ନିରାଶ କଲେ ବ୍ୟାଟସମ୍ୟାନ, ପ୍ରଥମ ମ୍ୟାଚରେ ଅଷ୍ଟ୍ରେଲିଆକୁ ୨୫୬ ରନ ଲକ୍ଷ୍ୟ ଦେଲା ଭାରତ
Khabar Odisha:sports--cricket--odisha--After-being-put-to-bat-first-TeamIndia-are-all-out-for-255-in-491-overs
ମୁମ୍ବାଇ, ଜାନୁଆରୀ୧୪(ଖବର ଓଡ଼ିଶା):

ମୁମ୍ବାଇର ଓ୍ଵାଙ୍ଖେଡ଼ାରେ ଦଶନ୍ଧିର ନିଜର ପ୍ରଥମ ଦିନିକିଆ ମ୍ୟାଚ୍ ଖେଳୁଥିବା ଘରୋଇ ଭାରତ ବ୍ୟାଟିଂରେ ଆଶାନୁରୂପ ପ୍ରଦର୍ଶନ କରିପାରି ନାହିଁ। ପ୍ରଥମେ ବ୍ୟାଟିଂ କରିଥିବା ଭାରତ ଭ୍ରମଣକାରୀ ଅଷ୍ଟ୍ରେଲିଆ ବୋଲିଂର ଉଚିତ୍ ମୁକାବିଲା କରିନପାରି ୪୯.୧ ଓଭରରେ ୨୫୫ ରନ କରି ଅଲଆଉଟ୍ ହୋଇଛି। ଦଳ ପକ୍ଷରୁ ଶିଖର ଧାଓ୍ଵନ ସର୍ବାଧିକ ୭୪ ରନର ଉପଯୋଗୀ ପାଳି ଖେଳିଥିବା ବେଳେ ଲୋକେଶ ରାହୁଲ ୪୭ ରନ କରିଥିଲେ। ଏକଦା ୧ ଓ୍ଵିକେଟ୍ ହରାଇ ୧୩୪ ରନ କରିଥିବା ଭାରତ ବ୍ୟାଟିଂ ବିପର୍ଯ୍ୟୟ ଭୋଗି ବଡ଼ ସ୍କୋର କରିବାରେ ବିଫଳ  ହୋଇଛି। ଅଷ୍ଟ୍ରେଲିଆ ପକ୍ଷରୁ ମିଚେଲ୍ ଷ୍ଟାର୍କ ୩ଟି ଓ୍ଵିକେଟ୍ ମିଳି ଥିବା ବେଳେ ପାଟ୍ କମିନ୍ସ ଓ କେନ୍ ରିଚାର୍ଡସନ ପ୍ରତ୍ୟେକ ଦୁଇଟି ଲେଖାଏଁ ଓ୍ଵିକେଟ୍ ନେଇଥିଲେ। 

ଟସ୍ ହାରି ପ୍ରଥମେ ବ୍ୟାଟିଂ କରିଥିବା ଭାରତର ଆରମ୍ଭ ଆଶାନୁରୂପ ନଥିଲା। ସଫଳ ଓପନିଂ ବ୍ୟାଟସମ୍ୟାନ ରୋହିତ ଶର୍ମା(୧୦) ପଞ୍ଚମ ଓଭରରେ ଆଉଟ୍ ହୋଇଥିଲେ। ଏହା ପରେ ଦଳର ବ୍ୟାଟିଂ ଭାର ଶିଖର ଧାଓ୍ଵନ ଓ ଲୋକେଶ ରାହୁଲ ସମ୍ଭାଳିଥିଲେ। ଉଭୟ ବ୍ୟାଟସମ୍ୟାନ ପ୍ରଥମେ ରକ୍ଷାତ୍ମକ ବ୍ୟାଟିଂ କରିଥିଲେ। କ୍ରିଜରେ ସେଟ୍ ହେବା ପରେ ଦ୍ରୁତ ଗତିରେ ରନ ସଂଗ୍ରହ କରିଥିଲେ। ଏହି କ୍ରମରେ ଶିଖର ଧାଓ୍ଵନ ଦିନିକିଆ କ୍ୟାରିୟରରେ ୨୮ ତମ ଅର୍ଦ୍ଧଶତକ ପୂରଣ କରିଥିଲେ। ରାହୁଲ ଓ ଶିଖର ଦ୍ଵିତୀୟ ଓ୍ଵିକେଟ୍ ପାଇଁ ୧୨୧ ରନ ଯୋଡ଼ି ଦଳର ସ୍ଥିତିକୁ ମଜବୁତ କରିବା ସହିତ ବଡ଼ ସ୍କୋର ପାଇଁ ମୂଳଦୁଆ ପକାଇଥିଲେ। ମାତ୍ର ଲୋକେଶ ରାହୁଲ ୪୭ ରନ କରି ଆଉଟ୍ ହେବା ପରେ ଖେଳର ରୂପରେଖ ଓଲଟି ଯାଇଥିଲା। ରାହୁଲଙ୍କୁ ଆଉଟ୍ କରି ଆଷ୍ଟନ ଅଗର ଅଷ୍ଟ୍ରେଲିଆକୁ ବହୁତ ବଡ଼ ସଫଳତା ଦେଇଥିଲେ। ରାହୁଲ ୬୧ଟି ବଲର ସମ୍ମୁଖୀନ ହୋଇ ୪ ଚୌକା ଜରିଆରେ ୪୭ ରନ କରିଥିଲେ।

