ଦିଲ୍ଲୀ ଭୟାବହ ଅଗ୍ନିକାଣ୍ଡ ଘଟଣା : ମୃତକଙ୍କ ସଂଖ୍ୟା ୪୩କୁ ବୃଦ୍ଧି, ଉଦ୍ଧାର କାର୍ଯ୍ୟ ଜାରି
Khabar Odisha:national-odisha-new-delhi-anaj-mandi-rani-jhansi-road-catches-fire-on-sunday-morning
ନୂଆଦିଲ୍ଲୀ, ଡିସେମ୍ଵର ୦୮ (ଖବର ଓଡିଶା) :

ଦିଲ୍ଲୀର ରାଣୀ ଝାନ୍ସୀ ରୋଡ ଅନାଜ ମଣ୍ଡି ସ୍ଥିତ ଏକ ଘରେ ଆଜି ସକାଳ ୫ଟା ୨୨ରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଏହି ଅଗ୍ନିକାଣ୍ଡରେ ୪୩ ଜଣ ପ୍ରାଣ ହରାଇଥିବା ବେଳେ ୫୦ରୁ ଅଧିକ ଲୋକଙ୍କୁ ଉଦ୍ଧାର କରାଯାଇଛି। ଅଗ୍ନିଶମ ବାହିନୀ ଓ ଉଦ୍ଧାରକାରୀ ଟିମ୍ ଘଟଣାସ୍ଥଳରେ ପହଁଚି ଉଦ୍ଧାର କରୁଛି। 

ଦିଲ୍ଲୀ ଅଗ୍ନିଶମ ସେବାର ଜଣେ ଅଧିକାରୀ ଏହି ଅଗ୍ନିକାଣ୍ଡକୁ ନେଇ କହିଛନ୍ତି ଯେ, ସକାଳ ୫ଟା ୨୨ରେ ନିଆଁ ଲାଗିଥିବା ଖବର ମିଳିଥିଲା। ଏହାପରେ ଘଟଣାସ୍ଥଳରେ ୩୦ଟି ଦମକଳ ବାହିନୀ ଗାଡି ନିୟୋଜିତ କରାଯାଇଛି। ନିଆଁ ଲାଗିଥିବା ଘର ଭିତରେ ଫସି ରହିଥିବା ଲୋକମାନଙ୍କୁ ବାହାର କରି ଉଦ୍ଧାରକାରୀ ଟିମ୍ ଆରଏମଏଲ ହସ୍ପିଟାଲ ଏବଂ ହିନ୍ଦୁ ରାଓ ହସ୍ପିଟାଲରେ ଭର୍ତ୍ତି କରିଛି। ଖବର ଲେଖାଯିବା ସୁଦ୍ଧା ଅଗ୍ନିକାଣ୍ଡରେ ୪୩ ଜଣ ପ୍ରାଣ ହରାଇଥିବା ସୂଚନା ମିଳିଛି। 

ଏହି ଘଟଣାକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦୁଃଖ ପ୍ରକାଶ କରିଛନ୍ତି। ମୋଦୀ ଟ୍ଵିଟ୍ କରି ଲେଖିଛନ୍ତି ଯେ, ଅନାଜ ମଣ୍ଡି କ୍ଷେତ୍ରରେ ନିଆଁ ଲାଗିବା ଘଟଣା ଖୁବ୍ ଭୟାନକ। ଅଗ୍ନିକାଣ୍ଡରେ ପ୍ରାଣ ହରାଇଥିବା ଲୋକମାନଙ୍କ ପରିବାର ପ୍ରତି ମୋଦୀ ସମବେଦନା ଜଣାଇଛନ୍ତି। ଏହା ସହ ଆହତ ହୋଇଥିବା ଲୋକମାନେ ଖୁବ୍ ଶୀଘ୍ର ସୁସ୍ଥ ହୁଅନ୍ତୁ ବୋଲି ସେ କାମନା କରିଛନ୍ତି। ଗୃହମନ୍ତ୍ରୀ ଅମିତ ଶାହା ମଧ୍ୟ ଶୋକ ପ୍ରକାଶ କରି ଟ୍ଵିଟ୍ କରିଛନ୍ତି। ଅଗ୍ନିକାଣ୍ଡରେ ପ୍ରଭାବିତ ହୋଇଥିବା ଲୋକମାନଙ୍କୁ ଖୁବ୍ ଶୀଘ୍ର ସହାୟତାରାଶି ପ୍ରଦାନ କରାଯିବ ବୋଲି କହିଛନ୍ତି। 

ରାହୁଲ ଗାନ୍ଧୀ ମଧ୍ୟ ଟ୍ଵିଟ୍ କରି କହିଛନ୍ତି ଯେ, ଅନାଜ ମଣ୍ଡିରେ ଭୀଷଣ ଅଗ୍ନିକାଣ୍ଡ ଘଟଣା ଶୁଣି ମୁଁ ମର୍ମାହାତ। ମୃତକଙ୍କ ପରିବାରକୁ ସେ ସମବେଦନା ମଧ୍ୟ ଜଣାଇଛନ୍ତି। ଏହା ସହ ଆହତମାନେ ଖୁବ୍ ଶୀଘ୍ର ସୁସ୍ଥ ହେବାକୁ ସେ କାମନା କରିଛନ୍ତି। 

ସେହିପରି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ କହିଛନ୍ତି ଯେ, ଏହା ଖୁବ୍ ଦୁଃଖଦ ଘଟଣା। ଉଦ୍ଧାର କାର୍ଯ୍ୟ ଜାରି ରହିଛି। ଦମକଳବାହିନୀ ଯଥା ସମ୍ଭବ ଚେଷ୍ଟା କରୁଛନ୍ତି। ଆହତମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଉଛି।

Subscribe

National International State Sports Entertainment