ରୋହିତ-କୋହଲିଙ୍କ ପ୍ରହାରରେ କଙ୍ଗାରୁ ଚିତ୍, ବେଙ୍ଗାଲୁରୁ ମ୍ୟାଚ୍ ଜିତି ୨-୧ରେ ଶୃଙ୍ଖଳା କବଜା କଲା ଭାରତ
Khabar Odisha:sports--cricket--odisha--india-won-by-7-wickets-against-australia
ବେଙ୍ଗାଲୁରୁ, ଜାନୁଆରୀ୧୯(ଖବର ଓଡ଼ିଶା):

 ଗତ ଶୃଙ୍ଖଳାରେ ଘରୋଇ ମାଟିରେ ୨-୦ରେ ଆଗୁଆ ଥାଇ ମଧ୍ୟ ଅଷ୍ଟ୍ରେଲିଆଠୁ ୨-୩ରେରେ ହାରିଥିବା ଭାରତ ଆଜି ବେଙ୍ଗାଲୁରୁ ମ୍ୟାଚ୍ ବିଜୟ ସହିତ ମଧୁର ପ୍ରତିଶୋଧ ନେଇ ପାରିଛି। ଓ୍ଵାଙ୍ଖେଡ଼ା ଦିନିକିଆରେ ୧୦ ଓ୍ଵିକେଟରେ ଶୋଚନୀୟ ଭାବେ ପରାଜିତ ହେବା ପରେ  ବିରାଟ ବାହିନୀ ଦମଦାର ପ୍ରତ୍ୟାବର୍ତ୍ତନ କରି ରାଜକୋଟ୍ ସହିତ ଆଜିର ମ୍ୟାଚ୍ ଜିତି ତିନି ମ୍ୟାଚ୍ ବିଶିଷ୍ଟ ଦିନିକିଆ ଶୃଙ୍ଖଳାକୁ ୨-୧ରେ ଜିତି ନେଇଛି। ରୋହିତ ଶର୍ମାଙ୍କ ଶତକ ଏବଂ ଅଧିନାୟକ ବିରାଟ କୋହଲିଙ୍କ ଦମଦାର ଅର୍ଦ୍ଧଶତକ ସହାୟତାରେ ଭାରତ ବେଙ୍ଗାଲୁରୁର ଏନ ଚିନ୍ନାସ୍ଵାମୀ ଷ୍ଟାଡ଼ିୟମରେ ଖେଳାଯାଇଥିବା ନିର୍ଣ୍ଣାୟକ ମୁକାବିଲାକୁ ୭ ଓ୍ଵିକେଟରେ ଜିତି ନେଇଛି। 

ପ୍ରଥମେ ବ୍ୟାଟିଂ କରି ଷ୍ଟିଭ ସ୍ମିଥ(୧୩୧) ଓ ମାରନସ ଲାବୁସନେ(୫୪) ସହାୟତାରେ ଭ୍ରମଣକାରୀ ଅଷ୍ଟ୍ରେଲିଆ ପ୍ରଥମେ ବ୍ୟାଟିଂ କରି ୯ ଓ୍ଵିକେଟରେ ୨୮୬ ରନ କରିଥିଲା। ଜବାବରେ ଭାରତ ଲକ୍ଷ୍ୟର ପିଛା କରି ରୋହିତ ଶର୍ମାଙ୍କ ୧୧୯ ଓ ବିରାଟ କୋହଲିଙ୍କ ୮୯ ରନର ଦମଦାର ପାଳି ସହାୟତରେ ୪୭.୩ ଓଭରରେ ୩ ଓ୍ଵିକେଟ୍ ବିନିମୟରେ ହାସଲ କରି ନେଇଛି। ଶ୍ରେୟସ ୪୪ ରନ କରି ଅପରାଜିତ ଥିଲେ। ଶତକୀୟ ଇନିଂସ ଖେଳି ଦଳକୁ ଜିତାଇଥିବା ରୋହିତ ଶର୍ମା ମ୍ୟାନ୍ ଅଫ ଦ ମ୍ୟାଚ୍ ବିବେଚିତ ହୋଇଛନ୍ତି। 

ଓପନର ଶିଖର ଧାଓ୍ଵନଙ୍କ ଅନୁପସ୍ଥିତିରେ ରୋହିତ ଶର୍ମା ଓ ଲୋକେଶ ରାହୁଲ ଇନିଂସ ଆରମ୍ଭ କରିଥିଲେ। ୨୮୬ ରନର ବିଜୟ ଲକ୍ଷ୍ୟକୁ ପିଛା କରୁଥିବା ଭାରତକୁ ଦୁଇ ଓପନର ମଜବୁତ ଆରମ୍ଭ ଦେଇଥିଲେ। ଦୁଇ ଓପନର ପ୍ରଥମ ଓ୍ଵିକେଟରେ ୬୯ ରନ ଯୋଡ଼ିଥିଲେ। ଲୋକେଶ ରାହୁଲ ୧୯ ରନ କରି ବିଦାୟ ନେଇଥିଲେ। 

