ଖବର ଓଡ଼ିଶା: କଟକ ଏସ୍ସିବି ମେଡିକାଲ କଲେଜରେ ଦୁଇ ଜଣ ମହିଳାଙ୍କୁ ଦୁଷ୍କର୍ମ କରିବା ଅଭିଯୋଗରେ ଡାକ୍ତର ଦିଲବର ସିଂହ ଠାକୁର ଗିରଫ ହୋଇଛନ୍ତି । ମଙ୍ଗଳାବାଗ ଥାନା ପୋଲିସ ତଦନ୍ତ କରିବା ପରେ ତାଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ସେପଟେ ଦୁଇ ପୀଡ଼ିତା ମହିଳା ଏବେ ବଡ଼ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି । ସ୍ୱାସ୍ଥ୍ୟ ବିଭାଗ ଘଟଣାର ତଦନ୍ତ ପାଇଁ ୩ ଜଣିଆ କମିଟି ଗଠନ କରିଛି । ଡିଏମଇଟି ସନ୍ତୋଷ ମିଶ୍ର ଅଧ୍ୟକ୍ଷତାରେ ଏହି କମିଟିରେ ଯୁଗ୍ମ ଡିଏମଇଟି ରୋମା ରତନ ଓ ଏସସିବି ଅଧୀକ୍ଷକ ସୁଧାଂସୁ ମିଶ୍ର ରହିଛନ୍ତି ।
ଗତ ରବିବାର ଜଣେ ପିଜି ଦ୍ୱିତୀୟ ବର୍ଷର ଡାକ୍ତରୀ ଛାତ୍ର ତାଙ୍କ ମା’ ଓ ମାଇଁଙ୍କୁ ଚିକିତ୍ସା ପାଇଁ ଏସସିବି ମେଡ଼ିକାଲର ହୃଦ୍ରୋଗ ବିଭାଗକୁ ଆଣିଥିଲେ । ଉଭୟର ହୃଦ ରୋଗରେ ପୀଡ଼ିତ ଅଛନ୍ତି । ଡାକ୍ତର ଦିଲବର ସିଂହ ଠାକୁର ଚିକିତ୍ସା ଆଳରେ ସେମାନଙ୍କୁ ଇକୋ ରୁମ୍କୁ ନେଇ ଯାଇଥିଲେ । ଅନ୍ୟ କୌଣସି କର୍ମଚାରୀ ସେଠାରେ ନଥିବା ବେଳେ ଦିଲବର ସେମାନଙ୍କର ପରୀକ୍ଷା ଆଳରେ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି ।
ଏ ନେଇ ମହିଳାଙ୍କ ପକ୍ଷରୁ ମଙ୍ଗଳାବାଗ ଥାନାରେ ଏତଲା ଦିଆଯାଇଥିଲା । ପୋଲିସ ଘଟଣାର ତଦନ୍ତି ଆରମ୍ଭ କରିଥିଲେ । ଅନ୍ୟପକ୍ଷରେ ଡ଼ାକ୍ତରଙ୍କୁ ପିଜି ହଷ୍ଟେଲର ପିଲାମାନେ ମାଡ଼ ମାରିଥିବା ଅଭିଯୋଗ ହୋଇଥିଲା । ସେଠାରୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ଟ୍ରମା ଆଇସିୟୁରେ ଭର୍ତ୍ତି କରାଯାଇଥିଲା । ସଂପୃକ୍ତ ଡାକ୍ତରଙ୍କ ପକ୍ଷରୁ ମଧ୍ୟ ମଙ୍ଗଳାବାଗ ଥାନାରେ ଏତଲା ଦିଆଯାଇଥିଲା । ତେବେ ପୋଲିସ ଉଭୟ ପକ୍ଷର ଏତଲାକୁ ଆଧାର କରି ତଦନ୍ତ ଆରମ୍ଭ କରିଥିଲା । ଏହା ପରେ ଡାକ୍ତର ଦିଲବର ସିଂ ଠାକୁରଙ୍କୁ ଗିରଫ କରାଯାଇଥିଲା ।