ଏହା ପରେ ଶିଖର ଧାଓ୍ଵନ ପାଟ କମିନ୍ସଙ୍କ ଦ୍ଵାରା ଆଉଟ୍  ହୋଇ ପାଭିଲିୟନ ଫେରିଥିଲେ ସେ ୯୧ ବଲରୁ ୯ ଚୌକା ଓ ୧ ଛକା ଜରିଆରେ ୭୪ ରନର ଉଲ୍ଲେଖନୀୟ ପାଳି ଖେଳିଥିଲେ। ଭାରତକୁ ସବୁଠୁ ବଡ଼ ଝଟକା ଅଧିନାୟକ କୋହଲି ଆଉଟ୍ ହେବା। ଲୋକେଶ ରାହୁଲଙ୍କୁ ତିନି ନମ୍ବରରେ ସୁଯୋଗ ଦେଇ ନିଜେ ଚତୁର୍ଥରେ ବ୍ୟାଟିଂ କରିବାକୁ ଆସିଥିବା ବିରାଟ ୧୬ ରନ କରି ଆଡମ ଜାମ୍ପାଙ୍କ ବଲରେ ଆଉଟ୍ ହୋଇଥିଲେ। ଶ୍ରେୟସ ଆୟର କିଛି ଖାସ୍ କରିପାରିନଥିଲେ। ସେ ୪ ରନ କରି ପାଭିଲିୟନ ଫେରିଥିଲୈ। ଏହି ପରି ଭାରତ ୧୬୪ ରନରେ  ୫ ଓ୍ଵିକେଟ୍ ହରାଇଥିଲା। ଏହା ପରେ ଜାଡ଼େଜା ଓ ଋଷଭ ପନ୍ତ କିଛି ସମୟ ସଂଘର୍ଷ କରି ଷଷ୍ଠ ଓ୍ଵିକେଟ୍ ପାଇଁ ଉପଯୋଗୀ ୪୯ ରନ ଯୋଡ଼ିଥିଲେ। ୨୧୩ ରନ ସ୍କୋରରେ ଜାଡ଼େଜା(୨୫) ଆଉଟ୍ ହୋଇଥିଲେ। ଏହା ପରେ ପରେ ପନ୍ତ(୨୮) ମଧ୍ୟ ପାଭିଲିୟନ ଫେରିଥିଲେ। ଶାର୍ଦ୍ଦୁଳ ଠାକୁର ୧୦ ବଲରୁ ୧୩ ରନ କରିଥିଲେ। 

ଶେଷ ଆଡ଼କୁ କୁଲଦୀପ ଯାଦବ ୧୭ ଓ ମହମ୍ମଦ ସାମି ୧୦ ରନ କରି ଆଉଟ୍ ହେବା ସହ ୪୯.୧ ଓଭରରେ ୨୫୫ ରନ କରି ଭାରତ ଅଲଆଉଟ୍  ହୋଇଥିଲା। ଅଷ୍ଟ୍ରେଲିଆ ପକ୍ଷରୁ ମିଚେଲ ଷ୍ଟାର୍କ ୩ଟି ଓ୍ଵିକେଟ୍ ନେଇଥିବା ବେଳେ ପାଟ୍ କମିନ୍ସ ଓ କେନ୍ ରିଚାର୍ଡସନ ପ୍ରତ୍ୟେକ ଦୁଇଟି ଲେଖାଏଁ ଓ୍ଵିକେଟ୍ ନେଇଥିଲେ। ଆଡମ ଜାମ୍ପା ଓ ଆଷ୍ଟନ ଅଗରଙ୍କୁ ଗୋଟିଏ ଗୋଟିଏ ଓ୍ଵିକେଟ୍ ମିଳିଥିଲା।

Subscribe

National International State Sports Entertainment