ଖରସୁଆଁ: ଆଜି ହେଉଛି ଉତ୍କଳ ଦିବସ । ୧୯୩୬ ମସିହା ଆଜିର ଦିନରେ ଭାଷା ଭିତ୍ତିକ ରାଜ୍ୟର ମାନ୍ୟତା ପାଇଥିଲା ଓଡ଼ିଶା । ରାଜ୍ୟ ସହିତ ଦେଶ ବିଦେଶରେ ଥିବା ଓଡ଼ିଆ ଗର୍ବରେ ପାଳନ କରୁଛନ୍ତି ଓଡ଼ିଶା ଦିବସ । କିନ୍ତୁ ଯେଉଁ ଓଡ଼ିଆ ରାଜ୍ୟ ବିଭାଜନବେଳେ ଅନ୍ୟ ରାଜ୍ୟର ସୀମାରେ ରହିଯାଇଛନ୍ତି ସେମାନେ ଆଜି ନିଜର ପରିଚୟ ଖୋଜୁଛନ୍ତି । ଅନ୍ୟ ରାଜ୍ୟରେ ରହି ନିଜ ଓଡ଼ିଆ ଭାଷାକୁ ଜାବୁଡ଼ି ଧରିଥିବା ଓଡ଼ିଆମାନେ ଉପଯୁକ୍ତ ସାହାଯ୍ୟ ସହଯୋଗ ନ ପାଇବାରୁ ଓଡ଼ିଆ ଭାଷାରୁ ଏବେ ବିମୁଖ ହେଉଥିବା ଦେଖିବାକୁ ମିଳିଛି ।
୧୮ ମେ, ୧୯୪୮ ଦିନ ତତ୍କାଳୀନ ବିହାର ଓ କେନ୍ଦ୍ର ସରକାର ଚଞ୍ଚକତା କରି ଓଡ଼ିଶାରୁ ଖାଣ୍ଟି ଓଡ଼ିଆ ଗଡ଼ଜାତ ଅଞ୍ଚଳ ଷଢ଼େଇକଳା- ଖରସୁଆଁ, ଚାଇଁବସା, ଚକ୍ରଧରପୁର, ପୋଡାହାଟ ଆଦିକୁ ବିହାରକୁ ସାମୟିକ ଭାବେ ନେଇଥିଲେ , ଯାହା ଆଜି ଯାଏଁ ଫେରି ପାରିନାହିଁ। ଅବିଭକ୍ତ ପୂର୍ବ ଓ ପଶ୍ଚିମ ସିଂହଭୂମ ସହ ଷଢେଇକଳା-ଖରସୁଆଁ ଭଳି ୩ଜିଲା ଓଡ଼ିଆ ବହୁଳ ଅଞ୍ଚଳ ହୋଇଥିବା ବେଳେ ଓଡ଼ିଆ ଭାଷା ,ସଂସ୍କୃତି ବଞ୍ଚାଇ ରଖିବା ପାଇଁ ସଂଘର୍ଷ କରୁଛନ୍ତି । ୫୨ବର୍ଷ ବିହାର ରାଜ୍ୟରେ ଓ ୨୫ବର୍ଷ ହେଲା ଝାଡ଼ଖଣ୍ଡ ରାଜ୍ୟରେ ରହିବାପରେ ମଧ୍ୟ ସେମାନଙ୍କୁ ସ୍ଵାଧୀନତା ମିଳି ପାରି ନାହିଁ । ଅଞ୍ଚଳବାସୀଙ୍କ ଦାବିଥିଲା ଓଡ଼ିଆ ଭାଷା ସଂସ୍କୃତିକୁ ସେମାନେ କଦାପି ଛାଡ଼ିବେ ନାହିଁ । ଯେଉଁଥିପାଇଁ ପରବର୍ତ୍ତୀ ସମୟରେ ସେଠାରେ ଓଡ଼ିଆ ଭାଷା ଓ ସଂସ୍କୃତିର ସୁରକ୍ଷା ପାଇଁ ଓଡିଶା ସରକାର 'ଉତ୍କଳ ସମ୍ମିଳନୀ' ମାଧ୍ୟମରେ ଶିକ୍ଷକ ଶିକ୍ଷୟିତ୍ରୀ ନିଯୁକ୍ତି କରିବା ସହ ପାଠ୍ୟପୁସ୍ତକ ମଧ୍ୟ ଯୋଗାଇଦେବା ପାଇଁ ପ୍ରତିଶ୍ରୁତି ଦେଇଥିଲେ । ହେଲେ ସେଠାରେ କାର୍ଯ୍ୟରତ ଶିକ୍ଷକ-ଶିକ୍ଷୟିତ୍ରୀମାନେ ନିୟମିତ ଦରମା ନପାଇବା ଯୋଗୁଁ , ଶିକ୍ଷାଦାନରୁ ଦୂରେଇ ଯିବାକୁ ବସିଲେଣି ।
ଝାଡ଼ଖଣ୍ଡ ରାଜ୍ୟର ଷଢ଼େଇକଳା-ଖରସୁଆଁ ସମେତ ପୂର୍ବ ସିଂହଭୂମ ଓ ପଶ୍ଚିମ ସିଂହଭୂମ ଜିଲ୍ଲାରେ ଏବେ ଓଡ଼ିଆ ଭାଷାଭାଷୀଙ୍କ ସଂଖ୍ୟା ପାଖାପାଖି ୫୦ପ୍ରତିଶତ ରହିଥିବା ବେଳେ ଝାଡ଼ଖଣ୍ଡ ସରକାର ଏମାନଙ୍କ ପାଇଁ ବୈମାତୃକ ମନୋଭାବ ପୋଷଣ କରି ଶାସ୍ତ୍ରୀୟ ଓଡ଼ିଆକୁ ଶେଷ କରିବାକୁ ବସିଲେଣି। ନୂତନ ଭାବେ ଝାଡ଼ଖଣ୍ଡ ରାଜ୍ୟ ଗଠନ ପରେ ଦ୍ୱିତୀୟ ରାଜଭାଷା ଭାବେ ଓଡ଼ିଆ ଭାଷା ରହିଥିଲାବେଳେ ଏବେର ଶାସକ ଝାଡ଼ଖଣ୍ଡ ଦଳର ସରକାର ଏହାକୁ ଲୋପ କରିବା ପାଇଁ ଭରପୁର ପ୍ରୟାସ ଆରମ୍ଭ କରିଛନ୍ତି । ଯାହାକୁ ନେଇ ଉକ୍ତ ଅଞ୍ଚଳରେ ଜନ ଆନ୍ଦୋଳନ ମୁଣ୍ଡ ଟେକିବାକୁ ବସିଛି । ତେବେ ଓଡ଼ିଆ ଭାଷାକୁ ସୁରକ୍ଷା ଦେବା ସହ ସୀମାନ୍ତ ରାଜ୍ୟଗୁଡ଼ିକରେ ଓଡ଼ିଆ ପିଲା ଯେପରି ଓଡ଼ିଆ ଭାଷା ପଢ଼ିପାରିବେ,ସେଥିପାଇଁ ଓଡ଼ିଶା ସରକାର ଝାଡ଼ଖଣ୍ଡରେ ସମୁଦାୟ ୧୩୮ଟି ଓଡ଼ିଆ ସ୍କୁଲରେ , “ଉତ୍କଳ ସମ୍ମିଳନୀ ମାଧ୍ୟମରେ ୧୬୦ ଜଣ ଶିକ୍ଷକଙ୍କୁ ନିଯୁକ୍ତି ଦିଆଯାଇଛି। ଦରମା ତ ନୁହେଁ ଭାଷାଶିକ୍ଷକ ଭାବରେ ମାନଦେୟ ବାବଦରେ ଏମାନଙ୍କୁ ବାର୍ଷିକ ୩୦ହଜାର ଟଙ୍କା ପ୍ରଦାନ କରାଯାଇଥାଏ । ହେଲେ ଓଡିଶା ସରକାରଙ୍କ ଅବହେଳାର ଶିକାର ଏମାନେ ବାରମ୍ବାର ନିୟମିତ ପ୍ରାପ୍ୟ ପାଇବାରୁ ବଞ୍ଚିତ ହୋଇଛନ୍ତି । ଏବେ ମଧ୍ୟ ୨୦୨୧/୨୨ ମସିହାର ମାନଦେୟ ବା ଦରମା ମିଳିପାରିଲାନି ।
