ନୂଆଦିଲ୍ଲୀ: ଆମେରିକା ପକ୍ଷରୁ ଭାରତ ବିରୋଧରେ ଜାରି ଟାରିଫ ଏବେ ଥମିବାର ଦିଗକୁ ବଢୁଥିବା ଦେଖିବାକୁ ମିଳୁଛି । ସର୍ବପ୍ରଥମେ ସ୍ଥିତି ସୁଧାରିବା ପାଇଁ ଉଦ୍ୟମ ଆରମ୍ଭ କରିଛନ୍ତି ଡୋନାଲ୍ଡ ଟ୍ରମ୍ପ । ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ମିତ୍ର ଦର୍ଶାଇ କହିଛନ୍ତି ଶୀଘ୍ର ହିଁ ଦୁଇ ଦେଶ ମଧ୍ୟରେ ବାଣିଜ୍ୟିକ ଚୁକ୍ତିନାମା ହେବ । ଏହା ଉପରେ ପିଏମ ମୋଦୀ ମଧ୍ୟ କହିଛନ୍ତି ଆମେ ବି ଟ୍ରେଡ ଡିଲକୁ ଅପେକ୍ଷା କରିଛୁ । ମୋଦୀ ଏହା ମଧ୍ୟ କହିଛନ୍ତି ଯେ, ଭାରତ ଓ ଆମେରିକା ଏକ ସ୍ୱାଭାବିକ ଭାଗିଦାରୀ ଦେଶ ଏବଂ ଉଭୟଙ୍କ ଭାଗିଦାରୀ ବେଶ ମଜବୁତ । ତାଙ୍କର ଏହି ଟୁଇଟକୁ ଟ୍ରମ୍ପ ସୋସିଆଲ ମିଡିଆରେ ସେୟାର କରିଛନ୍ତି । ଏଥିରୁ ଅନୁମାନ କରାଯାଇପାରେ ଯେ, ଦୁଇ ନେତାଙ୍କ ମଧ୍ୟରେ ସଂପର୍କରେ ସୁଧାର ଆସୁଛି ।
ଏହା ମଧ୍ୟରେ କଂଗ୍ରେସ ନେତା ଜୟରାମ ରମେଶ ପିଏମ ମୋଦୀଙ୍କ ଟୁଇଟ୍ ଉପରେ ହିଁ ଆକ୍ଷେପ କରିଛନ୍ତି । ସେ କହିଛନ୍ତି କେମିତି ଆମେରିକା ଆମର ସ୍ୱାଭାବିକ ଭାଗିଦାରୀ ଦେଶ, ଯିଏ କାରବାରକୁ ନିଜର ହତିଆର ଭାବେ ଆମ ବିରୋଧରେ ପ୍ରୟୋଗ କରୁଛି । ପ୍ରଶ୍ନ ଉଠୁଛି କଣ ଏହି ଭାଗିଦାରୀ ଏମିତି ସ୍ୱାଭାବିକ ଯେ, ରାଷ୍ଟ୍ରପତି ଟ୍ରମ୍ପ ୩୫ରୁ ଅଧିକ ଥର ଦାବି କରି ସାରିଛନ୍ତି ଯେ, ବାଣିଜ୍ୟକୁ ଅସ୍ତ୍ର କରି ସେ ମେ ୧୦ରେ ଭାରତ ଓ ପାକିସ୍ତାନ ଅସ୍ତ୍ରବିରତି କରାଇଥିଲେ । ତେବେ ଜୟରାମଙ୍କ ଏମିତି ଆକ୍ଷେପ ଉପରେ ବିଜେପି ପକ୍ଷରୁ ଅଦ୍ୟାବଧି କୌଣସି ପ୍ରତିକ୍ରିୟା ଆସିନାହିଁ ।
ତେବେ ସଦ୍ୟତମ ଖବର ଅନୁଯାୟୀ, ଡୋନାଲ୍ଡ ଟ୍ରମ୍ପ ଏବଂ ପିଏମ ନରେନ୍ଦ୍ର ମୋଦୀ ଶୀଘ୍ର ଫୋନରେ କଥା ହୋଇ ପାରନ୍ତି । ଟ୍ରମ୍ପଙ୍କ ଆଭିମୁଖ୍ୟ ଗତ କିଛି ଦିନ ହେବ ବଦଳୁଥିବା ଲାଗୁଛି । କୁହାଯାଉଛି ତାଙ୍କ ପକ୍ଷରୁ ପିଏମ ମୋଦୀଙ୍କୁ ଫୋନ କରାଯାଇପାରେ । ଏହା ବ୍ୟତୀତ ମାଲେସିଆରେ ଆସିଆନ ଦେଶର ସମ୍ମିଳନୀରେ ଦୁଇ ନେତାଙ୍କ ମଧ୍ୟରେ ସାକ୍ଷାତ ହୋଇପାରେ ।
Also read: ଆମେରିକା ରାଷ୍ଟ୍ରପତିଙ୍କ ବୟାନ ଉପରେ ପ୍ରତିକ୍ରିୟା ଦେଲେ ପ୍ରଧାନମନ୍ତ୍ରୀ ମୋଦୀ