ନୂଆଦିଲ୍ଲୀ: କରଦାତାଙ୍କ ପାଇଁ ବଡ ଆଶ୍ୱସ୍ତିକର ଖବର । ଆୟକର ବିଭାଗ ଆର୍ଥିକ ବର୍ଷ ୨୦୨୪-୨୫ ପାଇଁ ଆୟକର ରିଟର୍ଣ୍ଣ ଦାଖଲ ପାଇଁ ଶେଷ ତାରିଖ ୨୦୨୫ ଜୁଲାଇ ୩୧ ତାରିଖ ବଦଳରେ ୨୦୨୫ ସେପ୍ଟେମ୍ବର ୧୫କୁ ବଢାଇଛି । ଆୟକର ରିଟର୍ଣ୍ଣ ଫର୍ମର ଅଧିସୂଚନା ଜାରି କରିବାରେ ବିଳମ୍ବ ପାଇଁ ବିଭାଗ ଏହି ନିର୍ଣ୍ଣୟ ନେଇଛି । ମଙ୍ଗଳବାର ଆୟକର ବିଭାଗ ଏକ୍ସରେ ପୋଷ୍ଟ କରି ଏହାର ଘୋଷଣା କରିଛି ।
ପୋଷ୍ଟରେ କୁହାଯାଇଛି ଯେ, ଟ୍ୟାକ୍ସପେୟର୍ସ ଦୟା କର ଧ୍ୟାନ ଦିଅନ୍ତୁ । ସିବିଡିଟି ଆୟକର ରିଟର୍ଣ୍ଣ ଦାଖଲ କରିବାର ତାରିଖକୁ ଆଗକୁ ବଢାଇ ୨୦୨୫ ସେପ୍ଟେମ୍ବର ୧୫ ତାରିଖ କରିଛି । ଏହା ପୂର୍ବରୁ ଆଇଟିଆର ଦାଖଲ କରିବାର ଶେଷ ତାରିଖ ୨୦୨୫ ଜୁଲାଇ ୩୧ ତାରିଖ ଥିଲା । ଏହି ବୃଦ୍ଧି ଆଇଟିଆର ଫର୍ମ, ସିଷ୍ଟମ ଡେଭଲପମେଣ୍ଟର ଆବଶ୍ୟକତା ଏବଂ ଟିଡିଏସ କ୍ରେଡିଟ୍ ରିଫ୍ଲେକ୍ସନରେ ମହତ୍ୱପୂର୍ଣ୍ଣ ସଂଶୋଧନ ପାଇଁ କରାଯାଇଛି । ଏସବୁ ସଂଶୋଧନ ପରେ ଟ୍ୟାକ୍ସ ପୈଠ ଆହୁରି ସରଳ ହୋଇଯିବ ବୋଲି ବିଭାଗ ପକ୍ଷରୁ କୁହାଯାଇଛି ।