ନୂଆଦିଲ୍ଲୀ: ପରଲୋକରେ ପୂର୍ବତନ ପ୍ରଧାନମନ୍ତ୍ରୀ ଡ. ମନମୋହନ ସିଂଙ୍କ । ୯୨ ବର୍ଷୀୟ ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ ଏମ୍ସରେ ଚିକିତ୍ସାଧୀନ ଅବସ୍ଥାରେ ପରଲୋକ ଘଟିଛି। ଏଥିସହ ଦେଶ ରାଜନୀତିରେ ଏକ ଯୁଗର ଅବସାନ ଘଟିଛି। ଏହା ପୂର୍ବରୁ ସ୍ଵାସ୍ଥ୍ୟବସ୍ଥା ବିଗିଡ଼ିବା ପରେ ତାଙ୍କୁ ଏମ୍ସର ଜରୁରୀକାଳୀନ ବିଭାଗରେ ଭର୍ତ୍ତି କରାଯାଇଥିଲା। ମନମୋହନଙ୍କ ନିଃଶ୍ଵାସ ପ୍ରଶ୍ଵାସରେ ଯନ୍ତ୍ରଣା ଅନୁଭବ ହେବା ପରେ ତାଙ୍କୁ ଏମ୍ସର ଆଇସିୟୁରେ ଭର୍ତ୍ତି କରାଯାଇଥିଲା।
ଡ. ମନମୋହନ ସିଂ ୨୦୦୪ରୁ ୨୦୧୪ ପର୍ଯ୍ୟନ୍ତ ଭାରତର ପ୍ରଧାନମନ୍ତ୍ରୀ ପଦରେ ରହି ଦେଶର ଶାସନଭାର ସମ୍ଭାଳିଛନ୍ତି। ସେ ମୋଟ୍ ୩୩ ବର୍ଷ ପର୍ଯ୍ୟନ୍ତ ଦେଶର ରାଜ୍ୟସଭା ସଦସ୍ୟ ରହିଥିଲେ। ଚଳିତ ବର୍ଷ ଆରମ୍ଭରେ ରାଜ୍ୟସଭା ସାଂସଦ ଭାବେ କାର୍ଯ୍ୟକାଳ ସରିବା ସହିତ ରାଜନୀତିରୁ ସନ୍ନ୍ୟାସ ନେଇଥିଲେ।
୧୯୯୧ ମସିହାରେ ମନମୋହନ ସିଂହ ରାଜ୍ୟସଭା ସାଂସଦ ଭାବେ ନିଜର ରାଜନୈତିକ କ୍ୟାରିୟର ଆରମ୍ଭ କରିଥିଲେ। ରାଜ୍ୟସଭାରେ ୪ ମାସ ରହିବା ପରେ ସେହି ବର୍ଷ ଜୁନ ମାସରେ ସେ ପିଭି ନରସିହ୍ନା ରାଓଙ୍କ ସରକାରରେ କେନ୍ଦ୍ର ଅର୍ଥମନ୍ତ୍ରୀ ହୋଇଥିଲେ। ୧୯୯୧ରୁ ୧୯୯୬ ପର୍ଯ୍ୟନ୍ତ ଦେଶର ଅର୍ଥମନ୍ତ୍ରୀ ଦାୟିତ୍ୱ ସମ୍ଭାଳିଥିଲେ। ନିଜେ ଅର୍ଥମନ୍ତ୍ରୀ ଥିବା ସମୟରେ ଦେଶରେ ବ୍ୟାପକ ଆର୍ଥିକ ସୁଧାର ଆଣିବା ଦିଗରେ କାମ କରିଥିଲେ।
ଅର୍ଥମନ୍ତ୍ରୀ ଭାବେ ୧୯୯୧ ଜୁଲାଇ ୨୪ରେ ସେ ପ୍ରଥମ ବଜେଟ୍ ଉପସ୍ଥାପନ କରିଥିଲେ। ଏହି ବଜେଟ୍ ଦେଶରେ ଅର୍ଥନୈତିକ ଉଦାରୀକରଣରେ ମୂଳଦୁଆ ପକାଇଥିବା କୁହାଯାଏ। ରାଜନୈତିକ କ୍ଷେତ୍ରରେ ବେଶ ସଫଳ ହୋଇଥିବା ମନମୋହନ ସିଂହ ଶିକ୍ଷା କ୍ଷେତ୍ରରେ ମଧ୍ୟ ମେଧାବୀ ଥିଲେ। ପଞ୍ଜାବ ବିଶ୍ୱ ବିଦ୍ୟାଳୟରୁ ଉଭୟ ବିଏ ଓ ଏମ୍ଏର ଟପର ହୋଇଥିଲେ ମନମୋହନ। ଏହାପରେ କ୍ୟାମ୍ବ୍ରିଜ୍ ୟୁନିଭର୍ସିଟିରେ ପାଠ ପଢ଼ିଥିଲେ। ଏବଂ ପରେ ଲଣ୍ଡନର ଅକ୍ସଫୋର୍ଡ ୟୁନିଭର୍ସିଟିରେ ଡି ଫିଲ୍ କରିଥିଲେ।
ଭାରତର ଅର୍ଥନୀତିରେ ଉଦାରୀକରଣ ନୀତି ଲାଗୁ କରି ଘରୋଇ କରଣ କରିବା ଓ ଗ୍ଲୋବାଲାଇଜେସନ କରିବାରେ ମନମୋହନ ସିଂହ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ। ମନମୋହନ ସିଂହଙ୍କ କଠିନ ପରିଶ୍ରମ ପାଇଁ ଖୋଦ୍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କୁ ବେଶ ପ୍ରଶାଂସ କରିଛନ୍ତି।