ଏହା ପରେ ଉପ ଅଧିନାୟକ ରୋହିତ ଶର୍ମା ଓ ଅଧିନାୟକ ବିରାଟ କୋହଲି ବ୍ୟାଟିଂ ମୋର୍ଚ୍ଚା ସମ୍ଭାଳି ଦଳକୁ ବିଜୟ ଆଡ଼କୁ ନେଇଥିଲେ। ଦୁଇ ବ୍ୟାଟସମ୍ୟାନ ଅଷ୍ଟ୍ରେଲିଆ ବୋଲରଙ୍କ ଉପରେ ପ୍ରାଧ୍ୟାନ ବିସ୍ତାର କରିଥିଲେ। ଏହି କ୍ରମରେ ରୋହିତ ଶର୍ମା ଦିନିକିଆ କ୍ୟାରିୟରରେ ୨୯ ତମ ଶତକ ହାସଲ କରି ଶତକ  ହାସଲ ମାମଲାରେ ସନଥ ଜୟସୁରିୟାଙ୍କୁ ପଛରେ ପକାଇଛନ୍ତି। ଅନ୍ୟପଟେ ଅଧିନାୟକ ବିରାଟ କୋହଲି ଦିନିକିଆ କ୍ରିକେଟରେ ୫୭ତମ ଅର୍ଦ୍ଧଶତକ ପୂରଣ କରିଥିଲେ। ରୋହିତ ଓ କୋହଲି ଦ୍ରୁତ ଗତିରେ ବ୍ୟାଟିଂ କରି ଦ୍ଵିତୀୟ ଓ୍ଵିକେଟ୍ ପାଇଁ ୧୩୭ ରନ ଯୋଡ଼ି ଦଳର ସ୍କୋରକୁ ୨୦୬ ରନରେ ପହଞ୍ଚାଇଥିଲେ। ରୋହିତ ଶର୍ମାଙ୍କୁ ଆଉଟ୍ କରି ଆଡ଼ମ ଜାମ୍ପା ଏହି ଭାଗିଦାରୀ ଭାଙ୍ଗିଥିଲେ। ରୋହିତ ୧୨୮ ବଲରୁ ୮ ଚୌକା ଓ ୬ ଛକା ଜରିଆରେ ୧୧୯ ରନ କରିଥିଲେ। 

ଏହା ପରେ କୋହଲି ଶ୍ରେୟସ ଆୟରଙ୍କ ସହିତ ଦଳକୁ ବିଜୟର ନିକଟତର କରାଇଥିଲେ। କୋହଲି ଓ ଶ୍ରେୟସ ତୃତୀୟ ଓ୍ଵିକେଟ୍ ପାଇଁ ୬୮ ରନ ଯୋଡ଼ିଥିଲେ। ଶତକ ଅଭିମୁଖେ ଅଗ୍ରସର ହେଉଥିବା କୋହଲି ୯୧ ବଲରୁ ୮ ଚୌକା ଜରିଆରେ ୮୯ ରନ କରି ପାଭିଲିୟନ ଫେରିଥିଲେ। ଶ୍ରେୟସ ଆୟର ୩୫ ବଲରୁ ଦ୍ରୁତ ବ୍ୟାଟିଂ  କରି ୬ ଚୌକା ଓ ୧ ଛକା ଜରିଆରେ ୪୪ ରନ କରି ଅପରାଜିତ ଥିଲେ। ମନୀଷ ପାଣ୍ଡେ ୮ ରନ କରିଥିଲେ। ଶେଷରେ ଭାରତ ୪୭.୩ ଓଭରରେ ୩ ଓ୍ଵିକେଟ୍ ହରାଇ ୨୮୬ ରନର ବିଜୟ ଲକ୍ଷ୍ୟକୁ ପୂରଣ କରିଥିଲା। ଅଷ୍ଟ୍ରେଲିଆ ପକ୍ଷରୁ ଜୋସ୍ ହେଜେଲଉଡ, ଆଷ୍ଟନ ଆଗର, ଆଡମ ଜାମ୍ପା ପ୍ରତ୍ୟେକ ତିନୋଟି ଓ୍ଵିକେଟ୍ ନେଇଥିଲେ।

