ଟ୍ରରେ ବିଜେପି ନେତୃତ୍ୱାଧୀନ ମହାୟୁତି ମେଣ୍ଟ ବିପୁଳ ବିଜୟ ହାସଲ କରିଛି। ରାଜ୍ୟ ବିଧାନସଭାର ୨୮୮ ଆସନରୁ ମେଣ୍ଟ ୨୩୦ଟି ଆସନରେ ବିଜୟୀ ହୋଇଥିଲା। ଶନିବାର ନିର୍ବାଚନ ଆୟୋଗ ଙ୍କ ଦ୍ୱାରା ଘୋଷିତ ଫଳାଫଳ ଅନୁଯାୟୀ ବିଜେପି ୧୩୨ଟି ଆସନ ଜିତିଥିବା ବେଳେ ଏହାର ସହଯୋଗୀ ଦଳ ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କ ନେତୃତ୍ୱାଧୀନ ଶିବସେନା ୫୭ଟି ଏବଂ ଉପମୁଖ୍ୟମନ୍ତ୍ରୀ ଅଜିତ ପାୱାରଙ୍କ ନେତୃତ୍ୱାଧୀନ ଏନସିପି ୪୧ ଟି ଆସନରେ ବିଜୟୀ ହୋଇଛି।
ସେହିପରି ମହାବିକାଶ ଆଘାଡି (ଏମଭିଏ)କୁ ବଡ଼ ଝଟକା ଲାଗିଛି। ଉଦ୍ଧବ ଠାକରେଙ୍କ ନେତୃତ୍ୱାଧୀନ ଶିବସେନା (ୟୁବିଟି) ୨୦ଟି, କଂଗ୍ରେସ ୧୬ଟି ଏବଂ ଶରଦ ପାୱାରଙ୍କ ନେତୃତ୍ୱାଧୀନ ଏନସିପି (ଏସପି) ମାତ୍ର ୧୦ଟି ଆସନ ରେ ବିଜୟୀ ହୋଇଛି।
ଅଧିକ ପଢ଼ନ୍ତୁ: ସମ୍ବିଧାନର ପ୍ରସ୍ତାବନାରେ ମଧ୍ୟ ସଂଶୋଧନ କରିପାରିବ ଦେଶର ସଂସଦ