କାନପୁର: ଦିଲ୍ଲୀରୁ ବିହାରର ସିୱାନ ଯାଉଥିବା ଏକ ଘରୋଇ ବସ୍ ମଙ୍ଗଳବାର ଭୋର ସକାଳୁ ଆଗ୍ରା-ଲକ୍ଷ୍ନୌ ଏକ୍ସପ୍ରେସୱେରେ ଏକ ଭୟଙ୍କର ଦୁର୍ଘଟଣାର ସମ୍ମୁଖୀନ ହୋଇଛି। ଦ୍ରୁତଗତିରେ ଯାଉଥିବା ବସ୍ଟି ହଠାତ୍ ନିୟନ୍ତ୍ରଣ ହରାଇ ପ୍ରାୟ ୩ଟା ୨୦ ସମୟରେ ଆରୌଲ କଟ ନିକଟରେ ଓଲଟି ପଡ଼ିଥିଲା। ଫଳରେ ତିନି ଜଣ ଯାତ୍ରୀଙ୍କ ମୃତ୍ୟୁ ଘଟିଥିଲା। ମୃତକଙ୍କ ମଧ୍ୟରେ ଏକ ଶିଶୁ ଥିଲା। ପ୍ରାୟ ୨୦ ଜଣ ଯାତ୍ରୀ ଆହତ ହୋଇଥିଲେ।
ବସ୍ ଓଲଟି ପଡ଼ିବାରୁ ଭିତରେ ଚତ୍କାର ଶୁଭୁଥିଲା। ଭଙ୍ଗା ସିଟ୍ ଏବଂ ଭାଙ୍ଗିଯାଇଥିବା କାଚ ପ୍ୟାନ୍ ମଧ୍ୟରେ ଅନେକ ଯାତ୍ରୀ ଫସି ରହିଥିଲେ। ଦୁର୍ଘଟଣା ସମ୍ପର୍କରେ ସୂଚନା ପାଇବା ପରେ ବିଲହୌର ତହସିଲ ପ୍ରଶାସନ, ପୋଲିସ ଏବଂ ଏକ୍ସପ୍ରେସୱେ ପାଟ୍ରୋଲିଂ ଦଳ ଘଟଣାସ୍ଥଳରେ ପହଞ୍ଚିଥିଲେ। ଉଦ୍ଧାରକାରୀମାନେ ତୁରନ୍ତ ଉଦ୍ଧାର କାର୍ଯ୍ୟ ଆରମ୍ଭ କରି ଯାତ୍ରୀମାନଙ୍କୁ ବସ୍ରୁ ବାହାର କରି ଆମ୍ବୁଲାନ୍ସ ଯୋଗେ ମେଡିକାଲ କଲେଜକୁ ପଠାଇଥିଲେ। ଆହତମାନଙ୍କ ମଧ୍ୟରୁ କିଛି ଗୁରୁତର ଅବସ୍ଥାରେ ଥିବା ଡାକ୍ତରମାନେ ସୂଚନା ଦେଇଛନ୍ତି। ମୃତକଙ୍କ ମୃତଦେହ ପୋଷ୍ଟମର୍ଟମ ପାଇଁ ପଠାଯାଇଛି।
କ୍ରେନ୍ ସାହାଯ୍ୟରେ ଦୁର୍ଘଟଣାଗ୍ରସ୍ତ ବସ୍ଟିକୁ ବାହାର କରାଯାଇଥିଲା ଏବଂ ଟ୍ରାଫିକ୍ ସ୍ୱାଭାବିକ କରାଯାଇଥିଲା। ପୋଲିସର କହିବା ଅନୁଯାୟୀ, ପ୍ରାରମ୍ଭିକ ତଦନ୍ତରୁ ଜଣାପଡିଛି ଯେ ବସ୍ ଡ୍ରାଇଭର ଗାଡ଼ି ଉପରୁ ନିୟନ୍ତ୍ରଣ ହରାଇଥିଲେ। ରାତିରେ ଦ୍ରୁତ ଗତି ଏବଂ କୁହୁଡ଼ି ଏହି ଦୁର୍ଘଟଣାର କାରଣ ହୋଇପାରେ। ତଦନ୍ତ ଜାରି ରହିଛି। ଜିଲ୍ଲା ମାଜିଷ୍ଟ୍ରେଟ୍ ଜିତେନ୍ଦ୍ର ପ୍ରତାପ ସିଂହ କହିଛନ୍ତି ଯେ ତହସିଲ ଏବଂ ପୋଲିସ ଅଧିକାରୀମାନେ ଘଟଣାସ୍ଥଳରେ ଉପସ୍ଥିତ ଅଛନ୍ତି। ଆହତମାନଙ୍କୁ ଚିକିତ୍ସା କରାଯାଉଛି।
ଇନିସ୍ପେକ୍ଟର ଜନାର୍ଦ୍ଦନ ସିଂହ ଯାଦବ କହିଛନ୍ତି ଯେ ବସ୍ ଟି ଦିଲ୍ଲୀରୁ ସିୱାନ ଅଭିମୁଖେ ଯାତ୍ରା କରୁଥିଲା, ଯେଉଁଥିରେ ପ୍ରାୟ ୪୫ ଜଣ ଯାତ୍ରୀ ଥିଲେ। ଘଟଣା ସମୟରେ ବସ୍ ର ଗତି ୧୦୦ରୁ ୧୨୦ କିଲୋମିଟର ମଧ୍ୟରେ ଥିଲା ଏବଂ ସନ୍ଦେହ କରାଯାଉଛି ଯେ ଡ୍ରାଇଭର ନିଦରେ ଶୋଇପଡ଼ିଥିଲେ ଏବଂ ବସ୍ ଓଲଟି ପଡ଼ିଥିଲା। କିଛି ସାମାନ୍ୟ ଆହତ ଲୋକ ଘଟଣାସ୍ଥଳରୁ ନିଜ ଗନ୍ତବ୍ୟସ୍ଥଳକୁ ଚାଲିଯାଇଥିଲେ। ଘଟଣା ପରେ ଡ୍ରାଇଭର ଏବଂ କ୍ଲିନର ଘଟଣାସ୍ଥଳରୁ ପଳାଇ ଯାଇଥିଲେ।
ଅଧିକ ପଢ଼ନ୍ତୁ: ବେଙ୍ଗାଲୁରୁ ବିମାନବନ୍ଦର ଆକ୍ରମଣ ଷଡ଼ଯନ୍ତ୍ର ପଣ୍ଡ