ଅଷ୍ଟ୍ରେଲିଆ ଇନିଂସ

ପ୍ରଥମେ ବ୍ୟାଟିଂ କରିଥିବା ଅଷ୍ଟ୍ରେଲିଆର ଆରମ୍ଭ ଭଲ ନଥିଲା। ୧୮ ରନ ସ୍କୋରରେ ସାମି ଡେଭିଡ୍ ଓ୍ଵାର୍ଣ୍ଣର(୩୩)ଙ୍କୁ ଆଉଟ୍ କରି ଭ୍ରମଣକାରୀ ଦଳକୁ ପ୍ରଥମ ଝଟକା ଦେଇଥିଲେ। ଏହା ପରେ ୪୬ ରନ ସ୍କୋରରେ ଫିଞ୍ଚ(୧୯) ରନ ଆଉଟ୍ ହୋଇଥିଲେ। ୪୬ ରନରେ ଦୁଇ ଓପନରଙ୍କୁ ହରାଇବା ପରେ ଦଳର ବ୍ୟାଟିଂ ମଙ୍ଗ ଷ୍ଟିଭ୍ ସ୍ମିଥ ଓ ମାରନସ ଲାବୁସନେ ସମ୍ଭାଳିଥିଲେ। ଉଭୟ ଧୈର୍ଯ୍ୟର ସହ ବ୍ୟାଟିଂ କରି ଭାରତୀୟ ବୋଲରଙ୍କ ଉଚିତ୍ ମୁକାବିଲା କରି ଦଳର ସ୍କୋରକୁ ଆଗେଇ ନେଇଥିଲେ। ଉଭୟ ତୃତୀୟ ଓ୍ଵିକେଟ୍ ପାଇଁ ୧୨୭ ରନ ଯୋଡ଼ି ଦଳର ସ୍ଥିତିକୁ ମଜବୁତ କରିବା ସହିତ ବଡ଼ ସ୍କୋର ପାଇଁ ମୂଳଦୁଆ ପକାଇଥିଲେ। ଦଳ ପାଇଁ ଚିନ୍ତାର କାରଣ ପାଲଟିଥିବା ଏହି ଯୋଡ଼ିକୁ ରବିନ୍ଦ୍ରା ଜାଡ଼େଜା ୩୨ ତମ ଓଭରରେ ଭାଙ୍ଗିଥିଲେ। ଲାବୁସନୋ ୬୪ ବଲରୁ ୫ ଚୌକା ଜରିଆରେ ୫୪ ରନ କରି ପାଭିଲିୟନ  ଫେରିଥିଲେ। ଲାବୁସନେଙ୍କ ଏହା ଦିନିକିଆ କ୍ରିକେଟର ପ୍ରଥମ ଅର୍ଦ୍ଧଶତକ ଥିଲା। ସେହି ଓଭରରେ ଜାଡ଼େଜା ମିଚେଲ  ଷ୍ଟାର୍କଙ୍କୁ ଆଉଟ୍ କରି ଭାରତକୁ ଚତୁର୍ଥ ସଫଳତା ଦେଇଥିଲେ।

ଏହା ମଧ୍ୟରେ ଗୋଟିଏ ପଟେ ଅଷ୍ଟ୍ରେଲିଆ ଇନିଂସକୁ ସମ୍ଭାଳିଥିବା ଷ୍ଟିଭ୍ ସ୍ମିଥ ଦମଦାର ବ୍ୟାଟିଂ କରି ୧୧୭ ବଲରୁ ଦିନିକିଆ କ୍ରିକେଟରେ ନବମ ଶତକ  ହାସଲ କରିଥିଲେ। ଆଲେକ୍ସ କେରି ୩୫ ରନ କରି ବିଦାୟ ନେଇଥିଲେ। ଆଷ୍ଟନ ଟର୍ଣ୍ଣର(୪) ଅଧିକ ସମୟ କ୍ରିଜରେ ତିଷ୍ଠି ପାରିନଥିଲେ। ୪୮ ତମ ଓଭରରେ ସାମି ସ୍ମିଥଙ୍କ ଦମଦାର ପାଳିର ଅନ୍ତ ଘଟାଇଥିଲେ। ସ୍ମିଥ ୧୩୨ ବଲରୁ ୧୪ ଚୌକା ଓ ୧ ଛକା ଜରିଆରେ ୧୩୧ ରନର ଲଢୁଆ ଇନିଂସ ଖେଳିଥିଲେ। 

ଏହା ପରେ ସାମି ପାଟ କମିନ୍ସଙ୍କୁ କ୍ଲିନ ବୋଲ୍ଡ କରି ଅଷ୍ଟ୍ରେଲିଆକୁ ୨୭୬ ରନ ସ୍କୋରରେ ଅଷ୍ଟମ ଝଟକା ଦେଇଥିଲେ। ଶେଷରେ ଅଷ୍ଟ୍ରେଲିଆ ୯ ଓ୍ଵିକେଟ୍ ହରାଇ ୨୮୬ ରନ କରିବାକୁ ସକ୍ଷମ ହୋଇଛି। ଭାରତ ପକ୍ଷରୁ ମହମ୍ମଦ ସାମି ୪ଟି ଓ୍ଵିକେଟ୍ ନେଇଥିବା ବେଳେ ରବିନ୍ଦ୍ରା ଜାଡ଼ଜୋ ଦୁଇଟି ଓ୍ଵିକେଟ୍ ନେଇଥିଲେ। କୁଲଦୀପ ଯାଦବ ଓ ନବଦୀପ ସାଇନି ପ୍ରତ୍ୟେକଙ୍କୁ ଗୋଟିଏ ଲେଖାଏଁ ଓ୍ଵିକେଟ୍ ମିଳିଛି।

Subscribe

National International State Sports Entertainment