ନୂଆଦିଲ୍ଲୀ: ଅରବିନ୍ଦ କେଜ୍ରିୱାଲଙ୍କ ଇସ୍ତଫା ପରେ ଆତିଶିଙ୍କୁ ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଭାବେ ନିର୍ବାଚିତ କରାଯାଇଛି । ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ପରେ ଆତିଶି ବର୍ତ୍ତମାନ ସମୟରେ ଭାରତର ଦ୍ୱିତୀୟ ମହିଳା ମୁଖ୍ୟମନ୍ତ୍ରୀ । ମଙ୍ଗଳବାର ଆମ୍ ଆଦମୀ ପାର୍ଟିର ବିଧାୟକ ଦଳ ବୈଠକରେ ବିଧାୟକ ଦଳ ନେତା ଭାବେ ଆତିଶିଙ୍କ ନାଁରେ ମୋହର ବାଜିଛି । ବୈଠକରେ ଆତିଶିଙ୍କ ନାମର ପ୍ରସ୍ତାବ ଖୋଦ୍ ଅରବିନ୍ଦ କେଜ୍ରିୱାଲ ରଖିଥିଲେ, ଯାହା ଉପରେ ସମସ୍ତ ସଦସ୍ୟ ସହମତି ପ୍ରକାଶ କରିଥିଲେ ।
ଆମ୍ ଆଦମୀ ପାର୍ଟିର ବିଧାୟକ ଦଳ ବୈଠକରେ ନିଆଯାଇଥିବା ନିଷ୍ପତ୍ତି ଅନୁଯାୟୀ, ଅରବିନ୍ଦ କେଜ୍ରିୱାଲଙ୍କ ପରେ ଆତିଶି ଦିଲ୍ଲୀର ମୁଖ୍ୟମନ୍ତ୍ରୀ ହେବେ । ଦିଲ୍ଲୀର ମୁଖ୍ୟମନ୍ତ୍ରୀ ପଦରେ ମହିଳା ମୁଖ୍ୟମନ୍ତ୍ରୀ ଭାବେ ତାଙ୍କ ପୂର୍ବରୁ ଶୀଲା ଦୀକ୍ଷିତ ଓ ସୁଷମା ସ୍ୱରାଜ ରହି ସାରିଛନ୍ତି । ଏହିପରି ଭାବେ ଆତିଶି ଦିଲ୍ଲୀର ତୃତୀୟ ମହଳା ମୁଖ୍ୟମନ୍ତ୍ରୀ ହୋଇଛନ୍ତି ।
ଆଜି ଅରବିନ୍ଦ କେଜ୍ରିୱାଲ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବେ । ସେ ଆଜି ସନ୍ଧ୍ୟା ପ୍ରାୟ ୫ଟାରେ ଉପ ରାଜ୍ୟପାଳ ଭିକେ ସକ୍ସେନାକୁ ସାକ୍ଷାତ କରିବେ । ଏହି ସମୟରେ ସେ ଉପ ରାଜ୍ୟପାଳଙ୍କୁ ବିଧାୟକ ଦଳ ବୈଠକର ନିଷ୍ପତ୍ତି ବିଷୟରେ ଅବଗତ କରାଇବେ ।
ଆତିଶିଙ୍କ ରାଜନୈତିକ ଜୀବନ ଉପରେ ନଜର ପକାଇଲେ ସେ ଆମ୍ ଆଦମୀ ପାର୍ଟିର ଗଠନ ଆରମ୍ଭରୁ ହିଁ ପାର୍ଟି ସହ ଅଛନ୍ତି । ତାଙ୍କର ପାର୍ଟି ଗଠନରେ ମହତ୍ୱପୂର୍ଣ୍ଣ ଭୂମିକା ଥିବା ପାର୍ଟିର ନେତା ମଧ୍ୟ କହିଛନ୍ତି । ୨୦୧୩ ବିଧାନସଭା ନିର୍ବାଚନରେ ଆତିଶି ପାର୍ଟିର ନିର୍ବାଚନୀ ଇସ୍ତାହାର କମିଟିର ପ୍ରମୁଖ ଥିଲେ । ସେ ଆପର ରାଷ୍ଟ୍ରୀୟ ମୁଖପାତ୍ର ମଧ୍ୟ ରହିଛନ୍ତି । ଦିଲ୍ଲୀର ସରକାରୀ ସ୍କୁଲରେ ଶିକ୍ଷା ସ୍ତରର ଉନ୍ନତି ଦିଗରେ ମହତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଛନ୍ତି ।