ଚେନ୍ନାଇ: ତାମିଲନାଡୁରେ ସରକାର ଗଠନକୁ ନେଇ ସସପେନ୍ସ ବଢ଼ିବାରେ ଲାଗିଛି। ସୁପରଷ୍ଟାର ଥାଲାପଥି ବିଜୟଙ୍କ ମୁଖ୍ୟମନ୍ତ୍ରୀ ହେବା ସ୍ଵପ୍ନ ଉପରେ ଏବେ ଗ୍ରହଣ ଲାଗିଛି। ଶନିବାର ସକାଳେ ଶପଥ ଗ୍ରହଣ ଉତ୍ସବ ଅନୁଷ୍ଠିତ ହେବାକୁ ନେଇ ଚର୍ଚ୍ଚା ହେଉଥିବା ବେଳେ, ବର୍ତ୍ତମାନ ଏହା ସମ୍ଭବ ହେବ ନାହିଁ ବୋଲି ଜଣାପଡ଼ିଛି। ମେଣ୍ଟ ସହଯୋଗୀଙ୍କ ଜିଦ୍ ଏବଂ ବହୁମତର ସଂଖ୍ୟା ଗଣିତ ବିଜୟଙ୍କ ଅଡ଼ୁଆ ବଢ଼ାଇ ଦେଇଛି।
ଡେପୁଟି ସିଏମ୍ ପଦ ପାଇଁ VCK ର ଜିଦ୍
ସୂତ୍ର ଅନୁଯାୟୀ, ବିଜୟଙ୍କ ପ୍ରମୁଖ ସହଯୋଗୀ ଦଳ VCK (ବିଦୁଥଲାଇ ଚିରୁଥାଇଗଲ କଟାଚି) ଏବେ ବଡ଼ ଦାବି କରିଛି। ଦଳ ପକ୍ଷରୁ ଉପ-ମୁଖ୍ୟମନ୍ତ୍ରୀ ପଦ ପାଇଁ ଜିଦ୍ ଧରାଯାଇଛି। ଯେପର୍ଯ୍ୟନ୍ତ ଏହି ଦାବି ପୂରଣ ହୋଇନାହିଁ, ସେପର୍ଯ୍ୟନ୍ତ ଦଳ ସମର୍ଥନ ପତ୍ର ଦେବାକୁ କୁନ୍ଥୁକୁନ୍ଥୁ ହେଉଥିବା ଜଣାପଡ଼ିଛି। କେବଳ VCK ନୁହେଁ, ଅନ୍ୟ କିଛି ସହଯୋଗୀ ଦଳ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ମନ୍ତ୍ରଣାଳୟ ପାଇଁ ଚାପ ପ୍ରୟୋଗ କରୁଛନ୍ତି।
ରାଜ୍ୟପାଳଙ୍କ ସୂଚନା: ‘ମ୍ୟାଜିକ୍ ନମ୍ବର’ରୁ ପଛରେ ବିଜୟ
ରାଜ୍ୟପାଳ ଆର.ଭି. ଅର୍ଲେକରଙ୍କ କାର୍ଯ୍ୟାଳୟ ପକ୍ଷରୁ ସ୍ପଷ୍ଟ କରାଯାଇଛି ଯେ, ବିଜୟ ଏପର୍ଯ୍ୟନ୍ତ ସରକାର ଗଠନ ପାଇଁ ଆବଶ୍ୟକୀୟ ବହୁମତ ପ୍ରମାଣ କରିପାରି ନାହାନ୍ତି। ରାଜ୍ୟପାଳ କହିଛନ୍ତି ଯେ ତାଙ୍କ ପାଖରେ ମାତ୍ର ୧୧୬ ଜଣ ବିଧାୟକଙ୍କ ସମର୍ଥନ ପତ୍ର ପହଞ୍ଚିଛି। ଅନ୍ୟ କିଛି ଦଳଙ୍କ ସମର୍ଥନ ପତ୍ର ନ ମିଳିବା ପର୍ଯ୍ୟନ୍ତ ସରକାର ଗଠନ ପାଇଁ ନିମନ୍ତ୍ରଣ ଦିଆଯାଇ ପାରିବ ନାହିଁ।
କାଲି ହେବନି ଶପଥ ଗ୍ରହଣ
ପୂର୍ବରୁ ଆଶା କରାଯାଉଥିଲା ଯେ ଶନିବାର ସକାଳ ୧୧ଟାରେ ବିଜୟ ଶପଥ ନେବେ। କିନ୍ତୁ ବର୍ତ୍ତମାନର ସ୍ଥିତିକୁ ଦେଖିଲେ ଶପଥ ଗ୍ରହଣ ଉତ୍ସବ ସୁଦୂର ପରାହତ ମନେ ହେଉଛି। ବିଧାୟକଙ୍କୁ ମନାଇବା ଏବଂ ମେଣ୍ଟ ଭିତରେ ଥିବା କନ୍ଦଳ ଦୂର କରିବା ପାଇଁ ବିଜୟଙ୍କ ଟିମ୍ ଏବେ ଘନ ଘନ ବୈଠକ କରୁଛି।