ଗଣମାଧ୍ୟମ ଦ୍ୱାରା ବହୁଦାବି ଉପସ୍ଥାପନ ପରେ ତତ୍କାଳୀନ ବିଜେଡି ସରକାର ୩ହଜାର କୁ ୪ହଜାର ୫ଶହ ଦେବା ନେଇ ଘୋଷଣା କରିଥିଲେ । ହେଲେ ତାହା ଅଦ୍ୟାବଧି ପ୍ରଦାନ କରାଗଲା ନାହିଁ । ତେବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ନିର୍ବାଚନ ସମୟରେ ଝାଡ଼ଖଣ୍ଡ ଗସ୍ତରେ ଥିବାବେଳେ ଓଡ଼ିଆ ଶିକ୍ଷକଙ୍କ ଦାବିପତ୍ର ଗ୍ରହଣ କରି ତତକ୍ଷଣାତ୍ ୬ହଜାର ଦେବା ନେଇ ଘୋଷଣା କରିଥିଲେ । ଯାହାକୁ ଓଡ଼ିଶା ଶିକ୍ଷକ ଚାହିଁ ବସିଛନ୍ତି । ବିଚ୍ଛିନାଞ୍ଚଳରେ ଓଡ଼ିଆ ବିଦ୍ୟାର୍ଥୀଙ୍କୁ ମିଳୁନାହିଁ ସୁଯୋଗ ,ଏଣୁ ଧିରେଧିରେ ଓଡ଼ିଆ ଭାଷାରୁ ମୁହଁ ମୋଡି ହିନ୍ଦୀ ପ୍ରତି ଅଧିକ ଆଗ୍ରହ ଦେଖାଉଛନ୍ତି ଛାତ୍ରଛାତ୍ରୀ । ଏପରି ସ୍ଥଳେ ଏଠାରେ ଓଡ଼ିଆ ଭାଷା ରହିବ କି ନାହିଁ ତାକୁ ନେଇ ଚିନ୍ତାରେ ସୀମାପାର ଓଡ଼ିଆ ।
ଅନ୍ୟପଟେ ଅଞ୍ଚଳବାସୀ ନିଜ ମାତୃଭାଷା ଓଡ଼ିଆକୁ ଏଠାରେ ଉଦଜୀବିତ ରଖିବାପାଇଁ ଭରପୁର ପ୍ରୟାସ ଜାରି ରଖିଛନ୍ତି । ଓଡ଼ିଶା ସରକାରଙ୍କ ସାହାଯ୍ୟକୁ ଚାତକ ପରି ଚାହିଁ ବସିଛନ୍ତି । ଓଡ଼ିଶା ସରକାରଙ୍କ ଦ୍ୱାରା ଉତ୍କଳ ସମ୍ମିଳନୀ ପକ୍ଷରୁ ଯୋଗାଇଦେଉଥିବା ପାଠ୍ୟ ସାମଗ୍ରୀ କେତେବେଳେ ମିଳୁନାହିଁ ତ କେତେବେଳେ ଶିକ୍ଷାଦାତାଙ୍କୁ ମାନଦେୟ ମିଳୁନାହିଁ । ଯେଉଥିପାଇଁ ଦିନକୁ ଦିନ ଓଡ଼ିଆ ଛାଡି