ମୁମ୍ବାଇ: ମହାରାଷ୍ଟ୍ର ରାଜ୍ୟପାଳ ସି.ପି. ରାଧାକ୍ରିଷ୍ଣନ ବିଜେପିର ବରିଷ୍ଠ ନେତା ଦେବେନ୍ଦ୍ର ଫଡନାଭିସଙ୍କୁ ନୂଆ ସରକାର ଗଠନ ପାଇଁ ନିମନ୍ତ୍ରଣ କରିଛନ୍ତି। ସେ ଆଜି ରାଜ୍ୟର ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ। ଦକ୍ଷିଣ ମୁମ୍ବାଇର ଆଜାଦ ମୈଦାନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଉପସ୍ଥିତିରେ ଆୟୋଜିତ ହେବାକୁ ଥିବା ଏକ ସମାରୋହରେ ଏନସିପି ନେତା ଅଜିତ ପାୱାର ଏବଂ ଦୁଇ ଉପମୁଖ୍ୟମନ୍ତ୍ରୀ ମଧ୍ୟ ଶପଥ ଗ୍ରହଣ କରିବେ।
ଶପଥ ଗ୍ରହଣ ସମାରୋହ ପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି। ଏଥି ପାଇଁ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଛି। ଏଥିସହିତ ଅତିଥିଙ୍କ ତାଲିକା ମଧ୍ୟ ପ୍ରସ୍ତୁତ କରାଯାଇଛି। ପ୍ରଧାନମନ୍ତ୍ରୀ ମୋଦୀଙ୍କ ବ୍ୟତୀତ 'ଲାଡଲି ବେହନା' ଯୋଜନାର ୧୦୦୦ ହିତାଧିକାରୀଙ୍କୁ ମଧ୍ୟ ତାଙ୍କ ଶପଥ ଗ୍ରହଣ ସମାରୋହରେ ନିମନ୍ତ୍ରଣ କରାଯାଇଛି।
ଶପଥ ଗ୍ରହଣ ସମାରୋହରେ ପାଖାପାଖି ୪୨ ହଜାର ଲୋକ ଯୋଗଦେବେ ବୋଲି ବିଜେପି ନେତା ପ୍ରସାଦ ଲାଡ କହିଛନ୍ତି। ଏହି ସମାରୋହରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ସମେତ ୯ରୁ ୧୦ ଜଣ କେନ୍ଦ୍ରମନ୍ତ୍ରୀ, ୧୯ ଜଣ ମୁଖ୍ୟମନ୍ତ୍ରୀ ଓ ଉପମୁଖ୍ୟମନ୍ତ୍ରୀ ଯୋଗଦେବେ। ପ୍ରାୟ ୪୦ ହଜାର ବିଜେପି ସମର୍ଥକଙ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଥିବା ବେଳେ ବିଭିନ୍ନ ଧର୍ମର ନେତାଙ୍କ ସମେତ ୨ ହଜାର ଭିଭିଆଇପିଙ୍କ ପାଇଁ ପୃଥକ ବସିବା ବ୍ୟବସ୍ଥା କରାଯାଇଛି।
ସମାରୋହରେ ଅତିଥି
-ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ
-କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ
-ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା
-ଏନଡିଏ ଶାସିତ ରାଜ୍ୟର ମୁଖ୍ୟମନ୍ତ୍ରୀ/ଉପମୁଖ୍ୟମନ୍ତ୍ରୀ
-କେନ୍ଦ୍ରମନ୍ତ୍ରୀ
-ସାଧୁସନ୍ଥ
-'ଲାଡଲି ବେହନା' ଯୋଜନାରେ ୧୦୦୦ ମହିଳା ହିତାଧିକାରୀ
-ଚାଷୀ ହିତାଧିକାରୀ
-ଇଣ୍ଡଷ୍ଟ୍ରି, ମନୋରଞ୍ଜନ, ଶିକ୍ଷା ଓ ସାହିତ୍ୟର ସେଲିବ୍ରିଟି
-ବିଜେପି, ଶିବସେନା ଓ ଏନସିପି ଭଳି ମହାୟୁଟିର ସମସ୍ତ ସହଯୋଗୀ ଦଳର କର୍ମକର୍ତ୍ତା
ଜଣେ ଅଧିକାରୀ କହିଛନ୍ତି ଯେ ସମାରୋହ ସମୟରେ ସୁରକ୍ଷା ପାଇଁ ୪ ହଜାରରୁ ଅଧିକ ପୁଲିସ ମୁତୟନ କରାଯାଇଛି। ସୁରକ୍ଷା ପାଇଁ ୩୫୦୦ ପୁଲିସ ଓ ୫୨୦ ଅଫିସରଙ୍କୁ ନିୟୋଜିତ ହୋଇଛନ୍ତି।
ମହାରାଷ୍ଟ୍ରରେ ନଭେମ୍ବର ୨୦ରେ ହୋଇଥିବା ନିର୍ବାଚନରେ ଉଲ୍ଲେଖନୀୟ ବିଜୟ ହାସଲ କରି ବିଜେପି ୨୮୮ ବିଧାନସଭା ଆସନରୁ ୧୩୨ଟିରେ ବିଜୟୀ ହୋଇଥିଲା, ଯାହା ଆଜି ପର୍ଯ୍ୟନ୍ତ ରାଜ୍ୟରେ ଏହାର ଶ୍ରେଷ୍ଠ ପ୍ରଦର୍ଶନ। ଶିବସେନା ଏବଂ ଏନସିପି ଏବଂ ବିଜେପିକୁ ନେଇ ଗଠିତ ମହାୟୁତି ମେଣ୍ଟରେ ୨୩୦ଟି ଆସନ ସହ ସଂଖ୍ୟାଗରିଷ୍ଠତା ରହିଛି।
ଅଧିକ ପଢ଼ନ୍ତୁ: ଫଡନାଭିସ ଆଜି ତୃତୀୟ ଥର ନେବେ ଉପମୁଖ୍ୟମନ୍ତ୍ରୀ ପଦର ଶପଥ