ନୂଆଦିଲ୍ଲୀ: ନିଟ୍-ୟୁଜି ମାମଲାରେ ଆଜି ସୁପ୍ରିମକୋର୍ଟରେ ଗୁରୁତ୍ବପୂର୍ଣ୍ଣ ଶୁଣାଣି ହେବ। ଦେଶବ୍ୟାପୀ ଛାତ୍ରଛାତ୍ରୀଙ୍କ ଏହା ହେଉଛି ଭବିଷ୍ୟତର ପ୍ରଶ୍ନ। ଏଥି ପାଇଁ ସମସ୍ତଙ୍କର ନଜର ଏହାରି ଉପରେ ରହିଛି ଯେ, କ’ଣ ନିଟ୍-ୟୁଜି ପରୀକ୍ଷା ବାତିଲ ହୋଇ ପୁଣି ଥରେ ଆୟୋଜନ ହେବ? ଆଶା କରାଯାଉଛି ଯେ, ଏହି ମାମଲାରେ ସୁପ୍ରିମକୋର୍ଟ ଖୁବ୍ ଶୀଘ୍ର ଶୁଣାଣି କରିବେ। ଏହା ପୂର୍ବରୁ ସୁପ୍ରିମକୋର୍ଟରେ କେନ୍ଦ୍ର ସରକାର, ଏନ୍ଟିଏ ଓ ସିବିଆଇ ତରଫରୁ ସତ୍ୟପାଠ ଦାଖଲ କରାଯାଇଛି।
ସୁପ୍ରିମକୋର୍ଟରେ ଛାତ୍ରଛାତ୍ରୀମାନେ ଯେଉଁ ଆବେଦନ କରିଛନ୍ତି, ଏଥିରେ କଥିତ ଭାବେ ପ୍ରଶ୍ନପତ୍ର ଲିକ୍ ନେଇ ଦ୍ବିତୀୟ ଥର ପରୀକ୍ଷା ଆୟୋଜନ କରାଯିବା ଓ ଘଟଣାର ତଦନ୍ତ ଦାବି କରାଯାଇଛି। ପ୍ରଧାନ ବିଚାରପତି ଡିୱାଇ ଚନ୍ଦ୍ରଚୂଡ଼, ଜଷ୍ଟସି ଜେବି ପାରଦୀୱାଲା ଓ ଜଷ୍ଟିସ ମନୋଜ ମିଶ୍ରାଙ୍କୁ ନେଇ ଗଠିତ ଖଣ୍ଡପୀଠ ମେଡିକାଲ ପ୍ରବେଶିକା ପରୀକ୍ଷାରେ ତ୍ରୁଟି ସଂପର୍କିତ ଆବେଦନ ଉପରେ ଶୁଣାଣି କରୁଛନ୍ତି। କେନ୍ଦ୍ର ଓ ଏନ୍ଟିଏ ଗତ ମେ’ ମାସ ୫ ତାରିଖରେ ଆୟେଜିତ ପରୀକ୍ଷାରେ କୌଣସି ପ୍ରକାରର ସାମୁହିକ ତ୍ରିଟି ହୋଇ ନାହିଁ ବୋଲି ଯୁକ୍ତି ରଖିଥିଲେ। ଗୁରୁବାର ସିବିଆଇ ମଧ୍ୟ ସୁପ୍ରିମକୋର୍ଟରେ ସତ୍ୟପାଠ ଦାଖଲ କରିଛି। ଏହା ପୂର୍ବରୁ ବୁଧବାର କେନ୍ଦ୍ର ସରକାର ଓ ଏନଟିଏ ସତ୍ୟପାଠ ଦାଖଲ କରିଥିଲା।
କେନ୍ଦ୍ର ସରକାର ପୂର୍ବରୁ କୋର୍ଟଙ୍କୁ କହିସାରିଛନ୍ତି ଯେ, ନିଟ୍ ପରୀକ୍ଷା ଦ୍ବିତୀୟ ଥର କରିବା ସପକ୍ଷରେ ନାହାନ୍ତି। କେନ୍ଦ୍ର ଓ ଏନ୍ଟିଏଙ୍କୁ କୋର୍ଟ ପଚାରିଥିଲେ ଯେ, ପ୍ରଶ୍ନପତ୍ରକୁ କେମିତି ସୁରକ୍ଷିତ ରଖାଯାଇଥିଲା। ଏହାକୁ କେମିତି ପରୀକ୍ଷା କେନ୍ଦ୍ରକୁ ପଠାଯାଇଥିଲା ଓ ସମ୍ଭାବିତ ଲିକ୍ କେମିତି ହୋଇଥିଲା? ଏହି ପୂରା ପ୍ରକ୍ରିୟା ସଂପର୍କରେ ସତ୍ୟପାଠ ଦାଖଲ କରନ୍ତୁ। କୋର୍ଟ ଏହା ମଧ୍ୟ କହିଥିଲେ ଯେ, ଯଦି ତଦନ୍ତ ବଢ଼ିବା ଓ କଥିତ ପେପର ଲିକ୍ର ପ୍ରଭାବର ସୀମାରେ କୋର୍ଟ ସନ୍ତୁଷ୍ଟ ହେବେନାହିଁ, କେବଳ ଅନ୍ତିମ ଉପାୟ ଭାବେ ଦ୍ବିତୀୟ ଥର ପରୀକ୍ଷା ପାଇଁ ଆଦେଶ ଦିଆଯିବ।