ନୂଆଦିଲ୍ଲୀ: ଏଣିକି ବିମାନ ନିୟମ ରେଳ ବିଭାଗ ଲାଗୁ କରିବାକୁ ଯାଉଛି । ନିର୍ଦ୍ଧାରିତ ଓଜନଠାରୁ ଅଧିକ ଜିନିଷ ନେଲେ ତଣ୍ଡ ଗଣିବେ ରେଳଯାତ୍ରୀ । ଏଥିପାଇଁ ଭାରତୀୟ ରେଳ ବିଭାଗ ପ୍ରସ୍ତୁତି ଆରମ୍ଭ କରିଦେଇଛି । ଏହି ନିୟମ ପୂର୍ବରୁ ଆସିଥିଲେ ସୁଦ୍ଧା ତାହାକୁ ପୂର୍ଣ୍ଣ ରୂପେ କାର୍ଯ୍ୟକାରୀ କରାଯାଇନଥିଲା । ଯାହାକୁ କାର୍ଯ୍ୟକାରୀ କରିବାକୁ ରେଳ ବିଭାଗ ଉଦ୍ୟମ ଆରମ୍ଭ କରିଛି ।
ଘରୋଇ ବିମାନ ସେବାରେ ଜଣେ ଯାତ୍ରୀ ଅତିବେଶୀ ୧୫ କିଲୋଗ୍ରାମ ଓଜନର ଲଗେଜ୍ ନେଇପାରିବେ ଏବଂ କ୍ୟାବିନରେ ମାତ୍ର ୭ କିଲୋ ଓଜନ ଜିନିଷ ନେଇ ପାରିବେ । ଏହାଠାରୁ ଅଧିକ ହେଲେ ସେଥିପାଇଁ ଅତିରିକ୍ତ ଶୁଳ୍କ ଦେବାକୁ ପଡ଼େ । ସେହିପରି ଏଣିକି ରେଳ ବିଭାଗରେ ମଧ୍ୟ ଅନୁରୂପ ନିୟମ ଲାଗୁ ହେବ । ଦେଶର କିଛି ପ୍ରମୁଖ ରେଳ ଷ୍ଟେସନରେ ଜିନିଷ ଉପରେ କଟକଣା ଜାରି କରାଯିବ । ନିର୍ଦ୍ଧାରିତ ଓଜନ ଠାରୁ ଅଧିକ ଲଗେଜ୍ ନେଲେ ଅତିରିକ୍ତ ଶୁଳ୍କ ଦେବାକୁ ପଡ଼ିବ । ତେବେ ଭିନ୍ନ ଭିନ୍ନ କୋଚ୍ ପାଇଁ ଭିନ୍ନ ଭିନ୍ନ ନିୟମ ରହିବ । ପ୍ରଥମ ଶ୍ରେଣୀ ଏସି କୋଚରେ ଯାତ୍ରା କରୁଥିବା ଯାତ୍ରୀମାନେ ସର୍ବାଧିକ ୭୦ କିଲୋ ଲଗେଜ୍ ନେଇ ପାରିବେ । ଦ୍ୱିତୀୟ ଶ୍ରେଣୀ ଏସି କୋଚ ପାଇଁ ୫୦ କିଲୋ ରହିଥିବାବେଳେ ସ୍ଲିପର୍ ପାଇଁ ୪୦ କିଲୋ ଜିନିଷ ନେବାକୁ ଅନୁମତି ମିଳିବ । ସେହିପରି ଜେନେରାଲ ବଗିରେ ଯାତ୍ରା କରୁଥିବା ଯାତ୍ରୀମାନେ ୩୫ କିଲୋ ଜିନିଷ ନେଇ ପାରିବେ ।
ରେଳ ଅଧିକାରୀଙ୍କ ମୁତାବକ, ଏହା ରେଳ ଯାତ୍ରୀଙ୍କ ସୁରକ୍ଷା ଏବଂ ସୁବିଧା ପାଇଁ ବେଶ ଗୁରୁତ୍ୱପୂର୍ଣ୍ଣ ଅଟେ । ଯାତ୍ରୀମାନେ ଅତ୍ୟଧିକ ଜିନିଷ ନେଇଯିବା ଦ୍ୱାରା ଅନ୍ୟଯାତ୍ରୀଙ୍କୁ ବସିବାରେ ଅସୁବିଧା ହେଉଛି । ତେଣୁ ଯେଉଁମାନେ ନିର୍ଦ୍ଧାରିତ ଠାରୁ ଅଧିକ ଜିନିଷ ନେବାକୁ ଚାହିଁବେ ତେବେ ସେମାନଙ୍କୁ ଆଗୁଆ ବୁକ୍ କରିବାକୁ ପଡ଼ିବ ।
ବର୍ତ୍ତମାନ ଉତ୍ତର ଏବଂ ଉତ୍ତର-ମଧ୍ୟ ରେଳ ବିଭାଗ ପ୍ରାରମ୍ଭିକ ପର୍ଯ୍ୟାୟରେ ଲକ୍ଷ୍ନୌ ଏବଂ ପ୍ରୟାଗରାଜ ମଣ୍ଡଳରେ ଏହି ନିୟମ ଲାଗୁ କରିବାକୁ ସ୍ଥିର କରିଛନ୍ତି । ଏହାରି ଭିତରେ ଗୟା, ପ୍ରୟାଗରାଜ, ମିର୍ଜାପୁର, କାନପୁର ଏବଂ ଅଲିଗଡ଼ ରେଳ ଜଙ୍କସନ୍ ସାମିଲ ରହିଛି । ଏତଦବ୍ୟତୀତ ଲକ୍ଷ୍ନୌ ଚାରବାଗ, ବନାରସ, ପ୍ରୟାଗରାଜ ଛିବକୀ, ସୁବେଦାଗଂଜ, ମିର୍ଜାପୁର, ଟୁଣ୍ଡଲା, ଅଲୀଗଡ଼, ଗୋବିନ୍ଦପୁରୀ ଓ ଇଟାୱା ମଧ୍ୟ ସାମିଲ ରହିଛି ।