ମୁମ୍ବାଇ: ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ ଅଜିତ୍ ପାୱାର ପଞ୍ଚଭୂତରେ ବିଲୀନ ହୋଇଛନ୍ତି। ମୃତ୍ୟୁ ପରେ ଗୁରୁବାର ରାଷ୍ଟ୍ରୀୟ ମର୍ଯ୍ୟାଦାର ସହିତ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହୋଇଛ। ଦିନ ୧୧ଟା ସମୟରେ ଅଜିତ ପାୱାରଙ୍କ ରାଜନୈତିକ ଗଡ଼ ବାରାମତିର ବିଦ୍ୟା ପ୍ରତିଷ୍ଠାନ ଶ୍ମଶାନରେ ତାଙ୍କ ଅନ୍ତିମ ସଂସ୍କାର କରାଯାଇଛି। ଅଜିତ ପାୱାରଙ୍କୁ ମୁଖାଗ୍ନି ଦେଇଛନ୍ତି ତାଙ୍କର ଦୁଇ ପୁଅ ପାର୍ଥ ଓ ଜୟ।
୬୬ ବର୍ଷ ବୟସରେ ତାଙ୍କ ଅକାଳ ବିୟୋଗକୁ ସହଜରେ ଗ୍ରହଣ କରିପାରୁନାହାନ୍ତି ତାଙ୍କ ଶୁଭେଚ୍ଛୁ ଓ ସମର୍ଥକ। ତାଙ୍କ ଅନ୍ତିମ ସଂସ୍କାର ସମୟରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ, ବିଜେପି ସଭାପତି ନୀତିନ ନବୀନ, ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନଭିସ୍ ଏବଂ ଉପମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କ ସମେତ ଅନେକ ବରିଷ୍ଠ ନେତା ଶ୍ମଶାନରେ ଉପସ୍ଥିତ ଥିଲେ।
ବୁଧବାର ସନ୍ଧ୍ୟାରେ ଅଜିତ ପାୱାରଙ୍କ ପାର୍ଥିବ ଶରୀରକୁ ପୁଣେ ଜିଲ୍ଲାର ବାରାମତୀର ଏକ ଶିକ୍ଷାନୁଷ୍ଠାନକୁ ଅଣାଯାଇଥିଲା। NCP କର୍ମୀଙ୍କ ସହିତ ବହୁ ସଂଖ୍ୟକ ସ୍ଥାନୀୟ ବାସିନ୍ଦା ସେଠାରେ ଏକତ୍ରିତ ହୋଇ ଦିବଂଗତ ନେତାଙ୍କ ସମ୍ମାନରେ ସ୍ଲୋଗାନ ଦେଇଥିଲେ।
ଗତକାଲି, ଜାନୁଆରୀ ୨୮ ତାରିଖରେ ମହାରାଷ୍ଟ୍ରର ବାରାମତିରେ ଏକ ବିମାନ ଦୁର୍ଘଟଣାରେ ଉପମୁଖ୍ୟମନ୍ତ୍ରୀ ଅଜିତ୍ ପାୱାରଙ୍କ ହଠାତ୍ ମୃତ୍ୟୁ ହୋଇଥିଲା। ବିମାନଟି ଅବତରଣ କରିବାକୁ ଚେଷ୍ଟା କରୁଥିବା ସମୟରେ ଏହି ଦୁର୍ଘଟଣା ଘଟିଥିଲା, ଯେଉଁଥିରେ ଅଜିତ ପାୱାର, ପାଇଲଟ୍ କ୍ୟାପ୍ଟେନ୍ ସୁମିତ କପୁର, ସହ-ପାଇଲଟ୍ ଶାମ୍ଭବୀ ପାଠକ, ବିମାନ ପରିଚାରିକା ପିଙ୍କି ମାଲି ଏବଂ ବ୍ୟକ୍ତିଗତ ସୁରକ୍ଷା ଅଧିକାରୀ ବିଦୀପ ଯାଦବଙ୍କ ମୃତ୍ୟୁ ହୋଇଥିଲା। ଏହି ଘଟଣା ସାରା ଦେଶରେ ଚାଞ୍ଚଲ୍ୟ ସୃଷ୍ଟି କରିଥିଲା। ମହାରାଷ୍ଟ୍ର ସରକାର ତିନି ଦିନିଆ ରାଜ୍ୟ ଶୋକ ଘୋଷଣା କରିଛନ୍ତି। ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ଅଧୀନରେ କାର୍ଯ୍ୟ କରୁଥିବା AAIB ଦୁର୍ଘଟଣାର ତଦନ୍ତ କରୁଛି। ସେପଟେ ବିମାନର ବ୍ଲାକ୍ ବକ୍ସ ମିଳିଛି। ଏହାଦ୍ୱାରା ବିମାନ ଦୁର୍ଘଟଣା ବିଷୟରେ ଜଣାପଡିବ।
ଅଧିକ ପଢନ୍ତୁ: ଅଜିତ ପାୱାରଙ୍କୁ ବିଦାୟ ଦେବା ପାଇଁ ହଜାର ହଜାର ସମର୍ଥକ ଏକାଠି, କଡ଼ା ସୁରକ୍ଷା ବ୍ୟବସ୍ଥା