ନୂଆଦିଲ୍ଲୀ: ଏନସିଇଆରଟିର ନୂଆ ପୁସ୍ତକରେ ଅଦାଲତରେ ଦୁର୍ନୀତି ଓ ଲମ୍ବିତ ମାମଲା ଉପରେ ଚିନ୍ତା ବ୍ୟକ୍ତ ସଂପର୍କିତ ଚାପ୍ଟର ସାମିଲ ରହିଛି । ଏହାକୁ ନେଇ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି ସୁପ୍ରିମକୋର୍ଟ । ପ୍ରଧାନ ବିଚାରପତି ସୂର୍ଯ୍ୟକାନ୍ତ ଶୁଣାଣି ସମୟରେ ଏନସିଇଆରଟିର ଏମିତି ପଦକ୍ଷେପକୁ ନେଇ କଡା ଆପତ୍ତି ପ୍ରକାଶ କରିଛନ୍ତି । ସିଜେଆଇ କଡା ଟିପ୍ପଣୀ କରି କହିଛନ୍ତି, ସର୍ବୋଚ୍ଚ ନ୍ୟାୟାଳୟ କାହାରିକୁ ବି ନ୍ୟାୟପାଳିକାର ବଦନାମ କରିବାକୁ ଦେବ ନାହିଁ । ଜଷ୍ଟିସ ଜୟମାଲା ବାଗଚୀ ମଧ୍ୟ ଏହା ସମ୍ବିଧାନ ବିରୋଧୀ ବୋଲି କହିଛନ୍ତି ।
ଏହା ପୂର୍ବରୁ ନ୍ୟାୟପାଳିକା ଉପରେ ଆଧାରିତ ପାଠ୍ୟ ପୁସ୍ତକର ଅଧ୍ୟାୟ ଉପରେ ଶୁଣାଣି ସମୟରେ ବରିଷ୍ଠ ଆଇନଜୀବୀ କପିଲ ସିବଲ ପ୍ରଧାନ ବିଚାରପତି ସୂର୍ଯ୍ୟକାନ୍ତ, ଜଷ୍ଟିସ ଜୟମାଲା ବାଗଚୀ ଓ ଜଷ୍ଟିସ ବିପୁଲ ଏମ ପାଞ୍ଚୋଲିଙ୍କ ପୀଠଙ୍କୁ କହିଛନ୍ତି ଯେ, ଅଷ୍ଟମ ଶ୍ରେଣୀର ପିଲାଙ୍କୁ ନ୍ୟାୟପାଳିକାର ଦୁର୍ନୀତି ବିଷୟରେ ପଢା ଯାଉଛି ।
ଏହା ଉପରେ ସିଜେଆଇ ସୂର୍ଯ୍ୟକାନ୍ତ କହିଛନ୍ତି, ପ୍ରଧାନ ବିଚାରପତି ଭାବେ ମୁଁ ନିଜର କାମ କରିଛି । ମାମଲା ଉପରେ ନଜର ରଖିଛି । ଅଦାଲତ ବିରୋଧରେ ଏହା ଏକ ବୁଝି ବିଚାରି ପଦକ୍ଷେପ । ମୁଁ ଅଧିକ କିଛି କହିବି ନାହିଁ । ପ୍ରଧାନ ବିଚାରପତି ଏହା ମଧ୍ୟ କହିଛନ୍ତି, ଦୟାକରି କିଛି ଦିନ ଅପେକ୍ଷା କରନ୍ତୁ । ବାର ଏବଂ ବେଞ୍ଚ ସମସ୍ତେ ଚିନ୍ତିତ । ସମସ୍ତ ହାଇକୋର୍ଟର ଜଜ ମଧ୍ୟ ଏହାକୁ ନେଇ ବିବ୍ରତ । ମୁଁ ଏହି ମାମଲାକୁ ନିଜେ ଦେଖିବି । ମୁଁ କାହାରିକୁ ବି ନ୍ୟାୟପାଳିକାକୁ ବଦନାମ କରିବାକୁ ଅନୁମତି ଦେବି ନାହିଁ । ଆଇନ ନିଜର କାମ କରିବ ।
ଏନସିଇଆରଟିର ପୁସ୍ତକରେ ନ୍ୟାୟପାଳିକା ଉପରେ କଣ ରହିଛି ?
ଏହା ପୂର୍ବରୁ ଏନସିଇଆରଟି ନିକଟରେ ଅଷ୍ଟମ ଶ୍ରେଣୀ ପାଇଁ ନୂଆ ପାଠ୍ୟକ୍ରମ ଜାରି କରିଛି । ଏଥିରେ ଅଦାଲତରେ ଦୁର୍ନୀତି ପରି ପ୍ରସଙ୍ଗକୁ ନେଇ ନୂଆ ଅଧ୍ୟାୟ ଯୋଡା ଯାଇଥିଲା । ସାମାଜିକ ବିଜ୍ଞାନର ନୂଆ ପାଠ୍ୟ ପୁସ୍ତକରେ କୁହାଯାଇଛି ଯେ, ଦୁର୍ନୀତି, ପଡି ରହୁଥିବା ମାମଲା ଏବଂ ବିଚାରପତିଙ୍କ ଅଭାବ ନ୍ୟାୟିକ ପ୍ରଣାଳୀ ସାମ୍ନାରେ ଏକ ବଡ ଆହ୍ୱାନ । ନୂଆ ପୁସ୍ତକରେ ନ୍ୟାୟପାଳିକାରେ ଦୁର୍ନୀତି ନାମକ ଖଣ୍ଡରେ କୁହାଯାଇଛି ଯେ, ବିଚାରପତି ଏକ ଆଚାର ସଂହିତାରେ ବାନ୍ଧି ହୋଇ ରହିଥାନ୍ତି । ଏହା କେବଳ ଅଦାଲତ ଭିତରେ ନୁହେଁ ବରଂ ଅଦାଲତ ବାହାରେ ମଧ୍ୟ ଉକ୍ତ ଆଚାର ସଂହିତା ବିଚାରପତିଙ୍କୁ ନିୟନ୍ତ୍ରିତ କରିଥାଏ । ଏପରିକି ନ୍ୟାୟପାଳିକାର ବିଭିନ୍ନ ସ୍ତରରେ ଲୋକଙ୍କୁ ଦୁର୍ନୀତିର ସାମ୍ନା କରିବାକୁ ପଡିଥାଏ । ଗରିବ ଏବଂ ବଞ୍ଚିତ ବ୍ୟକ୍ତିଙ୍କୁ ନ୍ୟାୟ ପର୍ଯ୍ୟନ୍ତ ପହଞ୍ଚିବା ମୁସ୍କିଲ ହୋଇଥାଏ ।