ନୂଆଦିଲ୍ଲୀ: ସୁପ୍ରିମକୋର୍ଟ ବୁଲା କୁକୁର ସଂପର୍କିତ ଯାଚିକା ଉପରେ ଶୁଣାଣି କରି ମଙ୍ଗଳବାର ପଶୁ ପ୍ରେମ ପରି ଭାବନାରୁ ଉର୍ଦ୍ଧ୍ୱରେ ଉଠି ଜନ ସୁରକ୍ଷା ଉପରେ ଜୋର ଦେଇଛନ୍ତି । ଜଷ୍ଟିସ ବିକ୍ରମ ନାଥ, ଜଷ୍ଟିସ ସନ୍ଦୀପ ମେହଟ୍ଟା ଓ ଜଷ୍ଟିସ ଏନ ଭି ଅଞ୍ଜରିୟାଙ୍କ ପୀଠ ସ୍ପଷ୍ଟ ଶବ୍ଦରେ କହିଛନ୍ତି ଯେ, ରାସ୍ତା, ସ୍କୁଲ ଓ ସରକାରୀ କାର୍ଯ୍ୟାଳୟରୁ ବୁଲା କୁକୁର ମୁକ୍ତ ହେବା ଜରୁରୀ ।
ଶୁଣାଣି ସମୟରେ ଯେବେ ଆଇନଜୀବୀ କୁକୁରଙ୍କ ଅଧିକାର ଓ ସେମାନଙ୍କୁ ପୁନର୍ବାର ସେହି ଅଞ୍ଚଳରେ ଛାଡିବାକୁ ତର୍କ ଦେବାରୁ ବିଚାରପତି କହିଛନ୍ତି, କେହି ଜାଣି ନାହାନ୍ତି ଯେ, କୁକୁରର ମୁଡ କେତେବେଳେ କାମୁଡି ଦେବ । କପିଲ ସିବ୍ଲଲ ସୁପ୍ରିମକୋର୍ଟଙ୍କୁ ଜଣାଇଛନ୍ତି ଯେ, ଯଦି କୌଣସି ଏମିତି କୁକୁର ରହିଛି ତେବେ ତାର ବନ୍ଧ୍ୟାକରଣ କରାଯାଇ ପାରିବ । ପୁଣି କୁକୁରକୁ ତା ଅଞ୍ଚଳରେ ଛାଡି ଦିଆଯାଇ ପାରିବ । ଏହା ଉପରେ କୋର୍ଟ କହିଛନ୍ତି, ବାସ୍ କେବଳ ଗୋଟିଏ ଜିନିଷର ଅଭାବ ରହିଛି, ଉକ୍ତ କୁକୁରକୁ କାଉନସେଲିଂ ଦିଅ ଯେ, ପୁନର୍ବାର କାହାରିକୁ କାମୁଡିବ ନାହିଁ ।
ସର୍ବଦା ଏହା ତର୍କ ଦିଆଯାଏ ଯେ, ସବୁ କୁକୁର କାମୁଡେ ନାହିଁ, ମାତ୍ର ଏକ କୋର୍ଟ ଏକ ନୂତନ ଦିଗ ସାମ୍ନାରେ ରଖିଛନ୍ତି । ଖଣ୍ଡପୀଠ କହିଛନ୍ତି, ରାସ୍ତା ଉପରେ ଗାଡି ସାମ୍ନାରେ ଅଚାନକ କୁକୁର ଚାଲି ଆସିବା ବଡ ଦୁର୍ଘଟଣାର କାରଣ ପାଲଟେ । ସଡକକୁ କୁକୁର ମୁକ୍ତ ରଖାଯିବା ଜରୁରୀ, ଯଦ୍ୱାରା ଚାଳକ ସୁରକ୍ଷିତ ରହି ପାରିବ । ସ୍କୁଲ, ହସ୍ପିଟାଲ ଓ ସାର୍ବଜନୀନ କାର୍ଯ୍ୟାଳୟରେ କୁକୁରଙ୍କ ଉପସ୍ଥିତିର କୌଣସି ଆବଶ୍ୟକତା ନାହିଁ ।