କାର ସହ ଧକ୍କା ହେଲା ଲରି । ଏହି ଦୁର୍ଘଟଣା ଫଳରେ ପରିବାରର ୫ ଜଣଙ୍କ ଜୀବନ ଚାଲିଯାଇଛି । ଗୋଟିଏ ପରିବାରର ପାଞ୍ଚ ଜଣ ସଦସ୍ୟ ଆନନ୍ଦର ସହ ଏକ ସ୍ଥାନକୁ ଯାଉଥିଲେ । ହେଲେ କିଏ ଜାଣିଥିଲା ବାଟରେ ଏମିତି କଲା ଜାଗିବସିଥିବ ବୋଲି । କିଛି କ୍ଷଣ ମଧ୍ୟରେ ଚାଲିଗଲା ୫ ଜଣଙ୍କ ଜୀବନ । ମୃତ ବ୍ୟକ୍ତିଙ୍କ ମଧ୍ୟରେ ନଅ ବର୍ଷର ଶିଶୁ ମଧ୍ୟ ରହିଛି । ଏଭଳି ଅଭାବନୀୟ ଘଟଣା ଘଟିଛି କେରଳରେ ।
ସୂଚନା ଅନୁଯାୟୀ,ସୋମବାର ବିଳମ୍ବିତ ରାତିରେ କାରରେ ପାଞ୍ଚଜଣ ସଦସ୍ୟ କେରଳର ଥାଲାସେରୀରୁ କାସାରାଗୋଡ ଅଭିମୁଖେ ଯାଉଥିଲେ। ସେମାନେ କନ୍ନାପୁରମ ଅଞ୍ଚଳରେ ଯାଉଥିବା ସମୟରେ ବିପରୀତ ଦିଗରୁ ମାଙ୍ଗାଲୁରୁରୁ ଗ୍ୟାସ ସିଲିଣ୍ଡର ନେଇ ଏକ ଲରି ଆସୁଥିଲା। କୌଣସି କାରଣ ବଶତଃ କାର ସହ ଧକ୍କା ହୋଇଥିଲା ଲରି । ଏହି ଦୁର୍ଘଟଣା ଫଳରେ ଘଟଣାସ୍ଥଳରେ ୪ ଜଣଙ୍କର ମୃତ୍ୟୁ ହୋଇଥିଲା । ଏଥିସହ ଗାଡି ଚାଳକ ଜଣକ ଆହତ ହୋଇଯାଇଥିଲେ । ଏହି ଦୁର୍ଘଟଣା ଖବର ସ୍ଥାନୀୟ ଲୋକେ ପୋଲିସକୁ ଜଣାଇଥିଲେ । ଖବର ପାଇ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଆହତ ବ୍ୟକ୍ତିଙ୍କୁ ଉଦ୍ଧାର କରି ନିକଟସ୍ଥ ଡାକ୍ତରଖାନାକୁ ପଠାଇଥିଲେ । ଜଣେ ନଅ ବର୍ଷର ଶିଶୁ ଚିକିତ୍ସିତ ହେଉଥିଲାବେଳେ ମୃତ୍ୟୁ ବରଣ କରିଥିଲା । ଏନେଇ ପୋଲିସ ତଦନ୍ତ ଆରମ୍ଭ କରିଛି ।