ନୂଆଦିଲ୍ଲୀ: ବାଂଲାଦେଶରେ ଆଉ ଜଣେ ହିନ୍ଦୁ ବ୍ୟକ୍ତିଙ୍କୁ ଗୁଳି କରି ହତ୍ୟା। ଏହି ଘଟଣା ସୋମବାର ଅପରାହ୍ନରେ ଜେସୋର ଜିଲ୍ଲାର ମୋନିରାମପୁରରେ ଘଟିଛି। ଉଗ୍ରବାଦୀମାନେ ରାଣା ପ୍ରତାପ ବୈରାଗୀ ନାମକ ଜଣେ ୪୫ ବର୍ଷୀୟ ହିନ୍ଦୁ ବ୍ୟକ୍ତିଙ୍କୁ ସର୍ବସାଧାରଣରେ ଗୁଳି କରି ହତ୍ୟା କରିଛନ୍ତି। ପଡ଼ୋଶୀ ଦେଶରେ ନିର୍ବାଚନ ପାଖଉଥିଲେ ହେଁ ହିନ୍ଦୁମାନଙ୍କ ଉପରେ ଅତ୍ୟାଚାର ଥମିବାର ନାଁ ନେଉନି।
ରାଣା ପ୍ରତାପ ବୈରାଗୀଙ୍କ ହତ୍ୟା ସମେତ ଗତ ତିନି ସପ୍ତାହ ମଧ୍ୟରେ ବାଂଲାଦେଶରେ ହିନ୍ଦୁ ସମ୍ପ୍ରଦାୟର ଙ୍କ ଉପରେ ଆକ୍ରମଣର ଏହା ପଞ୍ଚମ ଘଟଣା। ସୂଚନା ଅନୁସାରେ, ରାଣା ପ୍ରତାପ ବୈରାଗୀ ଉପରେ ଅଚାନକ ଆକ୍ରମଣ କରାଯାଇଥିଲା। ଏହି ଘଟଣା ପରେ, ଅଞ୍ଚଳରେ ଆତଙ୍କର ବାତାବରଣ ଖେଳିଯାଇଛି।
ସ୍ଥାନୀୟ ସୂତ୍ର ଅନୁଯାୟୀ, ଘଟଣା ସମ୍ପର୍କରେ ସୂଚନା ପାଇବା ପରେ ପୋଲିସ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ରାଣା ପ୍ରତାପଙ୍କ ମୃତଦେହକୁ ହେପାଜତକୁ ନେଇ ତଦନ୍ତ ଆରମ୍ଭ କରିଛି। ଆକ୍ରମଣକାରୀଙ୍କ ପରିଚୟ ଏବଂ ହତ୍ୟା ପଛରେ ଥିବା ଉଦ୍ଦେଶ୍ୟର ସନ୍ଧାନ ଚଳାଇଛି ପୋଲିସ।
ବାଂଲାଦେଶର ଅନେକ ସ୍ଥାନରେ ଚାଲିଥିବା ପ୍ରତିବାଦ ଏବଂ ବଢ଼ୁଥିବା ଉତ୍ତେଜନା ମଧ୍ୟରେ ଏହି ଘଟଣା ପୁଣିଥରେ ହିନ୍ଦୁ ସଂଖ୍ୟାଲଘୁଙ୍କ ସୁରକ୍ଷା ଉପରେ ଗମ୍ଭୀର ପ୍ରଶ୍ନ ଉଠାଇଛି। ଏପରି ଘଟଣା ସମ୍ପ୍ରଦାୟ ମଧ୍ୟରେ ଭୟ ଏବଂ ଅସୁରକ୍ଷାର ବାତାବରଣ ସୃଷ୍ଟି କରିଛି। ମୋନିରାମପୁର ପୋଲିସ ଷ୍ଟେସନ ଅଧିକାରୀ ରାଜିଉଲ୍ଲାହ ଖାନ କହିଛନ୍ତି, ଆମେ ଘଟଣାସ୍ଥଳରେ ଉପସ୍ଥିତ ଅଛୁ। ମୃତଦେହ ଜବତ ସହ ପୋଷ୍ଟମର୍ଟମ ପାଇଁ ପ୍ରସ୍ତୁତି ଚାଲିଛି।
ଏହା ପୂର୍ବରୁ ଡିସେମ୍ବର ୩୧ ସନ୍ଧ୍ୟାରେ ବାଂଲାଦେଶର ଶରିୟତପୁର ଜିଲ୍ଲାର ଡାମୁଦ୍ୟ ଉପଜିଲ୍ଲାର କୋନେଶ୍ୱର ୟୁନିଅନର କେଉରଭଙ୍ଗା ବଜାର ନିକଟରେ ହିନ୍ଦୁ ବ୍ୟବସାୟୀ ଖୋକନ ଚନ୍ଦ୍ର ଦାସଙ୍କୁ ଏକ ଧର୍ମାନ୍ଧ ଜନତା ଛୁରି ଭୁସି ହତ୍ୟା କରିଥିଲେ ଏବଂ ପରେ ତାଙ୍କୁ ଦେହରେ ନିଆଁ ଲଗାଇ ଦେଇଥିଲେ। ଗୁରୁତର ପୋଡ଼ି ଯାଇଥିବା ତ ଖୋକନ ଚନ୍ଦ୍ର ଦାସ ଢାକାର ଜାତୀୟ ବର୍ନ ପ୍ରତିଷ୍ଠାନରେ ଚିକିତ୍ସାଧୀନ ଥିଲେ, ଯେଉଁଠାରେ ତାଙ୍କର ଶନିବାର ଅର୍ଥାତ ଜାନୁଆରୀ ୩ ତାରିଖ ସକାଳେ ମୃତ୍ୟୁ ହୋଇଥିଲା।
Also read: ସରକାରୀ ଚାକିରିରେ ସଂରକ୍ଷଣକୁ ନେଇ ସୁପ୍ରିମକୋର୍ଟଙ୍କ ବଡ଼ ରାୟ