ଉତ୍ତରପ୍ରଦେଶ: ଉତ୍ତରପ୍ରଦେଶର ପ୍ରୟାଗରାଜରେ ଚାଲିଛି ବିଶ୍ୱପ୍ରସିଦ୍ଧ ମହାକୁମ୍ଭ । ଏଥିାଇଁ କୋଟି କୋଟି ଲୋକେ ସଙ୍ଗମତଟକୁ ଆସି ବୁଡ଼ ପକାଉଛନ୍ତି, ହେଲେ ଆପଣ ଜାଣନ୍ତି କି ଆପଣ ବୁଡ଼ ପକାଉଥିବା ଏହି ସଙ୍ଗମତଟର ପାଣିରେ କେତେ ଶୁଦ୍ଧତା ରହିଛି । ନିକଟରେ କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ତରଫରୁ ଜାତୀୟ ସବୁଜ ଟ୍ରିବ୍ୟୁନାଲ (ଏନଜିଟି)କୁ ଏକ ରିପୋର୍ଟ ପ୍ରଦାନ କରାଯାଇଛି, ଯାହା ଆପଣଙ୍କୁ ଚମକାଇଦେବ । ଏହି ରିପୋର୍ଟରେ କୁହାଯାଇଛି, ମହାକୁମ୍ଭ ସମୟରେ ପ୍ରୟାଗରାଜରେ ଫେକଲ କୋଲିଫର୍ମ ଜୀବାଣୁର ପରିମାଣ ବୃଦ୍ଧି ପାଇଛି, ଯାହାଦ୍ୱାରା ନଦୀରେ ପ୍ରଦୂଷଣର ସ୍ତର ବୃଦ୍ଧି ପାଇଛି।
ରିପୋର୍ଟ ଅନୁଯାୟୀ, ମହାକୁମ୍ଭ ଆରମ୍ଭ ଦିନଠାରୁ ଏହି ଜୀବାଣୁର ମାତ୍ରା ଦିନକୁ ଦିନ ବୃଦ୍ଧି ପାଇଛି । ଯାହା ମହାକୁମ୍ଭରେ ବୁଡ ପକାଉଥିବା ଶ୍ରଦ୍ଧାଳୁଙ୍କ ପାଇଁ ବିପଜ୍ଜନକ । ରିପୋର୍ଟରେ କୁହାଯାଇଛି ଯେ, ନଦୀରେ ମିଶୁଥିବା ମଇଳା ନର୍ଦ୍ଦମା ପାଣିରେ ପେକଲ କୋଲିଫର୍ମର ମାତ୍ରା ପ୍ରତି ୧୦୦ ମିଲିରେ ୨୫୦୦ ୟୁନିଟ୍ ଥିବା ନେଇ ରେକର୍ଡ କରାଯାଇଛି । ପ୍ରୟାଗରାଜରେ ଗଙ୍ଗା ଏବଂ ଯମୁନା ନଦୀକୁ ନର୍ଦ୍ଦମା ଜଳ ଛଡାଯିବା ସମ୍ପର୍କିତ ଏକ ମାମଲାର ଶୁଣାଣି ଏବେ ଏନଜିଟି କରୁଛି।
ମହାକୁମ୍ଭମେଳା ପାଇଁ ସ୍ୱରେଜ୍ ପରିଚାଳନା ଯୋଜନା ସମ୍ପର୍କରେ ଏନଜିଟି ପୂର୍ବରୁ ୟୁପି ସରକାରଙ୍କୁ ନିର୍ଦ୍ଦେଶ ଜାରି କରିସାରିଛି। ଜାତୀୟ ଗ୍ରୀନ୍ ଟ୍ରିବ୍ୟୁନାଲ୍ ଉତ୍ତର ପ୍ରଦେଶ ସରକାରଙ୍କୁ ନିର୍ଦ୍ଦେଶ ଦେଇ କହିଥିଲେ ଯେ ଭକ୍ତମାନେ ଯେଉଁଠାରେ ବୁଡ଼ ପକାଇବାକୁ ଯାଉଛନ୍ତି, ସେହି ପାଣିର ଗୁଣବତ୍ତା ବିଷୟରେ ସେମାନଙ୍କୁ ପୂର୍ବରୁ ସୂଚନା ଦେବାକୁ । ମାତ୍ର ନିର୍ଦ୍ଦେଶରେ ଅବହେଳା ହୋଇଥିବା ନେଇ ଜଣାପଡିଛି । ଡିସେମ୍ବର ୨୦୨୪ରେ ହିଁ ଏନଜିଟି ତାଙ୍କ ନିର୍ଦ୍ଦେଶରେ କହିଥିଲେ ଯେ ମହାକୁମ୍ଭ ସମୟରେ ପ୍ରୟାଗରାଜରେ ଗଙ୍ଗା ଜଳର ପର୍ୟ୍ୟାପ୍ତ ଉପଲବ୍ଧତା ରହିବା ଉଚିତ ଏବଂ ଏହି ଜଳ ସ୍ନାନ ଏବଂ ପିଇବା ପାଇଁ ଉପଯୁକ୍ତ ହେବା ଉଚିତ।
ଅଧିକ ପଢନ୍ତୁ: ଆପ୍ ନେତା ସତ୍ୟେନ୍ଦ୍ର ଜୈନଙ୍କ ପାଇଁ ବଢିଲା ଅଡ଼ୁଆ; ମନି ଲଣ୍ଡରିଂ ମାମଲାରେ ରୁଜୁ ହେବ ମାମଲା, ଅନୁମତି ଦେଲେ ରାଷ୍ଟ୍ରପତି
ତେବେ ଏହା ପ୍ରଥମ ଥର ନୁହେଁ। ୨୦୧୯ ମସିହାରେ ପ୍ରୟାଗରାଜ କୁମ୍ଭ ଉପରେ ସିପିସିବି ରିପୋର୍ଟରେ କୁହାଯାଇଥିଲା ଯେ ମୁଖ୍ୟ ସ୍ନାନ ଦିନଗୁଡ଼ିକରେ ମଧ୍ୟ ପାଣିର ଗୁଣବତ୍ତା ଖରାପ ଥିଲା। ୨୦୧୯ କୁମ୍ଭମେଳାରେ ୧୩୦.୨ ନିୟୁତ ଭକ୍ତ ଯୋଗ ଦେଇଥିଲେ। ରିପୋର୍ଟ ଅନୁଯାୟୀ, କରସର ଘାଟରେ ବିଓଡି ଏବଂ ଫେକଲ କୋଲିଫର୍ମର ସ୍ତର ଆବଶ୍ୟକତା ଠାରୁ ଅଧିକ ଥିଲା ।