ନିର୍ବାଚନକୁ ଦୃଷ୍ଟିରେ ରଖି ବର୍ତ୍ତମାନ ଦେଶରେ ବିଭିନ୍ନ ସ୍ଥାନରେ ଚେକିଂ ଓ ବ୍ଲକିଂ କରାଯାଉଛି। ଜନମତକୁ ପ୍ରଭାବିତ କରିବା ପାଇଁ କାଳେ କିଏ ଟଙ୍କା ବା ଅନ୍ୟାନ୍ୟ ଜିନିଷ ବାଣ୍ଟୁ ଥିବ ସେ ନେଇ ପୋଲିସ ପକ୍ଷରୁ ଚେକିଂ କରାଯାଉଛି। ଗୋପାଳପୁରମ ପଞ୍ଚାୟତ ଅନ୍ତର୍ଗତ ଜଗନ୍ନାଧପୁରମ ଗାଁ ନିକଟରେ ଥିବା ଚେକପୋଷ୍ଟ ନିକଟରୁ ହାଇଦ୍ରାବାଦରୁ ବିଶାଖାପାଟଣା ଯାଉଥିବା ଏକ ଘରୋଇ ଟ୍ରାଭେଲ ବସ୍କୁ ଯାଞ୍ଚ କରିବା ବେଳେ ପୁଲିସ୍ ନଗଦ ୨.୪୦ କୋଟି ଟଙ୍କା ଜବତ କରିଛି।
ସୂଚନା ଅନୁସାରେ, ଆନ୍ଧ୍ରପ୍ରଦେଶର ପୂର୍ବ ଗୋଦାବରୀ ଜିଲ୍ଲାର ଗୋପାଳପୁରମ ପଞ୍ଚାୟତ ଅନ୍ତର୍ଗତ ଜଗନ୍ନାଧପୁରମ ଗାଁ ନିକଟରେ ଥିବା ଅନ୍ତଃଜିଲ୍ଲା ଚେକପୋଷ୍ଟ ନିକଟରୁ ପୋଲିସ ଚେକିଂ କରୁଥିଲା। ସେହି ସମୟରେ ହାଇଦ୍ରାବାଦରୁ ବିଶାଖାପାଟଣା ଯାଉଥିବା ଏକ ଘରୋଇ ଟ୍ରାଭେଲ ବସ୍ ଉପରେ ପୋଲିସର ସନ୍ଦେହ ହୋଇଥିଲା। ପୋଲିସ ବସ୍କୁ ଯାଞ୍ଚ କରିବା ବେଳେ ବସ ଭିତରୁ ନଗଦ ୨.୪୦ କୋଟି ଟଙ୍କା ଜବତ କରିଛି। ତେବେ ଜବତ ହୋଇଥିବା ନଗଦ ଟଙ୍କା ଦୁଇଟି ବ୍ୟାଗରେ ବସର ଲଗେଜ କ୍ୟାବିନ ରଖାଯାଇଥିଲା। ତେବେ ଏତେ ପରିମାଣର ଟଙ୍କା ନେଇ ଯାଉଥିବା ବେଳେ ତା’ର ହିସାବ ଦେଇ ପାରି ନାହାନ୍ତି ବସ ଡ୍ରାଇଭର ଏବଂ କଣ୍ଡକ୍ଟର। ସେମାନଙ୍କ କହିବା ମୁତାବକ ଦୁଇଟି ବ୍ୟକ୍ତି ତାଙ୍କୁ ଏହି ବ୍ୟାଗ ଦେବା ସହ ଏକ ସ୍ଥାନରେ ପହଞ୍ଚେଇ ଦେବା ପାଇଁ କହିଥିଲେ। ତେଣୁ ଏହି ଘଟଣାକୁ ନେଇ ପୋଲିସ ଅଧିକ ପଚରାଉଚରା କରିବା ସହ ଘଟଣା ବାବଦରେ ଅଧିକ ତଦନ୍ତ ଆରମ୍ଭ କରିଛି।