25 ହଜାର କୋଟି ଟଙ୍କାର ଜମି ଦୁର୍ନୀତିର ପର୍ଦ୍ଦାଫାଶ, ଫାରୁକ୍ ଅବଦୁଲ୍ଲାଙ୍କ ସମେତ ଆହୁରି ଅନେକ ନେତାଙ୍କ ନାମ ସାମିଲ
Khabar Odisha:Big-disclosure-in-land-scam-of-25-thousand-crores-many-big-names-including-Farooq-Abdullah-involved
ଶ୍ରୀନଗର, ନଭେମ୍ବର ୨୪ (ଖବର ଓଡ଼ିଶା):

ଜାମ୍ମୁ କାଶ୍ମୀରର 25 ହଜାର କୋଟି ଟଙ୍କାର ଏକ ବଡ ଜମି ସ୍କାମରେ ବଡ ବଡ ନେତାଙ୍କ ନାମ ସାମ୍ନାକୁ ଆସିଛି । ଏହି ତାଲିକାରେ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ନ୍ୟାସନାଲ କନଫରେନ୍ସ ଦଳର ମୁଖ୍ୟ ଫାରୁକ୍ ଅବଦୁଲ୍ଲା ଏବଂ ତାଙ୍କର ଅନେକ ସହକର୍ମୀଙ୍କ ନାମ ମଧ୍ୟ ରହିଛି । ଜାମ୍ମୁ କାଶ୍ମୀର ହାଇକୋର୍ଟଙ୍କ ନିର୍ଦ୍ଦେଶରେ ବର୍ତ୍ତମାନ ପର୍ଯ୍ୟନ୍ତ  UT ପ୍ରଶାସନ ଏବଂ ସିବିଆଇ ଦ୍ୱାରା କରାଯାଇଥିବା ଅନୁସନ୍ଧାନ ଅନୁଯାୟୀ ଅବଦୁଲ୍ଲା 1998 ମସିହାରେ ଜାମ୍ମୁ ଡିଭିଜନର ସଞ୍ଜୱାନ ଅଞ୍ଚଳର ବିଭିନ୍ନ ଲୋକଙ୍କଠାରୁ ତିନି କେନାଲ ଜମି କ୍ରୟ କରିଥିଲେ, କିନ୍ତୁ କ୍ରୟ କରିଥିବା ଜମି ନିକଟରେ ଥିବା ଜଙ୍ଗଲର ସାତୋଟି କେନାଲ ଜମିକୁ ମଧ୍ୟ ଜବରଦଖଲ କରି ଘର ନିର୍ମାଣ କରିଦେଇଥିଲେ ।

ସିବିଆଇ ଅନୁସନ୍ଧାନ ଅନୁଯାୟୀ ଅବଦୁଲ୍ଲା ଏହା ପରେ ଜମ୍ମୁ ଏବଂ ଶ୍ରୀନଗରରେ ଥିବା ସ୍ୱତନ୍ତ୍ର ରୋଶନୀ ଆଇନକୁ ବ୍ୟବହାର କରି ତାଙ୍କ ଭଉଣୀ ସୁରୟା ମାଟ୍ଟୁ ଏବଂ ତାଙ୍କ ଦଳ ପାଇଁ ବେଆଇନ ଭାବେ ଜମି ବଣ୍ଟନ କରିଥିଲେ । ଏହା ବ୍ୟତୀତ ତାଙ୍କ ନିକଟବର୍ତ୍ତୀ ଲୋକମାନେ ମଧ୍ୟ ସଞ୍ଜୱାନ ଅଞ୍ଚଳରେ ବେଆଇନ ଭାବେ ଜଙ୍ଗଲ ଏବଂ ସରକାରୀ ଜମି ଦଖଲ କରିଥିଲେ । ଏଥିରେ ବିଶେଷ ଭାବରେ ଏନସି ନେତା ସୟଦ ଅଲି ଅଖୁନଙ୍କ ନାମ ଅନ୍ତର୍ଭୁକ୍ତ ।

ଫାରୁକ୍ ଅବଦୁଲ୍ଲାଙ୍କ ଦ୍ୱାରା ବେଆଇନ ଭାବେ ଦଖଲ ହୋଇଥିବା ସାତଟି କେନାଲ ଜମିର ମୂଲ୍ୟ ପ୍ରାୟ ଦଶ କୋଟି ଟଙ୍କା ହେବ ବୋଲି ଜଣାପଡିଛି  । ଏହି ଅଞ୍ଚଳର ବିଭିନ୍ନ ଲୋକଙ୍କ ଦ୍ୱାରା ବେଆଇନ ଭାବେ ଜବତ ହୋଇଥିବା ତିରିଶ କେନାଲ ଜମିର ମୂଲ୍ୟ 40 କୋଟି ଟଙ୍କା ହେବ ବୋଲି ଜଣାପଡିଛି ।

ରୋଶନି ସ୍କାମ କ?

2001 ରେ ରୋଶନି ଆକ୍ଟ ପ୍ରଣୟନ କରାଯାଇଥିଲା । ସେତେବେଳେ ସରକାରୀ ଜମିକୁ ବେଆଇନ ଭାବେ ଦଖଲ କରୁଥିବା ବ୍ୟକ୍ତିଙ୍କୁ ଏକ ନିର୍ଦ୍ଦିଷ୍ଟ ପରିମାଣର ଅର୍ଥ ଜମା କରିବାକୁ କୁହାଯାଉଥିଲା, ଏହି ଅର୍ଥ ଜମା କରିବା ପରେ ତାଙ୍କ ଦ୍ୱାରା ଜବରଦଖଲ ହୋଇଥିବା ଜମି ତାଙ୍କ ନାମରେ କରି ଦିଆଯାଉଥିଲା  । ଏହି ଆଇନକୁ ବ୍ୟବହାର କରି କାଶ୍ମୀରର ବଡ ବଡ ଲୋକମାନେ ହଜାର ହଜାର କୋଟି ଟଙ୍କାର ଜମିକୁ ବେଆଇନ ଭାବେ ନିଜ ନାମରେ କରିଦେଇଥିଲେ ।  ବର୍ତ୍ତମାନ ସିବିଆଇ ଏହି ରୋଶନୀ ସ୍କାମର ତଦନ୍ତ କରୁଛି । ଏହି ମାମଲା ବର୍ତ୍ତମାନ ହାଇକୋର୍ଟରେ ବିଚାରଧୀନ ଥିବା ଜଣାପଡିଛି ।

ସୂଚନାନୁସାରେ, ଏହି ଘୋଟାଲାରେ ତିନିଟି ବଡ ଦଳ ତଥା ନ୍ୟାସନାଲ କନଫରେନ୍ସ , ପିଡିପି ଏବଂ କଂଗ୍ରେସର ପ୍ରାୟ 200 ନେତାଙ୍କ ନାମ ରହିଛି। ଏହା ବ୍ୟତୀତ କିଛି ବଡ IAS ଅଧିକାରୀ, କିଛି ବଡ ବ୍ୟବସାୟୀ ଏବଂ ହୋଟେଲ ମାଲିକଙ୍କ ନାମ ମଧ୍ୟ ଅନ୍ତର୍ଭୁକ୍ତ ଅଛି |

  • Tags:

Subscribe

National International State Sports Entertainment