ବିହାରରେ ପୁଣି ମଦ ମୃତ୍ୟୁ । ଡ୍ରାଏ ଷ୍ଟେଟରେ ବିଷାକ୍ତ ମଦ ପିଇ 3 ଜଣଙ୍କର ମୃତ୍ୟୁ ହୋଇଛି। ସୂଚନା ଅନୁସାରେ, ରବିବାର ଦିନ ବିହାରର ସୀୱାନ୍ ଜିଲ୍ଲା ଅନ୍ତର୍ଗତ ଲାକାରି ନବୀଗଞ୍ଜ ଅଞ୍ଚଳର ବାଲା ଗାଁରେ ବିଷାକ୍ତ ମଦ ପିଇବାରୁ ପ୍ରାୟ 3ଜଣ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି ଓ ଆଉ 10ଜଣ ଅସୁସ୍ଥ ହୋଇ ଡାକ୍ତରଖାନାରେ ଚିକିତ୍ସାଧୀନ ଅଛନ୍ତି। ଅସୁସ୍ଥ ମାନଙ୍କୁ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଖବରପାଇ ଜିଲ୍ଲା ମାଜିଷ୍ଟ୍ରେଟ୍ ଅମିତ କୁମାର ହସ୍ପିଟାଲରେ ପହଞ୍ଚି ଘଟଣାର ତଦନ୍ତ କରିଛନ୍ତି। ଘଟଣାରେ ପୋଲିସ 10ଜଣଙ୍କୁ ଗିରଫ କରିଛି । ତେବେ 3 ଜଣ ମୃତକଙ୍କ ପୋଷ୍ଟମର୍ଟମ କରାଯିବାକୁ ପଠାଯାଇଛି । ରିପୋର୍ଟ ଆସିଲେ ମୃତ୍ୟୁର ପ୍ରକୃତ କାରଣ ଜଣାପଡିବ ବୋଲି କହିଛନ୍ତି ସୀୱାନ୍ ଡିଏମ୍ । ଏହାସହ ପ୍ରତି ଗାଁକୁ ଯାଇ ଅସୁସ୍ଥ ଥିବା ଲୋକଙ୍କୁ ହସ୍ପିଟାଲ ନେବାକୁ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଅପିଲ କରାଯାଇଛି । ଗତ ଡିସେମ୍ବରରେ ବିହାରର ସରଣ ଜିଲ୍ଲାରେ ବିଷାକ୍ତ ମଦ ପିଇ ପ୍ରାୟ 70ଜଣଙ୍କର ମୃତ୍ୟୁ ହୋଇଥିଲା। ଘଟଣାର ତଦନ୍ତ ପାଇଁ ରାଜ୍ୟ ସରକାର SIT ଗଠନ କରିଥିବା ବେଳେ ଚୋରା ମଦ ବ୍ୟବସାୟରେ ସମ୍ପୃକ୍ତି ଅଭିଯୋଗରେ ଅନେକଙ୍କୁ ଗିରଫ କରିଥିଲା ଟିମ୍।