ହୀରାକୁଦ ଡ୍ୟାମ ନିଷିଦ୍ଧାଞ୍ଚଳର ଭିଡ଼ିଓ ଭାଇରାଲ ଘଟଣା, ମନ୍ତ୍ରୀ ନବ କହିଲେ ମୋ ଝିଅ ଗ୍ରୋନ ଅପ୍ ଗାର୍ଲ
Khabar Odisha:state-odisha-My-daughterl-is-a-grown-up-girl-says-health-minister-Naba-das
ସମ୍ବଲପୁର, ଡିସେମ୍ବର ୧୬(ଖବର ଓଡ଼ିଶା):

ହୀରାକୁଦ ଡ୍ୟାମ ନିଷିଦ୍ଧାଞ୍ଚଳରେ ମଉଜ ମସ୍ତି କରିବା ଏବଂ ଏହାର ଭିଡ଼ିଓ ଭାଇରାଲ ହେବା ପରେ ଅଡ଼ୁଆରେ ପଡ଼ିଛନ୍ତି ଓଲିଉଡ଼ର ତିନି ଜଣ ଅଭିନେତ୍ରୀଙ୍କ ସହ ସ୍ଵାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ଝିଅ। ନିଷିଦ୍ଧାଞ୍ଚଳକୁ ଯିବାକୁ ସେମାନଙ୍କୁ କିଏ ଅନୁମତି ଦେଲା, ସେମାନେ ସେଠାକୁ କିପରି ଗଲେ ଏବଂ ଏହା କେଉଁ ସମୟ ଭିଡ଼ିଓ ତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଏନେଇ ସନ୍ଧ୍ୟା ସୁଦ୍ଧା ରିପୋର୍ଟ ଦେବାକୁ ହୀରାକୁଦ ଏସଡିପିଓଙ୍କୁ ଜବାବତଲବ କରିଛନ୍ତି ସମ୍ବଲପୁର ଏସପି। ଏହା ମଧ୍ୟରେ ସ୍ଵାସ୍ଥ୍ୟ ମନ୍ତ୍ରୀ ନବ ଦାସ ଏହି ଘଟଣାରେ ନିଜର ପ୍ରତିକ୍ରିୟା ଦେଇଛନ୍ତି। ମୋ ଝିଅ ଗ୍ରୋନ ଅପ୍ ଗାର୍ଲ ହୋଇଥିବା ନବ କହିଛନ୍ତି।

ସେ କହିଛନ୍ତି ମୁଁ ଏହି ଘଟଣାର ଭିଡ଼ିଓ ଦେଖିନି କି ଏ ବାବଦରେ ଜାଣି ନାହିଁ।  ଯିଏ ଏହି ଭିଡ଼ିଓ କଲା ତାକୁ ପଚାରନ୍ତୁ। ମୋ ଝିଅ ଗ୍ରୋନ ଅପ ଗାର୍ଲ। ଆଇନ ତା ବାଟରେ ଯିବ। ଆଇନ ଅନୁସାରେ କାର୍ଯ୍ୟାନୁଷ୍ଠାନ ହେବ। ସେ ଏହି ବିଷୟରେ ବିଶେଷ କିଛି କହି ପାରିବେ ନାହିଁ ବୋଲି ନବ କହିଛନ୍ତି।

ଉଲ୍ଲେଖଯୋଗ୍ୟ, ଆଜି ସମ୍ବଲପୁର ହୀରାକୁଦ ଡ୍ୟାମର ନିଷିଦ୍ଧାଞ୍ଚଳରେ ଓଲିଉଡ଼ର ୩ଜଣ ଅଭିନେତ୍ରୀଙ୍କ ଫଟୋ ଓ ଭିଡ଼ିଓ ସୋସିଆଲ ମିଡ଼ିଆରେ ଭାଇରାଲ ହୋଇଛି। ଭାଇରାଲ ହୋଇଥିବା ଏହି ଭିଡ଼ିଓରେ ଅଭିନେତ୍ରୀ ପ୍ରକୃତି ମିଶ୍ର, ଏଲିନା ସାମନ୍ତରାଏ ଓ ଲୋଭିନା ନାଏକ ଅଛନ୍ତି। ଭିଡ଼ିଓରେ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ଝିଅ ଦୀପାଳି ଦାସଙ୍କୁ ମଧ୍ୟ ଦେଖିବାକୁ ମିଳିଛି । ତେବେ ଏମାନେ ନିଷିଦ୍ଦାଞ୍ଚଳକୁ କିପରି ଗଲେ ଓ ଫଟୋ ଉଠାଇବାକୁ କିଏ ଅନୁମତି ଦେଲା ତାହା ତଦନ୍ତ ପରେ ସ୍ପଷ୍ଟ ହେବ । ଏନେଇ ହୀରାକୁଦ ଏସଡିପିଓଙ୍କୁ ଜବାବ ତଲବ କରିଛନ୍ତି ସମ୍ବଲପୁର ଏସପି କନୱାର ବିଶାଳ ସିଂ । ଆଜି ସନ୍ଧ୍ୟା ୫ଟା ସୁଦ୍ଧା ରିପୋର୍ଟ ଦେବାକୁ ଏସଡିପିଓଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ରିପୋର୍ଟ ଆଧାରରେ ପରବର୍ତ୍ତୀ ପଦକ୍ଷେପ ନିଆଯିବ ବୋଲି ଏସପି କହିଛନ୍ତି ।

ହୀରାକୁଦ ଡ୍ୟାମ ଉପରେ ଫଟୋ କିମ୍ବା ଭିଡିଓ କରିବା ନିଷିଦ୍ଧ ତଥା ଦଣ୍ଡନୀୟ । ତେବେ ଓଲିଉଡ ଅଭିନେତ୍ରୀ ପ୍ରକୃତି ମିଶ୍ର ନିଷିଦ୍ଧାଞ୍ଚଳରୁ ଭିଡିଓ ଉତ୍ତୋଳନ କରି ନିଜର ଇନଷ୍ଟାଗ୍ରାମରେ ପୋଷ୍ଟ କରିଛନ୍ତି । ଯାହାକୁ ନେଇ ହୀରାକୁଦ ଡ୍ୟାମର ସୁରକ୍ଷା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି ।

Subscribe

National International State Sports Entertainment