ପିଲାମାନେ ହିନ୍ଦୀ ଓ ସଂସ୍କୃତ ପଢିବାକୁ ବାଧ୍ୟ ହେଲେଣି । ଏନେଇ ଉକ୍ତ ଅଞ୍ଚଳର କର୍ମକର୍ତ୍ତାମାନ ଉତ୍କଳ ସମ୍ମିଳନୀ ଓ ଓଡିଶା ସରକାରଙ୍କୁ ଅନେକ ଥର ଅଭିଯୋଗ କରିଥିଲେ ମଧ୍ୟ ସମାସ୍ୟାର ସମାଧାନର ବାଟ ଫିଟୁନାହିଁ । ଯାହାକୁ ନେଇ କ୍ଷୋଭ ପ୍ରକାଶ କରିଛନ୍ତି ବିଚ୍ଛିନାଞ୍ଚଳର ଉତ୍କଳ ସମ୍ମିଳନୀର କର୍ମକର୍ତ୍ତା । ଏପ୍ରିଲ ସୁଦ୍ଧା ଦରମା ଦିଆନଗଲେ କେବଳ ଝାଡ଼ଖଣ୍ଡ ନୁହେଁ ଛତିଶଗଡ଼, ପଶ୍ଚିମବଙ୍ଗ, ଆନ୍ଧ୍ରପ୍ରଦେଶର ୬୨୬ ଓଡ଼ିଆ ଶିକ୍ଷକ ଶିକ୍ଷୟିତ୍ରୀ ଓଡ଼ିଆ ଶିକ୍ଷାଦାନ କାର୍ଯ୍ୟକ୍ରମ ବନ୍ଦ କରିଦେବେ ବୋଲି ଆଲୋଚନା ହେଉଛି । ସେହିପରି ଝାଡ଼ଖଣ୍ଡ ରାଜ୍ୟରେ ଏକ ମାତ୍ର କୋହ୍ଲାନ୍ ବିଶ୍ଵବିଦ୍ୟାଳୟରେ ଜଣେ ମାତ୍ର ଓଡ଼ିଆ ପ୍ରଫେସରରେ ସ୍ନାତକତ୍ତୋର ବିଭାଗ ଚାଲିଛି । ପୂର୍ବ ବିଜେଡ଼ି ସରକାର ପ୍ରତିଶ୍ରୁତି ପୂରଣ କରି ନ ଥିବାବେଳେ ଓଡ଼ିଶାରେ ନୂଆ କରି ସରକାର ଗଢ଼ିଥିବା ବିଜେପି ସରକାର ସେମାନଙ୍କ ଦୁଃଖ ବୁଝିବେ ବୋଲି ଆଶା ବାନ୍ଧି ବସିଛନ୍ତି ।
ଓଡ଼ିଶାରୁ ବାଦ ପଡ଼ି ଝାଡ଼ଖଣ୍ଡ ରାଜ୍ୟରେ ନିଜ ମାତୃଭାଷା ଓଡ଼ିଆକୁ ବଞ୍ଚାଇବା ପାଇଁ ଏବେ ପ୍ରତିଟି ମୁହୁର୍ତ୍ତରେ ସଂଘର୍ଷ କରୁଛନ୍ତି ବିଚ୍ଛିନାଞ୍ଚଳବାସୀ । ୨୦୩୬ରେ ଆମେ ଓଡ଼ିଶାର ଶତବାର୍ଷିକ ପାଳନ କରିବା । ଏପରି ସ୍ଥଳେ ଯଦି ଓଡ଼ିଶା ସରକାର ଏମାନଙ୍କ ପାଇଁ ସାହାଯ୍ୟର ହାତ ନବଢାନ୍ତି ତେବେ ଏଠାରୁ ଯେ ଦିନେ ଓଡ଼ିଆ ଛାପ ଲିଭିନଯିବ ଏଥିରେ ତିଳେ ମାତ୍ର ସନ୍ଦେହ ନାହିଁ ।
ରିପୋର୍ଟ- ପ୍ରଦୀପ୍ତ ହୋତା