ନୂଆଦିଲ୍ଲୀ: ସମ୍ବିଧାନର ପ୍ରସ୍ତାବନାରେ ଯୋଡ଼ି ହୋଇଥିବା 'ସମାଜବାଦ' ଏବଂ 'ଧର୍ମନିରପେକ୍ଷତା' ଶବ୍ଦକୁ ହଟାଇବା ପାଇଁ ହୋଇଥିବା ଏକାଧିକ ଆବେଦନକୁ ସୋମବାର ସୁପ୍ରିମ୍କୋର୍ଟ ଖାରଜ କରିଦେଇଛନ୍ତି। ୪୪ ବର୍ଷ ପରେ ୪୨ତମ ସମ୍ବିଧାନ ସଂଶୋଧନ ମାଧ୍ୟମରେ ପ୍ରସ୍ତାବନାରେ ଯୋଡାଯାଇଥିବା ଏହି ଦୁଇଟି ଶବ୍ଦର ଚ୍ୟାଲେଞ୍ଜ ଉପରେ ପ୍ରଶ୍ନ ଉଠାଇ ଅଦାଲତ କହିଛନ୍ତି ଯେ ଏତେ ସମୟ ପରେ ଏହାକୁ ଚ୍ୟାଲେଞ୍ଜ କରିବାର କୌଣସି ଯୁକ୍ତିଯୁକ୍ତ ଆଧାର ନାହିଁ। ଆବେଦନ ଉପରେ ବିସ୍ତୃତ ଭାବେ ବିଚାର କରିବାର ଆବଶ୍ୟକତା ନାହିଁ।
ସର୍ବୋଚ୍ଚ ନ୍ୟାୟାଳୟ ଏକ ଐତିହାସିକ ରାୟରେ କହିଛନ୍ତି ଯେ ସମ୍ବିଧାନ ଏକ ଜୀବନ୍ତ ଦସ୍ତାବିଜ। ସମ୍ବିଧାନ ସଂଶୋଧନ ପାଇଁ ସଂସଦପାଖରେ ନିର୍ବିବାଦୀୟ କ୍ଷମତା ରହିଛି ଏବଂ ଏହି କ୍ଷମତା ପ୍ରସ୍ତାବନା ସଂଶୋଧନ ପର୍ଯ୍ୟନ୍ତ ବିସ୍ତାରିତ ହୋଇଛି। ମୁଖ୍ୟ ବିଚାରପତି ଜଷ୍ଟିସ ସଞ୍ଜୀବ ଖାନ୍ନା ଏବଂ ଜଷ୍ଟିସ ସଞ୍ଜୟ କୁମାରଙ୍କୁ ନେଇ ଗଠିତ ଖଣ୍ଡପୀଠ ବିଜେପି ନେତା ସୁବ୍ରମଣ୍ୟମ ସ୍ୱାମୀ ଏବଂ ଅନ୍ୟମାନଙ୍କ ଦ୍ୱାରା ଦାୟର ୩ଟି ଆବେଦନକୁ ଖାରଜ କରିଦେଇଛନ୍ତି।
ଜରୁରୀକାଳୀନ ପରିସ୍ଥିତି ସମୟରେ ତତ୍କାଳୀନ ଇନ୍ଦିରା ଗାନ୍ଧୀ ସରକାର ୧୯୭୬ମସିହାରେ ୪୨ତମ ସଂଶୋଧନ ମାଧ୍ୟମରେ ସମ୍ବିଧାନର ପ୍ରସ୍ତାବନାରେ ସାମିଲ କରିଥିବା 'ସମାଜବାଦ' ଏବଂ 'ଧର୍ମନିରପେକ୍ଷତା' ଶବ୍ଦକୁ ଏହି ତିନୋଟି ପିଟିସନରେ ଚ୍ୟାଲେଞ୍ଜ କରାଯାଇଥିଲା। ଏହି ଦୁଇଟି ଶବ୍ଦ ପ୍ରଥମେ ସମ୍ବିଧାନରେ ଅନ୍ତର୍ଭୁକ୍ତ ହୋଇନଥିଲା ଏବଂ ପରେ ଏହା ମଧ୍ୟ ପୂର୍ବ ତାରିଖ ଅର୍ଥାତ୍ ସମ୍ବିଧାନ ଗ୍ରହଣ ତାରିଖ, ନଭେମ୍ବର ୨୬, ୧୯୪୯ରୁ କାର୍ଯ୍ୟକାରୀ ହୋଇଥିଲା। ସଂଶୋଧନକୁ ପୂର୍ବାପେକ୍ଷା ଲାଗୁ କରିବା ଭୁଲ୍ ଥିଲା।
ଆବେଦନକୁ ଖାରଜ କରି କୋର୍ଟ କହିଛନ୍ତି ଯେ ସମ୍ବିଧାନର ଧାରା ୩୬୮ ସଂସଦକୁ ସମ୍ବିଧାନସଂଶୋଧନ ପାଇଁ ଅନୁମତି ଦେଇଥାଏ। ଯଦି ପୂର୍ବାପେକ୍ଷୀ ସଂଶୋଧନ ପାଇଁ ଆବେଦନକାରୀଙ୍କ ଆବେଦନକୁ ଗ୍ରହଣ କରାଯାଏ, ତେବେ ସମ୍ବିଧାନର ଯେ କୌଣସି ଅଂଶରେ କରାଯାଇଥିବା କୌଣସି ସଂଶୋଧନ ଉପରେ ମଧ୍ୟ ଏହା ସମାନ ଭାବରେ ଲାଗୁ ହେବ।
କୋର୍ଟ କହିଛନ୍ତି ଯେ ଏହା ସତ ଯେ ସମ୍ବିଧାନ ସଭା ପ୍ରସ୍ତାବନାରେ 'ସମାଜବାଦ' ଏବଂ 'ଧର୍ମନିରପେକ୍ଷତା' ଶବ୍ଦ ଯୋଡିବାକୁ ପ୍ରସ୍ତୁତ ନଥିଲା, କିନ୍ତୁ ସଂସଦକୁ ଏହାକୁ ସଂଶୋଧନ କରିବାର କ୍ଷମତା ଦିଆଯାଇଛି। ସମୟକ୍ରମେ ଭାରତ ଧର୍ମନିରପେକ୍ଷତାର ନିଜସ୍ୱ ବ୍ୟାଖ୍ୟା ବିକଶିତ କରିଛି। ସମ୍ବିଧାନର ଧାରା ୧୪, ୧୫ ଓ ୧୬ରୁ ଏହି ନୀତି ଆସିଛି ଯାହା ଧର୍ମ ଆଧାରରେ ଭେଦଭାବକୁ ନିଷେଧ କରିଥାଏ।
ଅଧିକ ପଢ଼ନ୍ତୁ: ଦିଲ୍ଲୀରେ ମିଳିବ ୨୫୦୦ ଟଙ୍କା ବାର୍ଦ୍ଧକ୍ୟ ଭତ୍ତା